କନକ ବ୍ୟୁରୋ: ବିଜେପି ସରକାରଙ୍କ ସବୁଠାରୁ ଆକର୍ଷଣୀୟ ଯୋଜନା ସୁଭଦ୍ରା। କାଲି ବଜେଟରେ ଏହି ଯୋଜନା ପାଇଁ ବ୍ୟୟବରାଦ ହେବା ପରେ ସମସ୍ତଙ୍କ ଭିତରେ ଉତ୍କଣ୍ଠା ବଢି ଯାଇଛି। କେବେ ଠାରୁ ଏହି ଯୋଜନା ଆରମ୍ଭ ହେବ ଓ କେତେ ମହିଳାଙ୍କୁ ଟଙ୍କା ମିଳିବ। ଏସବୁ ପ୍ରଶ୍ନର ଉତ୍ତର କନକ ନ୍ୟୁଜରେ ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା। ତାଙ୍କ ସୂଚନା ଅନୁସାରେ, ସେପ୍ଟେମ୍ୱର ୧୭ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଯୋଜନାର ଶୁଭାରମ୍ଭ ହେବ। ସେହିପରି ପ୍ରାୟ କୋଟି ମହିଳାଙ୍କୁ ସୁଭଦ୍ରା ଯୋଜନାରେ ଟଙ୍କା ମିଳିବ ବୋଲି କହିଛନ୍ତି ମନ୍ତ୍ରୀ।
ରାଜ୍ୟ ବଜେଟରେ ସୁଭଦ୍ରା ଯୋଜନା ପାଇଁ ବ୍ୟୟବରାଦ ପରେ ସମସ୍ତଙ୍କ ଭିତରେ ଉତ୍କଣ୍ଠା ବଢିଯାଇଛି। ବିଜେଡିକୁ କ୍ଷମତାଚ୍ୟୁତ କରି ବିଜେପି ସରକାରକୁ ଆସିବା ପଛରେ ଏହି ଗୋଟିଏ ଯୋଜନା, ସବୁଠୁ ବଡ ଗେମଚେଞ୍ଜର ବୋଲି କୁହାଯାଉଛି। ତେଣୁ ସରକାର ଏବେ ତାଙ୍କ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବାରେ ଜୋର ଲଗାଇ ଦେଇଛନ୍ତି। ମହିଳା ଓ ଶିଶୁ ବିକାଶ ବିଭାଗକୁ ନିଜ ହାତରେ ରଖିଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି ସେପ୍ଟେମ୍ୱର ୧୭ରେ ରାଜ୍ୟରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ହେବ।
ଏହି ବହୁ ପ୍ରତିକ୍ଷିତ ଯୋଜନାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ରାଜ୍ୟରେ ଲାଗୁ କରିବାକୁ ଯୋଜନା କରିଛନ୍ତି ମୋହନ ସରକାର। ଯୋଜନା ପାଇଁ ୧୦ ହଜାର କୋଟି ଟଙ୍କା ବ୍ୟୟବରାଦ କରିଥିବାରୁ କେତେ ମହିଳାଙ୍କୁ ଯୋଜନାର ଲାଭ ମିଳିବ ତାକୁ ନେଇ ସନ୍ଦେହ ବଢୁଛି। ଆଉ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ପ୍ରାୟ ୧ କୋଟି ମହିଳାଙ୍କୁ ସୁଭଦ୍ରା ଯୋଜନାର ଲାଭ ପହଞ୍ଚାଇବା ପାଇଁ ସରକାର ପ୍ରୟାସ କରୁଛନ୍ତି। ଏଥିପାଇଁ ଆବଶ୍ୟକ ପଡିଲେ ଅଧିକ ବଜେଟର ମଧ୍ୟ ବନ୍ଦୋବସ୍ତ କରାଯିବ।
ସୁଭଦ୍ରା ଯୋଜନାରେ କେତେ ହିତାଧିକାରୀଙ୍କୁ କେଉଁ ଆଧାରରେ ଟଙ୍କା ମିଳିବ ସେନେଇ ଅଗଷ୍ଟ ୧୫ ସୁଦ୍ଧା ଏସଓପି ଚୂଡାନ୍ତ ହୋଇଯିବ। ତେଣୁ ସୋସିଆଲ ମିଡିଆରେ ପ୍ରଚାର ହେଉଥିବା ଗୁଜବକୁ ବିଶ୍ୱାସ ନକରିବାକୁ ପରାମର୍ଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ।
କ୍ଷମତାକୁ ଆସିଲେ ପ୍ରତ୍ୟେକ ମହିଳାଙ୍କୁ ୫୦ ହଜାର ଟଙ୍କାର କୁପନ ଦେବାକୁ ଘୋଷଣା କରିଥିଲା ବିଜେପି। ୨ ବର୍ଷରେ ଏହି କୁପନକୁ ଖର୍ଚ୍ଚ କରିପାରିବେ ମହିଳା। ସଂପୂର୍ଣ୍ଣ ଏସଓପି ଆସିବା ପରେ ଟଙ୍କା ବଂଟା ପ୍ରକ୍ରିୟା ଓ ଏହାକୁ ଖର୍ଚ୍ଚ କରିବାର ନିୟମ ସଂପର୍କରେ ଅଧିକ ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି ।
Follow Us