କନକ ବ୍ୟୁରୋ : ପାଣ୍ଡିଆନ ହେଲିକପ୍ଟର ବୁଲାର ହେବ ତଦନ୍ତ। ଜଣେ ସଚିବଙ୍କୁ ହେଲିକପ୍ଟରରେ ବୁଲିବାକୁ ଅନୁମତି କିଏ ଦେଲା? ହେଲିପ୍ୟାଡ଼ ନିର୍ମାଣ ପାଇଁ କିଏ ନିର୍ଦେଶ ଦେଇଥିଲା? ଖର୍ଚ୍ଚ କେମିତି ହେଲା ତାହା ତଦନ୍ତ ପରିସରଭୁକ୍ତ ହେବ। ତଦନ୍ତ କରାଯାଇ ଦଣ୍ଡବିଧାନ କରାଯିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ତାଙ୍କ ହେଲିପ୍ୟାଡ଼ ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ ନିର୍ଦେଶ ଯାଉଥିଲା ଏବଂ ସରକାରୀ ଖର୍ଚ୍ଚରେ ହେଲିପ୍ୟାଡ଼ ନିର୍ମାଣ କରାଯାଉଥିଲା। ପାଣ୍ଡିଆନ ପାଖାପାଖି ୪୦୦ରୁ ୪୫୦ ଜାଗା ବୁଲିଛନ୍ତି। ହେଲିପ୍ୟାଡ଼ ନିର୍ମାଣ ଲାଗି ରାଜ୍ୟ ରାଜକୋଷରୁ ଖର୍ଚ୍ଚ ହୋଇଛି, ସେ ବାବଦରେ ତଦନ୍ତ ପ୍ରକ୍ରିୟା ଆରମ୍ଭ ହେବ। କିଏ ନିର୍ଦେଶ ଦେଇଥିଲା ଏବଂ କେମିତି ନିର୍ଦେଶ ଦେଇଥିଲା। ବିଭଗୀୟ ସଚିବ ଯାହାର ହେଲିକପ୍ଟର ବ୍ୟବହାର କରିବାର ପ୍ରବଧାନ ନାହିଁ, ସରକାର କେମିତି ଅନୁମତି ଦେଇଥିଲେ, ହେଲିକପଟର ଅବତାରଣ କରିବା ପାଇଁ ପ୍ରୋସେସ କରିଥିଲେ, ଏ ସବୁ ତଦନ୍ତ ପରିସରଭୁକ୍ତ ହେବ। ତଦନ୍ତ କରାଯାଇ ଦଣ୍ଡବିଧାନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

Advertisment

ଆଇନ ମନ୍ତ୍ରୀଙ୍କ ଏଭଳି ଅଭିଯୋଗ ଉପରେ ଜବାବ ରଖିଛନ୍ତି ବିଜେଡିର ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ । ସେ କହିଛନ୍ତି ହେଲିକପ୍ଟରେ ବୁଲି ପାଣ୍ଡିଆନ ଜନ ଶୁଣାଣି କରୁଥିଲେ । ଏଥିସହ ବିଜେପି ସରକାରରେ ପିସି କାରବାର ବଢ଼ିଥିବା ନେଇ ରାଜ୍ୟ ସରକାରଙ୍କୁ କାଉଣ୍ଟର ଆଟାକ କରିଛନ୍ତି । ଯଦି ନବୀନ ସରକାର ଦୁର୍ନୀତିଗ୍ରସ୍ତ ଥିଲେ ତାହାଲେ ଏତେ ବର୍ଷ ଶାସନ କେମିତ କଲେ ବୋଲି ପ୍ରଶ୍ନ କରିଛନ୍ତି ।

ଅନ୍ୟପଟେ ପାଣ୍ଡିଆନଙ୍କ ହେଲିକପ୍ଟର ବୁଲା ପ୍ରସଙ୍ଗରେ ତଦନ୍ତକୁ କଂଗ୍ରେସର ସମର୍ଥନ । କଂଗ୍ରେସ ପ୍ରଥମେ ଏହି ପ୍ରସଙ୍ଗ ଉଠାଇ ତଦନ୍ତ ଦାବି କରିଥିବା କହିଲେ ବରିଷ୍ଠ ନେତା ବିଜୟ ପଟ୍ଟନାୟକ । ଏଥିସହ କୋଭିଡ ସମୟରେ ହୋଇଥିବା ଦୁର୍ନୀତି ଓ ଅନ୍ୟ ଦୁର୍ନୀତିର ତଦନ୍ତ ହେଉ ବୋଲି ସେ ଦାବି କରିଛନ୍ତି । କେବଳ ଗୋଟିଓ ଦୁଇଟି ଦୁର୍ନୀତିର କଥା କହି ବଡ଼ ଦୁର୍ନୀତିକୁ ରାଜ୍ୟ ସରକାର ଭୁଲି ନଯାନ୍ତୁ ବୋଲି କହିଛନ୍ତି ବିଜୟ ପଟ୍ଟନାୟକ।