ପୁଣି ପାଗରେ ଆସିପାରେ ବଡ ପରିବର୍ତ୍ତନ । ୨୪ରୁ ଦୁଇଦିନ ବର୍ଷା, କେତେକ ସ୍ଥାନରେ କୁଆପଥର ବର୍ଷା ସହ ଘଂଟା ପ୍ରତି ୩୦ରୁ ୪୦ କିମି ବେଗରେ ବହିପାରେ ପବନ

ଆଜିଠୁ ରାଜ୍ୟର କିଛି ସ୍ଥାନରେ ଝିପିଝିପି ବର୍ଷା ସହ କୋହଲା ପାଗ

627

କନକ ବ୍ୟୁରୋ: ହିମାଚଳ ପ୍ରଦେଶ, ଦିଲ୍ଲୀ ଓ ଉତ୍ତରାଖଣ୍ଡ ଆକାଶରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଦକ୍ଷିଣ ପୂର୍ବ ଦିଗରେ ଗତି କରୁଛି। ଆସନ୍ତାକାଲି ସୁଦ୍ଧା ଏହା ଓଡ଼ିଶା ଉପରେ ରହିବ। ପ୍ରଭାବରେ ରାଜ୍ୟରେ ୨୪ ଓ ୨୫ ତାରିଖରେ ବର୍ଷା ହେବ। କେତେକ ସ୍ଥାନରେ କୁଆପଥର ବର୍ଷା ସହ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଭୁବନେଶ୍ବର ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ, ଆଜିଠାରୁ ରାଜ୍ୟର କିଛି ସ୍ଥାନରେ ଝିପିଝିପି ବର୍ଷା ସହ ପାଗ କୋହଲା ରହିବ। ଉତ୍ତର ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ଆକାଶ ମେଘାଚ୍ଛନ୍ନ ରହିବ। ୨୪ ଓ ୨୫ ତାରିଖରେ ବର୍ଷା ହେବ। ୨୪ ତାରିଖରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା, କଟକ, ଯାଜପୁର, ଭଦ୍ରକ, ସୋନପୁର, ବୌଦ୍ଧ, ନୟାଗଡ଼ରେ କୁଆପଥର ବର୍ଷା ସହ ମଧ୍ୟମ ଧରଣର ବର୍ଷା ହୋଇପାରେ। ତେବେ ସମ୍ବଲପୁର ଓ ଦେବଗଡ଼ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି।

ସେହିପରି ୨୫ ତାରିଖରେ ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଯାଜପୁରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ଉପକୂଳ ଓଡ଼ିଶା ସମେତ ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, କନ୍ଧମାଳ ଓ ବୌଦ୍ଧରେ କୁଆପଥର ବର୍ଷା ସହ ବିଜୁଳି ଓ ଘଡ଼ଘଡ଼ି ମାରିବ। ତେଣୁ ଏହି ସମସ୍ତ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ୨୬ତାରିଖ ସକାଳୁ ସାରା ରାଜ୍ୟରେ ପାଗ ଶୁଖିଲା ହେବାକୁ ଥିଲେ ହେଁ ମୟୂରଭଞ୍ଜ ଓ ରାୟଗଡ଼ାର କେତେକ ସ୍ଥାନରେ ଝିପିଝିପି ବର୍ଷା ହୋଇପାରେ। ଅପରପକ୍ଷେ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ କୁହୁଡ଼ି ପଡ଼ିପାରେ।