ସ୍ୱାଭିମାନ ଅଂଚଳରେ ସାମ୍ନାକୁ ଆସିଲା ବିକାଶର ଅସଲ ଚିତ୍ର । ସ୍ୱଚ୍ଛ ଭାରତ ମିଶନରେ ଆସିଥିବା ଟଙ୍କା ମିଳିମିଶି ଖାଇଗଲେ ବାବୁ ଓ ଠିକାଦାର, କାଗଜପତ୍ରରେ ପାଇଖାନା ଟାର୍ଗେଟ ପୂରଣ

515
କନକ ବ୍ୟୁରୋ: ଗୁରୁପ୍ରିୟା ସେତୁ ନିର୍ମାଣ ପରେ ବିକାଶର ନୂଆ ଆଲୋକ ଦେଖୁଛି ସ୍ୱାଭିମାନ ଅଂଚଳ । ବିଭିନ୍ନ ଯୋଜନା ଜରିଆରେ ଅନେକ ଉନ୍ନୟନ ମୁଳକ କାମ ଜାରି ରହିଛି । ଏଥିପାଇଁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା । ତେବେ ବିକାଶ ଆଳରେ ଚାଲିଛି ବ୍ୟାପକ ଦୁର୍ନୀତି । କନକ ନ୍ୟୁଜ ହାତରେ ଏମିତି କିଛି ତଥ୍ୟ ଆସିଛି, ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସରକାରୀ ରିପୋର୍ଟ ଅନୁସାରେ ସ୍ୱଚ୍ଛ ଭାରତ ମିଶନରେ ପୂରା ସ୍ୱାଭିମାନ ଅଂଚଳରେ ପାଇଖାନା ନିର୍ମାଣ କାମ ଶେଷ ହୋଇଛି । ତେବେ ଗ୍ରାଉଣ୍ଡ ଜିରୋରୁ ଯେଉଁ ଚିତ୍ର କନକ ନ୍ୟୁଜ କ୍ୟାମେରାରେ କଏଦ ହୋଇଛି, ତାହା ସାଧାରଣ ଦୁର୍ନୀତି ନୁହେଁ, ବରଂ ଏକ ମହାଘୋଟାଲା ଆଡକୁ ଇସାରା କରୁଛି । କାଗଜ କଲମରେ ପାଇଖାନା ନିର୍ମାଣ କରି ମିଳିମିଶି ଅର୍ଥ ହଡପ କରିଛନ୍ତି ବାବୁ ଓ ଠିକାଦାର ।
ଏ ଚିତ୍ର ସେଇ ସ୍ୱାଭିମାନ ଅଂଚଳର, ଯାହାର ତ୍ୱରିତ ବିକାଶର କଥା କହି ପୁଲିସ-ପ୍ରଶାସନଠାରୁ ଆରମ୍ଭ କରି ରାଜ୍ୟ ସରକାର, ଏବେ ସମସ୍ତେ ଗର୍ବିତ । ତେବେ ଏହି ଅପହଁଚ ଇଲାକାରେ ମାଓ ଭୟର ଆଳ ଦେଖାଇ ସରକାରୀ ଅର୍ଥକୁ ମିଳିମିଶି ଚଳୁ କରୁଛନ୍ତି ବାବୁ ଓ ଠିକାଦାର । ଅପହଁଚ ଇଲାକାରେ ସାମଗ୍ରୀର ଅଭାବ ଯୋଗୁଁ ସିମେଂଟ କିମ୍ବା ଇଟା ତିଆରି ପାଇଖାନା ପରିବର୍ତେ, ଟିଣ ତିଆରି ପାଇଖାନା ନିର୍ମାଣ ଲାଗି ମଂଜୁରି ଦେଲେ ସରକାର । ତେବେ ଏ ହେଉଛି ଟିଣରେ ତିଆରି ପାଇଖାନାର ବାସ୍ତବ ଚିତ୍ର ।
ତେବେ ସ୍ୱଚ୍ଛ ଭାରତ ମିଶନର ୱେବସାଇଟ ମୁତାବକ ଏହି ସବୁ ପାଇଖାନାର ନିର୍ମାଣ କାମ ସରି ଯାଇଛି । ଆଉ ଗ୍ରାଉଣ୍ଡ ଜିରୋରେ ଯେଉଁ ତଥ୍ୟ ମିଳିଛି, ତାହା ଜାଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ । ଏ ହେଉଛି ଯୋଡାମ୍ବ ପଂଚାୟତର ଦାର୍ଲାବେଡା ଗାଁ । ୨୦୧୯ – ୨୦ ଆର୍ôଥକ ବର୍ଷରେ ଏହି ଗାଁରେ ମୋଟ ୬୩ଟି ଟିଣ ପାଇଖାନା ତିଆରି ହୋଇଥିବା ସରକାରୀ ରିପୋର୍ଟ କହୁଛି । ୱେବସାଇଟରେ ଫଟୋ ଅଲୋଡ ହୋଇଛି, ଜିଓ ଟ୍ୟାଗିଙ୍ଗ ମଧ୍ୟ ହୋଇଛି, ସମ୍ପୃକ୍ତ ଭେଣ୍ଡରକୁ ପି.ଏଫ.ଏମ.ଏସ ପ୍ଲାଟଫର୍ମ ମାଧ୍ୟମରେ ଟଙ୍କା ମଧ୍ୟ ଦିଆସରିଛି । ଦର୍ଲାବେଡା ଗାଁର ବୁଦୁ ଖରାଙ୍କୁ ଗତ ଦଶହରା ସମୟରେ ଟିଣ ପାଇଖାନା ମିଳିଥିଲା, ପରେ ଆସି ଲଗାଇ ଦେବେ କହିଲେ, ଆଉ ଆସିଲେ ନାହିଁ । ଆଇ ସେଇ ପାଇଖାନା ଏବେ ବୁଦୁଙ୍କ ଘର କାନ୍ଥରେ ।
ସ୍ୱାଭିମାନ ଅଂଚଳରେ କନକ ନ୍ୟୁଜ ଟିମ ଯେତେ ଭିତରକୁ ଭିତରକୁ ଯାଉଥିଲା, ଘୋଟାଲାର ବଡ଼ ବଡ଼ ଚିତ୍ର ଜଳ ଜଳ ହୋଇ ଦିଶୁଥିଲା । ପଣସପୁଟର ସିନ୍ଧିପୁଟ ଗାଁର ଭିନ୍ନକ୍ଷମ ଯୁବକ ଜୟ ଆଲାଙ୍ଗ । ଜୟଙ୍କ ସମେତ ଭାଇ ରାମ ଆଲାଙ୍ଗ ନାଁରେ ଦୁଇଟି ପାଇଖାନା ମଂଜୁର ହୋଇଥିଲା । ଠିକ ବର୍ଷକ ପୂର୍ବେ ଘର ପଛପଟେ ଏଣେ ତେଣେ ପୋତି ଫଟୋ ଉଠାଇ ଚାଲି ଗଲେ ଠିକାଦାର । ତେବେ ନାଁ ଅଛି ସିମେଂଟ କିମ୍ବା ନନ୍ଦ ତିଆରି ପିଟ୍ ନା ପାଇପ୍ ନା ଘୋଡଣି । ସିନ୍ଧିପୁଟ ଗାଁର ସମସ୍ତ ୪୧ ଗ୍ରାମବାସୀଙ୍କ ପାଇଖାନା କଗଜ ପତ୍ରରେ ସରିଛି । ଆଉ ଏ ହେଉଛି ତାହାର ବାସ୍ତବ ଚିତ୍ର ।  କେଉଁଠି କୁକୁଡା ଘର ତୋ ଆଉ କେଉଁଠି ଗୋଦାମ ।
କେବଳ ଏତିକି ନୁହେଁ, ପଣସପୁଟ ପଂଚାୟତ ବେଜିଂ ଗାଁ ଭଳି ଏମିତି କିଛି ଗାଁ ରହିଛି ଯେଉଁଠି ଆଦୌ ପାଇଖାନା ନିର୍ମାଣ ହୋଇନାହିଁ, ତେବେ କାଗଜପତ୍ରରେ ପୂରା ଗାଁ ଏବେ ବାହ୍ୟ ମଳମୁକ୍ତ ଗାଁର ମାନ୍ୟତା ପାଇଛି ।
ପଢ଼ନ୍ତୁ ୱେବସାଇଟରେ ମିଳିଥିବା ତଥ୍ୟ –
୨୦୧୯ – ୨୦ରେ ସ୍ୱାଭିମାନ ଅଂଚଳର ୯ ପଂଚାୟତରେ ମୋଟ ୪୪୯୪ରୁ ୪୦୫୪ଟି ପାଇଖାନା ନିର୍ମାଣ 
ପ୍ରତି ପାଇଖାନା ଲାଗି ୧୨,୦୦୦ ଟଙ୍କା ଅନୁଦାନ ଏବଂ ସ୍ୱାଭିମାନ ଅଂଚଳ ଲାଗି ୩୦୦୦ ଟଙ୍କା ପ୍ରୋତ୍ସାହନ  
୪୦୫୪ ପାଇଖାନା ଲାଗି ଖର୍ଚ୍ଚ ହୋଇଛି ୬ କୋଟି ୮ ଲକ୍ଷ ୧୦ ହଜାର ଟଙ୍କା 
ସେହିପରି ଚିତ୍ରକୋଣ୍ଡା ବ୍ଲକର ୧୮ଟି ପଂଚାୟତରେ ୬୯୯୩ ପାଇଖାନା ପାଇଁ ଖର୍ଚ୍ଚ ହୋଇଛି ପ୍ରାୟ ସାଢ଼େ ୧୦ କୋଟି 
ଅଭିଯୋଗ ହେଉଛି ବାବୁ ଓ ଠିକାଦାର ମିଳିମିଶି ପାଇଖାନା ଟଙ୍କା ହଡପ କରି ଦେଇଛନ୍ତି । ସେପଟେ ଜିଲ୍ା ପ୍ରଶାସନର ବରିଷ୍ଠ ଅଧିକାରୀ କହିଛନ୍ତି, ଅଭିଯୋଗ ହେବା ପରେ କମିଟି ଗଠନ କରି ଏ ନେଇ ତଦନ୍ତ ଆରମ୍ଭ କରାଯାଇଛି ।