ପଶ୍ଚିମବଙ୍ଗ ମୁହାଁ ‘ବୁଲବୁଲ’: ପାରାଦୀପଠୁ ୪୫୦ କିମି ଦୂରରେ ବାତ୍ୟା; ଓଡ଼ିଶା ଛୁଇଁବନି, ହେଲେ ଓଡ଼ିଶାରେ ପ୍ରବଳ ବର୍ଷିବ

୬ କିଲୋମିଟର ବେଗରେ କରୁଛି ଗତି

1,817

କନକ ବ୍ୟୁରୋ: ପଶ୍ଚିମବଙ୍ଗ ମୁହାଁ ଭୀଷଣ ସାମୁଦ୍ରିକ ଝଡରେ ବୁଲବୁଲ । ଗତ ୬ ଘଂଟା ହେଲା ଏହା ଉତ୍ତର ପଶ୍ଚିମ ଦିଗକୁ ଘଂଟାପ୍ରତି ୬ କିଲୋମିଟର ବେଗରେ ଗତି କରୁଛି । ବର୍ତ୍ତମାନ ଏହା ପାରାଦୀପର ଦକ୍ଷିଣ ଏବଂ ଦକ୍ଷିଣ ପୂର୍ବରେ ୪୫୦ କିଲୋମିଟର ଦୂରରେ ରହିଛି । ଏବଂ ପଶ୍ଚିମବଙ୍ଗର ସାଗର ଆଇସଲାଣ୍ଡର ଦକ୍ଷିଣରେ ୫୮୦ କିମି ଓ ବାଲାଂଦେଶର ଖେପୁପରାଠାରୁ ଦକ୍ଷିଣପଶ୍ଚିମକୁ ୬୭୦ କିମି ଦୂରରେ ରହିଛି । ୯ ତାରିଖ ସକାଳ ପର୍ଯ୍ୟନ୍ତ ଆହୁରି ବଳ ଗୋଟାଇବ । ଏହା ପରେ ଆଗାମୀ ୧୨ ଘଂଟା ପର୍ଯ୍ୟନ୍ତ ଉତର-ଉତରପଶ୍ଚିମ ଦିଗରେ ଗତି କରିବା ପରେ ପୁଣି ଉତରକୁ ଗତି କରିବ ।

ତାପରେ ଏହା ଗତି ପଥ ପରିବର୍ତନ କରି ଉତରପୂର୍ବ ଦିଗରେ ଗତି କରି ୧୦ ତାରିଖ ସକାଳୁ ପଶ୍ଚିମବଙ୍ଗର ସାଗର ଆଇସଲାଣ୍ଡ ଓ ବାଂଲାଦେଶର ଖେପୁପରା ମଧ୍ୟରେ ସ୍ଥଳଭାଗ ଛୁଇଁବ । ତେବେ ଓଡିଶା ଉପରୁ ଟଳିଛି ବାତ୍ୟା ବିପଦ । ହେଲେ ଏହାର ପ୍ରଭାବରେ ଓଡିଶାରେ ପ୍ରବଳ ବର୍ଷାର ଆଶଙ୍କା ରହିଛି । ଆଜିିଠାରୁ ତିନି ଦିନ ଯାଏ ଉପକୂଳ ଓ ଉତର ଓଡିଶାରେ ପ୍ରବଳ ବର୍ଷା ହେବ । ଆଜି ପୁରୀ, କେନ୍ଦ୍ରାପଡା,ଭଦ୍ରକ ଓ ଜଗତସିଂହପୁରରେ ପ୍ରବଳ ବର୍ଷା ହେବ । ଆସନ୍ତାକାଲି ଉତର ଉପକୂଳଓଡିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବାଲେଶ୍ୱର, ଭଦ୍ରକ , କେନ୍ଦ୍ରାପଡାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାବେଳେ ମୟୂରଭଞ୍ଜ, କଟକ ଓ ଯାଜପୁର ଜିଲ୍ଳାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସମୟରେ ୫୫ କିଲୋମିଟର ବେଗରେ ପବନ ବି ବୋହିବ ।

ସେପଟେ, ବାତ୍ୟା ବୁଲବୁଲର ମୁକାବିଲା ନେଇ ପ୍ରସୁତି କରିଛନ୍ତି ରାଜ୍ୟ ସରକାର । ଏଥିପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଘନଘନ ବୈଠକ ବସିଛି । ବାତ୍ୟା ପଶ୍ଚିମବଙ୍ଗ ଓ ବାଂଲାଦେଶ ମୁହାଁ ହେଉଥିଲେ ବି ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଥିବା କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିସନର । ୯ଟି ଜିଲ୍ଲାକୁ ଓଡ୍ରାଫ୍ର ଦୁଇଟି ଟିମ୍ ଏବଂ ଏନ୍ଡିଆରଏଫ୍ର ଗୋଟିଏ ଟିମ୍ ପଠାଯାଇଛି । ଗଛ କଟା ମେସିନ୍ ମଧ୍ୟ ସଜାଗ ରହିଥିବା କହିଛନ୍ତି ଏସ୍ଆରସି । ଏହାକୁ ଦୃଷ୍ଟିରେ ରଖି ୮ ଓ ୯ ତାରିଖରେ ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡା ତିନିଟି ଜିଲ୍ଲାର ସବୁ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା ହୋଇଛି । ସେହିପରି ୯ ତାରିଖ ଦିନ ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ. ଯାଜପୁର, ଭଦ୍ରକ, ବାଲେଶ୍ୱର ଆଦି ୯ଟି ଜିଲ୍ଲାରେ ସ୍କୁଲ କଲେଜ ବନ୍ଦ୍ ରଖିବାକୁ ବୈଠକରେ ନିଷ୍ପତି ନିଆଯାଇଛି ।