କନକ ବ୍ୟୁରୋ : ଶାନ୍ତ ହୋଇଗଲେ ସ୍ୱରର ସରସ୍ୱତୀ ଲତା ମଙ୍ଗେସକର । ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକର ଦୀର୍ଘ ୨୯ ଦିନ ଭେଣ୍ଟିଲେଟରରେ ରହିବା ପରେ ୯୨ ବର୍ଷ ବୟସରେ ଆଖି ବୁଜିଛନ୍ତି । କିଛି ଦିନ ପୂର୍ବେ ଲତାଙ୍କର ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଆସିଥିଲା । କିନ୍ତୁ ଶନିବାର ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଅବନତି ଦେଖା ଦେବା ପରେ ତାଙ୍କୁ ପୁଣିଥରେ ଭେଣ୍ଟିଲେଟରକୁ ନିଆଯାଇଥିଲା । ଆଉ ଶତଚେଷ୍ଟା ପରେ ମଧ୍ୟ ସ୍ୱର ସାମ୍ରାଜ୍ଞୀ ଶେଷରେ ଆଖି ବୁଜିଥିଲେ ।

Advertisment

ଲତାଙ୍କ ଚିକିତ୍ସା କରୁଥିବା ଟିମର ଡାକ୍ତର ପ୍ରତୀକ ସମଦାନୀଙ୍କ କହିବା ଅନୁଯାୟୀ, ଆଜି ସକାଳ ୮ଟା ୧୨ ମିନିଟ୍ ସମୟରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ଲତା । ହସ୍ପିଟାଲରେ ଦୀର୍ଘ ଦିନ ଧରି ଚିକିତ୍ସିତ ହେବା ପରେ ଆଜି ତାଙ୍କ ଶରୀରର ଅଧିକାଂଶ ଅଙ୍ଗ ଅକାମୀ ହୋଇ ଯାଇଥିଲା । ଫଳରେ ତାଙ୍କର ପରଲୋକ ହୋଇଥିଲା ବୋଲି କହିଛନ୍ତି ଡାକ୍ତର । ଏହାପୂର୍ବରୁ ଗତ ମାସରେ ଲତାଙ୍କଚ କରୋନା ହୋଇଥିଲା । ପରେ ତାଙ୍କୁ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା । କରୋନାର ସାମାନ୍ୟ ଲକ୍ଷଣ ଥିବା ବେଳେ ପରେ ତାଙ୍କ ଶରୀରରେ ନିମୋନିଆ ଦେଖିବାକୁ ମିଳିଥିଲା । ଯାହା ତାଙ୍କର ସ୍ୱାସ୍ଥ୍ୟବସ୍ଥାକୁ ଆହୁରି ବିଗାଡିଥିଲା । ଆଉ ଆଜି ସମସ୍ତଙ୍କୁ ଛାଡି ଅଫେରା ରାଇଜର ଅତିଥି ସାଜିଛନ୍ତି ଭାରତର ରତ୍ନ ।

ଆଉ ଲତାଙ୍କ ଦେହାନ୍ତରେ ପୂରା ଦେଶରେ ଶୋକର ଛାୟା ଖେଳିଯାଇଛି । ପୂରା ଦେଶ ଏବେ ଲତାଙ୍କୁ ଝୁରୁଛି । ତଥାପି ଲତାଙ୍କ କାଳଜୟୀ ତାଙ୍କୁ ସବୁବେଳେ ଲୋକଙ୍କ ମନରେ ଅମର ରଖିବ । ଲତାଙ୍କ ପରଲୋକରେ ଦେଶ ବିଦେଶର ଅନେକ ଲୋକ ଟ୍ୱିଟ୍ କରି ଶୋକପ୍ରକାଶ କରିଛନ୍ତି । ଏପରିକି ଲତାଙ୍କ ଶେଷ ଝଲକ ଦେଖିବାକୁ ମୁମ୍ବାଇର ବ୍ରିଚ୍ କାଣ୍ଡି ହସ୍ପିଟାଲ ସାମ୍ନାରେ ହଜାର ହଜାର ଲୋକଙ୍କର ଭିଡ ଜମିଛି । ଯେଉଁଥିପାଇଁ ହସ୍ପିଟାଲ ବାହାରେ ପୋଲିସ ସୁରକ୍ଷା ବଳୟ ତିଆରି କରିଛି । କାରଣ ବିଭିନ୍ନ କ୍ଷେତ୍ରରୁ ପ୍ରତିଷ୍ଠିତ ଲୋକ ଲତାଙ୍କୁ ଦର୍ଶନ କରିବାକୁ ହସ୍ପିଟାଲରେ ପହଞ୍ଚୁଛନ୍ତି ।

ଏସବୁ ଭିତରେ ଲତାଙ୍କ ପରଲୋକ ପାଇଁ  ଦେଶରେ ଦୁଇ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଏହି ଦୁଇ ଦିନ ଭାରତୀୟ ଜାତୀୟ ପତାକା ଅର୍ଦ୍ଧନମିତ ହୋଇ ରହିବ । ତେବେ ଲତାଙ୍କ ଶେଷ ଦର୍ଶନ ପାଇଁ ତାଙ୍କ ମରଶରୀରକୁ ପରେଡ ରୋଡସ୍ଥିତ ବାସଭବନକୁ ନିଆଯିବ । ଅପରାହ୍ନ ୧୨.୩୦ରୁ ୩ଟା ପର୍ଯ୍ୟନ୍ତ ଲତାଙ୍କ ଶେଷଦର୍ଶନ କରିବେ ଲୋକେ । ଆଉ ଏହାପରେ ଶିବାଜୀ ପାର୍କରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସନ୍ଧ୍ୟା ୬ଟା ୩୦ରେ ସ୍ୱର ସାମ୍ରାଜ୍ଞୀଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯିବ ।