ଅଡୁଆରେ ଆଇନମନ୍ତ୍ରୀ ପ୍ରତାପ ଜେନା । ସାନି ତଦନ୍ତ ପାଇଁ କୋର୍ଟ ନିର୍ଦ୍ଦେଶ ଦେବା ପରେ ବିଜେପିର ବିକ୍ଷୋଭ

129

କନକ ବ୍ୟୁରୋ: ମନ୍ତ୍ରୀ ପ୍ରତାପ ଜେନାଙ୍କୁ ବହିଷ୍କାର କର । ମାହାଙ୍ଗା ଡବଲ୍ ମର୍ଡର ଘଟଣାରେ ସରକାର ମନ୍ତ୍ରୀଙ୍କୁ ଘଂଟ ଘୋଡାଇ ରଖିଥିବା ଅଭିଯୋଗ କରି ରାସ୍ତାକୁ ଓହ୍ଲାଇଛି ବିଜେପି । ରାଜଧାନୀରେ ହୋଇଥିବା ଏହି ଅନ୍ଦୋଳନ ସ୍ପଷ୍ଟ ବାର୍ତା ଦେଉଛି, ଆଗାମୀ ଦିନରେ ହେବାକୁ ଥିବା ବିଧାନସଭା ଅଧିବେଶନ ସମୟରେ ମନ୍ତ୍ରୀଙ୍କ ଅଡୁଆ ବଢିପାରେ । କିଛି ସମୟ ଧରି ରଣକ୍ଷେତ୍ର ପାଲଟିଥିଲା ରାଜଧାନୀ ରାଜରାସ୍ତା ଯାହାର ପ୍ରଭାବ ମାହାଙ୍ଗାରେ ବି ଅନୁଭୁତ ହୋଇଥିଲା ।

ଚାର୍ଜଶିଟରୁ ମନ୍ତ୍ରୀଙ୍କ ନାଁ ବାଦ୍ ପଡିବା, କୋର୍ଟରେ ପ୍ରୋଟେଷ୍ଟ ପିଟିସନ୍ ଫାଇଲ୍ ହେବା, ମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେବା ପରେ ପୁଣି ରାଜ୍ୟ ରାଜନୀତିର ସେଂଟର ଷ୍ଟେଜକୁ ଆସିଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା । ପୁରା ମାମଲାରେ ତାଙ୍କ ସଂପୃକ୍ତି ରହିଛି କି ନାହିଁ, ତାର ତଦନ୍ତ ଆରମ୍ଭ ହେବ । ଏବେ ପ୍ରଶ୍ନ ଉଠୁଛି

– କେଉଁ ଆଧାରରେ ପୁଣି ମାମଲା ଆଗକୁ ବଢାଇବେ ତଦନ୍ତକାରୀ ଅଧିକାରୀ?
– ପୂର୍ବରୁ ମନ୍ତ୍ରୀଙ୍କୁ ନିର୍ଦ୍ଦୋଷ ସାର୍ଟିଫିକେଟ ମିଳିଥିବାରୁ, ତଦନ୍ତ ଠିକରେ ଆଗେଇବ ତ?
– ସିଡିଆରକୁ ଆଧାର କରି କ୍ଲିନଚିଟ୍ ଦେଇଥିବା ଅଧିକାରୀ ଏବେ କରିବେ କଣ?
– ମନ୍ତ୍ରୀ ନିଜ କ୍ଷମତାର ପ୍ରୟୋଗ କରି ତଦନ୍ତକୁ ଦିଗହରା କରିବେ ନାହିଁ ତ?

ଏମିତି ଅନେକ ପ୍ରଶ୍ନ ଚାରିଆଡୁ ଉଠୁଥିବା ବେଳେ କଂଗ୍ରେସ ମାମଲାରେ ବିଚାର ବିଭାଗୀୟ ତଦନ୍ତ ଦାବି କରିଛି । ବିଜେପି କହିଛି ବିଧାନସଭାରେ ଏହି ପ୍ରସଙ୍ଗ ଉଠିବ । ଆଉ ବିଜେଡିର ଜବାବ ହେଲା, ତଦନ୍ତ ଚାଲିଛି, ଆଇନ ଅନୁଯାୟୀ ପଦକ୍ଷେ ପ ନିଆଯିବ ।

ସେପଟେମ୍ବର ପହିଲାରୁ ଆରମ୍ଭ ହେଉଛି ବଧଶାନସଭାର ମୈାସୁମୀ ଅଧିବେଶନ । ଆଇନଶୃଙ୍ଖଳା ପରିସ୍ଥିତି ଏକ ପ୍ରମୁଖ ମୁଦ୍ଦା ହୋଇ ପୁରା ଅଧିବେଶନରେ ପ୍ରଭାବ ବିସ୍ତାର କରିବାର ଅନୁମାନ କରାଯାଉଛି । ଆଉ ଉଭୟ ବିରୋଧୀ କ୍ୟାମ୍ପରୁ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ନେଇ ଯେଉଁ ମୁଦ୍ଦା ଉଠିବ, ତାକୁ ଶାସକ ଦଳ କିଭଳି ମୁକାବିଲା କରୁଛନ୍ତି, ତାଉପରେ ନଜର ।