କନକ ବ୍ୟୁରୋ : ଏଣିକି ପ୍ରବାସୀ ଓଡ଼ିଆ ଭାଇଭଉଣୀମାନେ ବି ଓଡ଼ିଶାର ଯେକୌଣସି ବିଦ୍ୟାଳୟ ବା କଲେଜରେ ପାଠାଗାର, କ୍ରୀଡ଼ା ଭିତ୍ତିଭୂମି ତଥା ଅନୁଷ୍ଠାନର ଅନ୍ୟାନ ସାମଗ୍ରିକ ବିକାଶ ପାଇଁ ଆର୍ଥିକ, ବୌଦ୍ଧିକ, ମାନସିକ ତଥା ଶାରୀରିକ ଅବଦାନ ରଖି ପାରିବେ । ଏଥିପାଇଁ ବିଲ୍ଡ ଓଡ଼ିଶା ନାମକ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି ।
ଗତକାଲି ଅନ୍ଲାଇନ୍ ଯୋଗେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶ୍ବର ବିଭିନ୍ନ ସ୍ଥାନରେ ବସବାସ କରୁଥିବା ବିଶିଷ୍ଟ ଓଡ଼ିଆ ବ୍ୟକ୍ତିତ୍ବମାନେ ଯୋଗ ଦେଇ ଏ ବାବଦରେ ବିଶଦ୍ ଆଲୋଚନା କରିଥିଲେ। ଆମେରିକାସ୍ଥିତ ଇ-ଗୁରୁକୁଳ ସଂଗଠନର ନିର୍ଦ୍ଦେଶିକା ତଥା ଓଡ଼ିଶା ସୋସାଇଟି ଅଫ୍ ଆମେରିକାର ପୂର୍ବତନ ଅଧ୍ୟକ୍ଷା କୁକୁ ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ୱେବିନାର୍ରେ ମୋ ସ୍କୁଲ ଅଭିଯାନର ଅଧ୍ୟକ୍ଷା ସୁସ୍ମିତା ବାଗ୍ଚୀ ଓ ମୋ କଲେଜ ଅଭିଯାନର ଅଧ୍ୟକ୍ଷ ଆକାଶ ଦାସନାୟକ ଅତିଥି ଭାବରେ ଯୋଗ ଦେଇ ପ୍ରବାସୀ ଓଡ଼ିଆମାନଙ୍କ ଏହି ପ୍ରୟାସକୁ ଉଚ୍ଚ ପ୍ରଶଂସା କରିଥିଲେ।
କାର୍ଯ୍ୟକ୍ରମର ଆଭିମୁଖ୍ୟ ବିଷୟରେ ଶ୍ରୀମତୀ ଦାସ ଅବଗତ କରାଇଥିବା ବେଳେ ଆମେରିକାରୁ ଉତ୍କଳ ନାୟକ ଏହାର ଉଦ୍ଦେଶ୍ୟ, ବ୍ୟବସ୍ଥା ଓ ପରିଚାଳନା ସମ୍ପର୍କିତ ଡିଜିଟାଲ ଉପସ୍ଥାପନା ରଖିଥିଲେ। କାର୍ଯ୍ୟକ୍ରମକୁ ଗ୍ଲୋବାଲ ଓଡିଆ ଡାୟସ୍ପୋରା ମାଧ୍ୟମରେ କିପରି ପରିଚାଳନା କରାଯିବ, ତାହା ବାହାରିନ୍ ଓଡ଼ିଆ ସମାଜର ଅଧ୍ୟକ୍ଷ ଡ. ଅରୁଣ କୁମାର ପ୍ରହରାଜ କହିଥିଲେ ।
ମୋ ସ୍କୁଲ ଓ ମୋ କଲେଜ କାର୍ଯ୍ୟକ୍ରମ ମାଧ୍ୟମରେ ନିଜ ବିଦ୍ୟାଳୟ ଓ କଲେଜର ସର୍ବାଙ୍ଗୀନ ଉନ୍ନତିରେ ଭାଗୀଦାରି ହେବାର ସୁଯୋଗ ଦେଇଥିବାରୁ ଓଡ଼ିଶା ସରକାରଙ୍କୁ ନୂଆଦିଲ୍ଲୀସ୍ଥିତ ଓଡ଼ିଆ ବୁଦ୍ଧିଜୀବୀ ଫୋରମ୍ ‘ଦି ଇଣ୍ଟେଲେକ୍ଟସ’ର ଅଧ୍ୟକ୍ଷ ଦେବେନ୍ଦ୍ରନାଥ ରାଉତ କୃତଜ୍ଞତା ଜ୍ଞାପନ କରିବା ସହ କାର୍ଯ୍ୟକ୍ରମରେ ଉପସ୍ଥିତ ଓଡ଼ିଆ ଭାଇଭଉଣୀଙ୍କୁ ଧନ୍ୟବାଦ ଦେଇଥିଲେ ।