ପ୍ରବଳରୁ ଅତି ପ୍ରବଳ ଛେଚିବ! ରାଜ୍ୟର ୯ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପାଣିପାଗ କେନ୍ଦ୍ରର ସତର୍କ ଘଂଟି । ବର୍ଷା ପାଇଁ ଏସବୁ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି, ସୃଷ୍ଟି ହୋଇପାରେ ବନ୍ୟାସ୍ଥିତି

684

କନକ ବ୍ୟୁରୋ: ଉତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ୱେଲମାର୍କ ରୂପ ନେଇଛି । ଏହାର ପ୍ରଭାବରେ ଆଜିଠାରୁ ପ୍ରବଳରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଉତର ଆଭ୍ୟନ୍ତରୀଣ ଜିଲ୍ଲାଗୁଡିକୁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି । ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି, ପ୍ରବଳ ବର୍ଷା କାରଣରୁ ୯ଜିଲ୍ଲାରେ ସୃଷ୍ଟି ହୋଇପାରେ ବନ୍ୟାସ୍ଥିତି । ଏହି ଜିଲ୍ଲାଗୁଡିକ ହେଲା ସମ୍ବଲପୁର, ସୋନପୁର, ଝାରୁସୁଗୁଡା, ବରଗଡ , ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି ସୁନ୍ଦରଗଡ ଓ ଦେଓଗଡ । ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ । ଏହି ଜିଲ୍ଳା ଗୁଡିକୁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି ।  ଏଥିସହ  ଅନୁଗୁଳ, ନୂଆପଡା, ନବରଙ୍ଗପୁର, କେନ୍ଦୁଝର, ଢେଙ୍କାନାଳ, ମୟୁରଭଞ୍ଜ ଓ କନ୍ଧମାଳରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।

ସେହିଭଳି ବରଗଡ ଝାରୁସୁଗୁଡା,  ସୁନ୍ଦରଗଡ ଓ ସମ୍ବଲପୁରରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।  ଗତକାଲି ତଳମୁଣ୍ଡରେ ବର୍ଷା ହୋଇଥଲା । ଆଜିଠାରୁ ଉପରମୁଣ୍ଡରେ ବର୍ଷା ହୋଇପାରେ । ଲଘୁଚାପ ବର୍ଷା ଯୋଗୁଁ ମହାନଦୀ, ବୈତରଣୀ ଓ ଜଳକା ନଦୀର ଜଳସ୍ତର ବଢିବା ସମ୍ଭାବନା ରହିଛି । ୨୮ ତାରିଖ ଦିନ ବର୍ଷାର ପରିମାଣ କମିବ । ଉତର ଓ ପଶ୍ଚିମ ସୀମାନ୍ତ ଅଂଚଳରେ ବର୍ଷାର ପରିମାଣ ବଢିବ । ଆସନ୍ତା ୨ରୁ ୩ ଦିନ ଛତିଶଗଡରେ ବର୍ଷାର ପରିମାଣ ଅଧିକ ହେବାର ସମ୍ଭାବନା ଥିବାରୁ  ୨୭ ତାରିଖ ବେଳକୁ ମହାନଦୀ ଫୁଲିବାର ଆଶଙ୍କା ରହିଛି । ସୁନ୍ଦରଗଡରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ବ୍ରାହ୍ମଣୀ ନଦୀ ଫୁଲିବାର ଆଶଙ୍କା ରହିଛି ।

ଅନ୍ୟପଟେ ପାଣିପାଗ ବିଭାଗର ବର୍ଷା ଆକଳନ ପରେ ସତର୍କ ହୋଇଛନ୍ତି ସରକାର । ଲଘୁଚାପ ଜନିତ ବର୍ଷା ପରିସ୍ଥିତିର ମୁକାବିଲା ପାଇଁ ସଜାଗ ରହିବାକୁ ଜିଲ୍ଲାପାଳଙ୍କୁ ସତର୍କ କରାଇଛନ୍ତି ସ୍ୱତନ୍ତ୍ର ରିଲିଫ କମିସନର । ବର୍ଷା ଯୋଗୁଁ ତଳି ଅଂଚଳ ପାଣି ଜମି ରହିବ । କେତେକ ସ୍ଥାନରେ ରାସ୍ତା ଉପରେ ପାଣି ପ୍ରବାହିତ ହେବା ସହ କଚ୍ଚା ଘର ଭାଙ୍ଗିବାର ଆଶଙ୍କା ରହିଛି । ତେଣୁ ବର୍ଷା ଯୋଗୁଁ ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଜିଲ୍ଲାପାଳମାନେ ସତର୍କ ରହିବା ପାଇଁ କୁହାଯାଇଛି ।