କନକ ବ୍ୟୁରୋ: ସମବାୟ ସମିତିରେ କୋଟି କୋଟି ଟଙ୍କାର ହେରଫେର। ୪ ବର୍ଷ ତଳୁ ଭିଜିଲାନ୍ସ ତଦନ୍ତ କରୁଛି । ହେଲେ ଏଯାବତ ନିର୍ଯ୍ୟାସ କଣ ଜଣାପଡୁନି। ଦିନ ପରେ ଦିନ ଗଡୁଛି ଲୋକେ କିନ୍ତୁ ନିଜ ଜମା ଟଙ୍କା କେମିତି ଫେରିପାଇବେ ଅନାଇ ବସିଛନ୍ତି। ଏହି ଘୋଟାଲାରେ କେବଳ ସମିତି ସେକ୍ରେଟାରୀଙ୍କ ସଂପୃକ୍ତି ରହିଛି ନା ଆଉ କାହାର ସଂପୃକ୍ତି ରହିଛି ତାହା ଏବେ ବି ରହସ୍ୟ ଘେରରେ ।

Advertisment
  • ସମବାୟ ସମିତିରୁ ଟଙ୍କା ଚଳୁ!
  • କେବେ ତଦନ୍ତ ସାରିବ ଭିଜିଲାନ୍ସ?

ମୁଣ୍ଡ ଝାଳ ତୁଣ୍ଡରେ ମାରି ସମବାୟ ସମିତିରେ ଜମା ଟଙ୍କା ରଖିଥିଲେ ଜମାକାରୀ। ଟଙ୍କା ଜମା ରଖିଥିବାର ପ୍ରମାଣପତ୍ର ମଧ୍ୟ ରହିଛି। କିନ୍ତୁ ସମବାୟ ସମିତିରେ ନାହିଁ ଜମାକାରୀଙ୍କ ଟଙ୍କା। ବାଲେଶ୍ବର ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧିନରେ ଥିବା ବାହାନଗା ବ୍ଲକ ପଣପନା ସମବାୟ ସମିତି ଅଧିନରେ ଏହି ହେରଫେର ହୋଇଥିବା ଅଭିଯୋଗ ହୋଇଛି। ୪ ବର୍ଷ ତଳେ ଏହି ଟଙ୍କା ଚଳୁର ଅଭିଯୋଗ ଆସିଥିଲା। ଆଉ ୨୦୨୧ରୁ ଭିଜିଲାନ୍ସ ତଦନ୍ତ କରୁଛି। କିନ୍ତୁ ଏହାର ଫଳଫଳ ଏଯାବତ ଅସ୍ପଷ୍ଟ ରହିଛି। ଦୁର୍ନୀତି ଦେଖିଲେ ଚାରିଆଡେ ରେଡ୍ କରି ବାଃ ବାଃ ନେଉଥିବା ଏହି ବିଭାଗ ଏହି ଘଟଣାରେ ଏଯାବତ କାହିଁକି ନିରବ? ତାହା ଏବେ ବଡ଼ ପ୍ରଶ୍ନ? ଯେତେବେଳେ ହଜାର ହଜାର ଲୋକ ନିଜ ଜମାଟଙ୍କା ନେବାକୁ ଅପେକ୍ଷା କରିଛନ୍ତି ଆଉ ବଡ଼ ଦୁର୍ନୀତିର ଆଭାସ ମିଳିଛି ସେତେବେଳେ ୪ ବର୍ଷ ହେଲା ଭିଜିଲାନ୍ସ ଚୁପ୍ କାହିଁକି?

  • କିଏ ଖାଇଗଲା ଲୋକଙ୍କ ଟଙ୍କା?
  • କାହାର ପ୍ରରୋଚନାରେ ଘୋଟାଲା?

ହଜାର ହଜାର ଜମାକାରୀ ଯେତେବେଳେ ସମବାୟ ସମିତିରୁ ଟଙ୍କା ଉଠାଇ ପାରିନଥିଲେ ସେତେବେଳେ ସାମ୍ନାକୁ ଆସିଥିଲା ଘୋଟଲାର ବାସ୍ନା। ଏହାପରେ ସମବାୟ ସମିତି ସେକ୍ରେଟେରୀଙ୍କୁ ନିଲମ୍ବନ କରାଗଲା । କିନ୍ତୁ ୪ ବର୍ଷ ହୋଇଗଲା ଜମାକାରୀଙ୍କ ହାତ ଖାଲି। ବଡ଼ କଥା ହେଉଛି ଗୋଟେ ସମବାୟ ସମିତିରେ ଏତେ ଟଙ୍କାର ଘୋଟାଲା ହେଲା କେମିତି? ନିୟମ ଅନୁସାରେ ବର୍ଷକୁ ଥରେ ଅଡିଟ ହେଉଥିଲା କି ନାହିଁ? ଟଙ୍କା ଉଠାଇବାକୁ ହେଲେ ପର୍ଯ୍ୟାୟ କ୍ରମରେ ଯିବାକୁ ହୁଏ । ତେଣୁ ଏହି ଘୋଟାଲାରେ ସେକ୍ରେଟାରୀ ସହ ସମିତି ସଦସ୍ୟ ବା ବ୍ୟାଙ୍କ କର୍ମଚାରୀଙ୍କ ସଂପୃକ୍ତି ଥିବା ଅଭିଯୋଗ ହୋଇଛି। ଭିଜିଲାନ୍ସକୁ ଦିଆଯାଇଥିବା ତଥ୍ୟରେ କିଛି ବ୍ୟାଙ୍କ କର୍ମଚାରୀଙ୍କ ସଂପୃକ୍ତି ଥିବା ଲେଖାଯାଇଛି। କିନ୍ତୁ ଏହାପରେ ବି କେଉଁ ଚାପରେ ଚୁପ ବସିଛି ଭିଜିଲାନ୍ସ।