ରତ୍ନଭଣ୍ଡାରରେ ଅଛି କେତେ ଅଳଙ୍କାର ? ହିସାବ ଦେଲେ ସରକାର, କହିଲେ ସୁରକ୍ଷିତ ଅଛି ମହାପ୍ରଭୁଙ୍କ ସୁନା ଅଳଙ୍କାର ।

437

କନକ ବ୍ୟୁରୋ : ରତ୍ନଭଣ୍ଡାରରେ ରହିଛି କେତେ ଅଳଙ୍କାର । ଆଜି ବିଧାନସଭାରେ ଶ୍ରୀଜିଉଙ୍କ ରହସ୍ୟମୟ ରତ୍ନଭଣ୍ଡାରର ହିସାବ ରଖିଛନ୍ତି ସରକାର ।  ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଆଇନ ମନ୍ତ୍ରୀ ପ୍ରାୟ ୩୦ବର୍ଷ ତଳେ ହୋଇଥିବା ଭଣ୍ଡାର ଘରର ଆକଳନ ସମ୍ପର୍କୀତ ତଥ୍ୟ ଉପସ୍ଥାପନ କରିଛନ୍ତି ।  ଆଉ କହିଛନ୍ତି ଭଣ୍ଡାର ଘରେ ସବୁ ସୁରକ୍ଷିତ ରହିଛି । ଏହା ସହ ସରକାର କହିଛନ୍ତି ବର୍ତ୍ତମାନ ରତ୍ନଭଣ୍ଡାର ଖୋଲିବା ପାଇଁ କୌଣସି ଯୋଜନା ନାହିଁ ।

ରତ୍ନଭଣ୍ଡାରର ସମ୍ପତ୍ତି ତାଲିକା ନେଇ ଆଜି ବିଧାନସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇଛନ୍ତି ଆଇନମନ୍ତ୍ରୀ ପ୍ରତାପ ଜେନା । ରତ୍ନଭଣ୍ଡାରର ସବୁଠାରୁ ରହସ୍ୟମୟ ଭିତର ଭଣ୍ଡାରରେ ରହିଛି ୪୫୪ଟି ସୁନା ଅଳଙ୍କାର ଓ ସାମଗ୍ରୀ । ୧୨ହଜାର ୭୩୭ଭରିରୁ ଅଧିକ ସୁନା ଓ ମୂଲ୍ୟବାନ ପଥର ଗଚ୍ଛିତ ଅଛି । ଭିତର ଭଣ୍ଡାରରେ ଥିବା ୨୩୬ ରୂପା ସାମଗ୍ରୀର ଓଜନ ୧୮ହଜାର ୮୧୫ ଭରିରୁ ଅଧିକ । ୧୯୮୫ ମସିହାରେ ଶେଷ ଥର ପାଇଁ ଭିତର ଭଣ୍ଡାର ଖୋଲିଥିବା ବେଳେ ୩୦ ବର୍ଷ ତଳର ତଥ୍ୟ ଦେଇଛନ୍ତି ସରକାର ।  ହେଲେ ବର୍ତ୍ତମାନ ଭଣ୍ଡାର ଘର ଖୋଲିବାର କୌଣସି ପ୍ରସ୍ତାବ ନଥିବା କହିଛନ୍ତି ଆଇନ ମନ୍ତ୍ରୀ ।

ବିଧାନସଭାରେ ସରକାର ରଖିଥିବା ଉତ୍ତରରେ ଆଇନମନ୍ତ୍ରୀ କହିଛନ୍ତି ଯେ ଭଣ୍ଡାର ଘରେ ଏମିତି ବି ଅନେକ ଅଳଙ୍କାର ଓ ସାମଗ୍ରୀ ରହିଛି ଯାହାର ହିସବା ସରକାରଙ୍କ ପାଖରେ ନାହିଁ । ଆଉ ୩୦ବର୍ଷ ତଳର ତଥ୍ୟ ଦେଇ ଭଣ୍ଡାର ଘରେ ସବୁ କିଛି ସୁରକ୍ଷିତ ଥିବା କହିଛନ୍ତି ମନ୍ତ୍ରୀ ।

ଏହାପୂର୍ବରୁ ଶ୍ରୀମନ୍ଦିରର ସମ୍ପତ୍ତି ନେଇ ବିସ୍ତୃତ ରିପୋର୍ଟ ମାଗିଥିଲେ ସୁପ୍ରିମକୋର୍ଟ । ଏମିତିକି ଭିତର ଭଣ୍ଡାର ଖୋଲିବା ନେଇ ଶ୍ରୀମନ୍ଦିର ପ୍ରଶାସନ ବିଚାର ବିମର୍ଷ ଆରମ୍ଭ କରିଥିବା ନେଇ ଚର୍ଚ୍ଚା ହୋଇଥିଲା । ବର୍ଷ ବର୍ଷ ଧରି ବନ୍ଦ ଥିବା ରତ୍ନଭଣ୍ଡରକୁ ନେଇ ଅନେକ ରହସ୍ୟ ଓ ଲୋକକଥା ରହିଛି ।  ୨୦୧୮ରେ ରତ୍ନଭଣ୍ଡାର ଯାଞ୍ଚ ବେଳେ ବି ଭିତରଭଣ୍ଡାର ଖୋଲାଯାଇ ନଥିଲା ।  ସୁପ୍ରିମକୋର୍ଟ ଶ୍ରୀମନ୍ଦିରର ସମ୍ପତ୍ତି ତାଲିକା ମାଗିବା ପରେ ଭିତର ଭଣ୍ଡାର ଖୋଲିବା ପାଇଁ ଦାବି ହୋଇ ଆସୁଛି । ଆଉ ଏତିକି ବେଳେ ସରକାର କହିଛନ୍ତିି ଭିତର ଭଣ୍ଡାର ଖୋଲିବା ପାଇଁ କୌଣସି ପ୍ରସ୍ତାବ ନାହିଁ ।