ମଧ୍ୟାହ୍ନ ଭୋଜନ ପଲିଟିକ୍ସ ! ନବୀନ ନିବାସରେ ଗୋଟିଏ ଟେବୁଲରେ ଏକାଠି ହେବେ ଶାହା-ନବୀନ-ମମତା-ନୀତିଶ ।

367

କନକ ବ୍ୟୁରୋ : ନବୀନ ନିବାସରେ ମଧ୍ୟାହ୍ନ ଭୋଜନ ପଲିଟିକ୍ସ । ଆଜି ଗୋଟିଏ ଟେବୁଲରେ ଏକାଠି ହେବେ ଶାହା – ନବୀନ , ମମତା ଓ ନୀତିଶ । ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ , କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ମଧ୍ୟାହ୍ନ ଭୋଜନ ଦେବେ । ଏଥିପାଇଁ ନବୀନ ନିବାସ ଆସିବେ ଶାହା । ଏହି ଅବସରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ନବୀନ ଓ ଶାହାଙ୍କ ସହିତ ଯୋଗଦେବେ । ଏହି ମଧ୍ୟାହ୍ନ ଭୋଜନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସାମିଲ ହେବେ ।

ବର୍ତମାନ ନାଗରିକତା ସଂଶୋଧନ ଆଇନକୁ ନେଇ ବିରୋଧ ଭିତରେ ଯେତେବେଳେ ମମତା ବାନାର୍ଜୀ କେନ୍ଦ୍ର ବିରୋଧୀ ଆଭିମୁଖ୍ୟ ରଖୁଛନ୍ତି , ସେତେବେଳେ ନବୀନ ପଟ୍ଟନାୟକ ଗୋଟିଏ ଟେବୁଲରେ ଶାହା, ମମତା ଓ ନୀତିଶଙ୍କୁ ବସାଇବାରେ ସଫଳ ହେବାକୁ ଯାଉଛନ୍ତି । ଯାହାକି ଜାତୀୟ ରାଜନୀତିକୁ ବଡ ବାର୍ତା ଦେବାକୁ ଯାଉଛି । କାରଣ ଦୀର୍ଘ ସମୟ ଧରି ଶାହା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରେ ଥିଲେ । ଆଗକୁ ରହିଛି ପଶ୍ଚିମବଙ୍ଗ ଓ ବିହାର ବିଧାନସଭା ନିର୍ବାଚନ । ତା ସହିତ ଓଡିଶାରେ ୪ ରାଜ୍ୟସଭା ଆସନ ପାଇଁ ବି ନିର୍ବାଚନ ହେବ । ଏସବୁକୁ ଦେଖିଲେ ଆଜି ଓଡିଶା ମୁଖ୍ୟମନ୍ତ୍ରୀଙ୍କ ସହିତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ମମତା ଓ ନୀତିଶଙ୍କ ଗୋଟିଏ ଟେବୁଲରେ ବସି ମଧ୍ୟାହ୍ନ ଭୋଜନ କରିବା ରାଜନୈତିକ ଚର୍ଚାକୁ ଜୋର କରିଛି । ତେବେ ନବୀନଙ୍କ ସହିତ ଶାହା, ମମତା ଓ ନୀତିଶଙ୍କ ଗୋଟିଏ ଟେବୁଲରେ ଏକାଠି ହେବା ଘଟଣାକୁ ଔପଚାରିକତା ବୋଲି ବିଜୁ ଜନତା ଦଳ ପକ୍ଷରୁ କୁହାଯାଇଛି ।

ନବୀନ ନିବାସରେ ମଧ୍ୟାହ୍ନ ଭୋଜନ କରିବା ପରେ ଅମିତ ଶାହ ଭୁବନେଶ୍ୱରରେ ସିଏଏ ସମର୍ଥନ ସମାବେଶରେ ସାମିଲ ହେବେ । ଜନତା ମଇଦାନରେ ଏହି ସମାବେଶ ହେବ । ଏଥିରେ ରାଜ୍ୟ ନେତୃବୃନ୍ଦ ବି ସାମିଲ ହେବେ । ନାଗରିକତା ସଂଶୋଧନ ଆଇନକୁ ନେଇ ଦିଲ୍ଲୀରେ ହିଂସା ଓ ଦେଶବ୍ୟାପୀ ଅସନ୍ତୋଷ ପରିପ୍ରେକ୍ଷୀରେ ସମାବେଶରେ ଅମିତ ଶାହ କଣ କହୁଛନ୍ତି ସେ ଉପରେ ସମସ୍ତଙ୍କ ନଜର ରହିଛି । ସମାବେଶରେ ସାମିଲ ପାଇଁ ବିଭିନ୍ନ ସ୍ଥାନରୁ ବିଜେପି ସମର୍ଥକମାନେ ଭୁବନେଶ୍ୱର ଆସି ପହଞ୍ଚିଛନ୍ତି ।