ଗାଁ ଲୋକଙ୍କ ସହ ଏମିତି ନାଚିଲେ ମନ୍ତ୍ରୀ, ଟ୍ୱିଟକରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

182

କନକ ବ୍ୟୁରୋ : କେନ୍ଦ୍ର ଆଇନମନ୍ତ୍ରୀ ବୁଧବାରଦିନ ଅରୁଣାଚଳ ପ୍ରଦେଶରେ ଏକ ଯୋଜନାର ସମୀକ୍ଷା କରିବାକୁ ଯାଇଥିବା ବେଳେ ଗାଁ ଲୋକଙ୍କ ସହ ଏମିତି ନାଚିଛନ୍ତି ଯେ ଏହି ଭିଡିଓକୁ ନେଇ ପ୍ରଧାନମନ୍ତ୍ରୀ ବି ଟ୍ୱିଟ କରି ପ୍ରଶଂସା କରିଛନ୍ତି ।

କହିରଖୁ କି ଏକ ପରିଯୋଜନାର ସମୀକ୍ଷା କରିବାକୁ କେନ୍ଦ୍ରମନ୍ତ୍ରୀ କିରଣ ରିଜ୍ଜୁ ଅରୁଣାଚଳ ପ୍ରଦେଶର କଜଲାଂଗ ଗାଁରେ ପହଂଚିଥିଲେ । ସେଠିକାର ସ୍ଥାନୀୟ ସେଜଲାଂଗ ଲୋକମାନେ ରିଜ୍ଜୁଙ୍କୁ ପାରମ୍ପାରିକ ବାଦ୍ୟ ଓ ନୃତ୍ୟର ତାଳେ ତାଳେ ସ୍ୱାଗତ କରିଥିଲେ । ଏହି ସ୍ୱାଗତ ବେଳେ ରିଜ୍ଜୁ ନିଜକୁ ସମ୍ଭାଳିପାରି ନଥିଲେ । ସେ ଗାଁ ଲୋକଙ୍କ ସହ ହାତକୁ ହାତ ମିଶାଇ ନାଚିବା ଆରମ୍ଭ କରିଦେଇଥିଲେ ।

ରିଜ୍ଜୁ ନାଚୁଥିବା ଭିଡିଓରେ ସେ ଟି ସାର୍ଟ, କୋଟ୍ ଓ ଟ୍ରାଉଜର୍ସ ପିନ୍ଧିଥିବାର ଦେଖିବାକୁ ମିଳିଥିଲେ । ଏଥିରେ ସେ ଗାଁ ଲୋକଙ୍କ ସହିତ ପାଦରେ ପାଦ ମିଳାଇ ନାଚୁଥିବାର ଦେଖିବାକୁ ମିଳିଛି । ଢୋଲର ତାଳେ ତାଳେ ପାରମ୍ପାରିକ ଗୀତରେ ଗାଁ ଲୋକଙ୍କ ସହ ମନ୍ତ୍ରୀ ନାଚୁଥିବା ବେଳେ ଦର୍ଶକମାନେ ତାଳି ମାରୁଥିବାର ନଜରକୁ ଆସିଛି ।

ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ନାଚୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଟ୍ୱିଟରେ ଏହି ଭିଡିଓକୁ ସେୟାର କରି ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି କି “ଆଇନମନ୍ତ୍ରୀ କିରଣ ରିଜ୍ଜୁ ଜଣେ ଦକ୍ଷ ଡ୍ୟାନ୍ସର ଓ ଅରୁଣାଚଳ ପ୍ରଦେଶର ଜୀବନ୍ତ ଗୌରବଶାଳୀ ସଂସ୍କୃ୍ତିକୁ ଦେଖି ଭଲ ଲାଗିଲା”

ସୂଚନା ଥାଉକି କେନ୍ଦ୍ର ଆଇନମନ୍ତ୍ରୀ କିରଣ ରିଜ୍ଜୁ ଅରୁଣାଚଳ ପ୍ରଦେଶର ପଶ୍ଚିମ ଲୋକସଭା କ୍ଷେତ୍ରରୁ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ସେ ସୋସିଆଲ ମିଡିଆରେ ବେସ୍ ଆକ୍ଟିଭ ଥାନ୍ତି । ସ୍ୱାସ୍ଥ୍ୟ ଓ ଫିଟନେଓ ସହିତ କେବେ କେବେ ନିଜେ ଗୀତ ଗାଇ ତାଙ୍କ ଫଲୋଅର୍ସଙ୍କ ସହ ସେୟାର କରିଥାନ୍ତି ।