ବଲାଣିର ଲସର୍ଦ୍ଦା ଗାଁରେ ଅଘଟଣ : ସ୍ୱାମୀ ଓ ସ୍ତ୍ରୀଙ୍କୁ ଆଖି ବୁଜା ଗୁଳିମାଡ଼ କଲେ ଦୁର୍ବୃତ୍ତ; କାରଣ ଅସ୍ପଷ୍ଟ, ପୋଲିସର ତଦନ୍ତ ଜାରି

80

କନକ ବ୍ୟୁରୋ : କେନ୍ଦୁଝର ଜିଲ୍ଲା ବଲାଣି ଥାନା ଲସର୍ଦ୍ଦା ଗାଁରେ ଅଘଟଣ । ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଦମ୍ପତିଙ୍କର ମୃତ୍ୟୁ ଘଟିଛି । ମୃତ ଦମ୍ପତିଙ୍କ ପରିଚୟ ଲକ୍ଷ୍ମୀଧର ଆପଟ ଓ ତାଙ୍କ ପତ୍ନୀ ମଞ୍ଜୁଲତା ଆପଟ ବୋଲି ଜଣାପଡ଼ିଛି । ସୋମବାର ରାତି ପ୍ରାୟ ୯ଟା ବେଳେ ୪ରୁ ୫ଜଣ ଦୁର୍ବୃତ୍ତ ଦୁଇଟି ବାଇକରେ ଆସି ଦମ୍ପତି ଘର ଆଗରେ ପହଞ୍ଚିଥିଲେ । ସେହି ସମୟରେ ଜଣେ ଦୁର୍ବୃତ୍ତ ଲକ୍ଷ୍ମୀଧରଙ୍କୁ ଦୋକାନ ଖୋଲିବାକୁ ଡାକିଥିଲା ।

ଲକ୍ଷ୍ମୀଧର ଦୋକାନ ଖୋଲିବା ମାତ୍ରକେ ଦୁର୍ବୃତ୍ତ ତାଙ୍କ ଉପରକୁ ଗୁଳିବର୍ଷା କରିଥିଲା । ଗୁଳି ଶବ୍ଦ ଶୁଣି ସ୍ତ୍ରୀ ଓ ପୁଅ ଦୌଡ଼ି ଆସିଥିଲେ । ଦୁର୍ଭାଗ୍ୟବଶତ ଲକ୍ଷ୍ମୀଧରଙ୍କ ପତ୍ନୀଙ୍କୁ ମଧ୍ୟ ଗୁଳି ବାଜିଥିଲା । ତେବେ ତାଙ୍କ ପୁଅ ବର୍ତ୍ତି ଯାଇଥିଲେ । ସ୍ୱାମୀ ଓ ସ୍ତ୍ରୀଙ୍କୁ ବଡ଼ବିଲ୍ ମେଡିକାଲ ନିଆଯାଇଥିଲା । ଯେଉଁଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ବଲାଣି ପୋଲିସ ତଦନ୍ତ ଜାରି ରଖିଛି ।