ୱେଲମାର୍କ ଲୋ ପ୍ରେସରର ରୂପ ନେଲା ଲଘୁଚାପ । ଆସନ୍ତା ୨୪ ଘଂଟା ଭିତରେ ନେବ ଅବପାତର ରୂପ । ପ୍ରଭାବରେ ଉତ୍ତର ଓଡିଶାରେ ପ୍ରବଳ ଛେଚିବ

ସମୁଦ୍ର ଭିତରକୁ ନ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ପାଣିପାଗ ବିଭାଗର ଚେତାବନୀ

487

କନକ ବ୍ୟୁରୋ: ଉତରପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ୱେଲ ମାର୍କ ଲୋ ପ୍ରେସରର ରୂପ ନେଇସାରିଛି । ଆସନ୍ତା ୨୪ ଘଂଟା ମଧ୍ୟରେ ଏହା ଅବପାତର ରୂପ ନେବ । ଏହା ପ୍ରଭାବରେ ଉତର ଓଡିଶାର ପ୍ରବଳ ବର୍ଷାର ଚେତାବନୀ ଦିଆଯାଇଛି । ରାଜ୍ୟରେ ସର୍ବାଧିକ ବର୍ଷା ନବରଙ୍ଗପୁରରେ ୭୦ ମିଲିମିଟର ରେକର୍ଡ କରାଯାଇଛି ।

ଭୁବନେଶ୍ୱରରେ ୨୦.୬ ମିଲିମିଟର ବର୍ଷା ହୋଇଛି । ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ । ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଲାଗି ରହିଛି ବର୍ଷା । ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତୀୟ ପାଣିପାଗ ବିଭାଗ ୮ଟି ଜିଲ୍ଲାକୁ ରେଡ ଆଲର୍ଟ ଜାରି କରିଛି । ରେଡ ଆଲର୍ଟ ଜାରି ହୋଇଥିିବା ଜିଲ୍ଲାଗୁଡିକ ହେଲା ସମ୍ବଲପୁର, ଦେବଗଡ, ସୋନପୁର, ଅନୁଗୁଳ, ବରଗଡ, ଝାରସୁଗୁଡା, ସୁନ୍ଦରଗଡ ଓ ଢ଼େଙ୍କାନାଳ ।

ସେହିପରି ଏହି ସମୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, କେନ୍ଦ୍ରାପଡା, ଜଗତସିଂହପୁର, କେନ୍ଦୁଝର, ମୟୂରଭଞ୍ଜ,ବୌଦ୍ଧ, ବଲାଙ୍ଗୀର, ନୂଆପଡା, କଳାହାଣ୍ଡି, କନ୍ଧମାଳ ଓ ନବରଙ୍ଗପୁରରେ ବି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।  ବର୍ଷା ଜନିତ ସମ୍ଭାବ୍ୟ ବନ୍ୟା ଓ ଜଳବନ୍ଦୀ ମୁକାବିଲା ଲାଗି ପ୍ରସ୍ତୁତ ରହିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।