କନକ ବ୍ୟୁରୋ: ଏ ମେରେ ୱତନ୍ କେ ଲୋଗୋ, ଜରା ଆଖଁ ମେଁ ଭରଲୋ ପାନି...ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ଏହି ଗୀତ ଦିନେ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଆଖିରେ ପାଣି ଭରିଦେଇଥିଲା । କେବଳ ନେହେରୁ ନୁହନ୍ତି ସବୁ ଭାରତୀୟଙ୍କ ହୃଦୟ ଛୁଇଁଥିବା ଏହି ଗୀତ ପାଇଁ ଲତା ଦିଦିଙ୍କୁ ସମସ୍ତେ ପୀଢି ପୀଢି ଧରି ମନେରଖିବେ ।

Advertisment

ଭାରତର ବୁଲବୁଲ କୁହାଯାଉଥିବା ମେଲୋଡି କ୍ୱିନ୍ ଲତା ମଙ୍ଗେସକରଙ୍କ ମୃତ୍ୟୁ ଏକ ଏମିତି ଶୂନ୍ୟସ୍ଥାନ ସୃଷ୍ଟି କରିଛି, ଯାହାର ଭରଣା ଆଉ କେବେ ବି ହୋଇପାରିବନାହିଁ । ୧୯୪୨ ମସିହାରୁ ୭୮ ବର୍ଷ ଧରି ଲଗାତାର ନିଜ ସ୍ୱରର ଯାଦୁରେ ପ୍ରତି ଭାରତୀୟଙ୍କୁ ବାନ୍ଧି ରଖୁଥିବା ଏହି ମହାନ ଗାୟିକା ୩୦ ହଜାରରୁ ଅଧିକ ଗୀତ ଗାଇଛନ୍ତି । ଆଉ ଆପଣ ଆଶ୍ଚର୍ଯ୍ୟ ହେବେ ୩୬ଟି ଭାରତୀୟ ଭାଷା ଓ ୩ଟି ବିଦେଶୀ ଭାଷାରେ ସ୍ୱର ଦେଇଛନ୍ତି ଏହି କୋକିଳକଣ୍ଠୀ ।

ସ୍ୱାଧୀନତା ପୂର୍ବରୁ ବ୍ଲାକ ଆଣ୍ଡ ହ୍ୱାଇଟ ଚଳଚିତ୍ର ଯୁଗରୁ ଅତ୍ୟାଧୁନିକ ସିନେମା ନିର୍ମାଣ ଯାଏଁ ସବୁଠି ଏହି ଗାୟିକାଙ୍କ କୌଣସି ବିକଳ୍ପ ନଥିଲା । ୧୯୬୨ରେ ପ୍ରଥମେ ଫିଲ୍ମପେୟାର ଆୱାର୍ଡ, ଏହାପରେ ୬-୬ ଥର ଏହି ଆୱାର୍ଡ ଜିତିଛନ୍ତି ଲତା । ୪ଟି ଜାତୀୟ ପୁରସ୍କାର, ୧୯୮୯ରେ ଦାଦାସାହେବ ଫାଲକେ ପୁରସ୍କାର, ୨୦୦୧ରେ ଦେଶର ସବୁଠାରୁ ବଡ ବେସାମରିକ ପୁରସ୍କାର ଭାରତରତ୍ନରେ ଲତାଙ୍କୁ ସମ୍ମାନିତ କରାଯାଇଥିଲା ।

୧୯୨୯ରେ ମଧ୍ୟପ୍ରଦେଶର ଇନ୍ଦୋରରେ ଜନ୍ମଗ୍ରହଣ କରଥିବା ଲତା ସ୍ୱର ସାମ୍ରାଜ୍ୟରେ ଏମିତି ଖ୍ୟାତି ଅର୍ଜନ କରିଚାଲିଲେ ଯାହାର କୌଣସି ପଟାନ୍ତର ନାହିଁ । ପ୍ରଥମ ଥର ଲାଗି ଜଣେ ଭାରତୀୟ ଭାବେ ଲଣ୍ଡନର ରୟାଲ ଆଲବର୍ଟ ହଲରେ ଗୀତ ଗାଇଥିଲେ । ଆଉ ଏହି ପ୍ରଦର୍ଶନ ଚାରିଆଡେ ବେଶ ପ୍ରଂଶସିତ ହୋଇଥିଲା । ଖାଲି ସେତିକି ନୁହେଁ, ଓଡିଆ ଚଳଚିତ୍ର ଜଗତରେ ବି ସେ ଛାପ ଛାଡିଯାଇଛନ୍ତି । ଶାନ୍ତନୁ ମହାପାତ୍ରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଏହି ମହାନ ଗାୟିକା ୨ଟି ଓଡିଆ ଗୀତ ଗାଇଥିଲେ ।

ସ୍ୱର ସାମ୍ରାଜ୍ଞୀଙ୍କର ଏହି ଯାତ୍ରା ସ୍ୱଳ୍ପ ସମୟ ଭିତରେ କହିବା ସମ୍ଭବ ହେବନାହିଁ । କେବଳ ଏତିକି କହିହେବ ଲତାଙ୍କ ନିଧନ ଏକ ଏମିତି ଶୂନ୍ୟସ୍ଥାନ ସୃଷ୍ଟି କରିଛି ଯାହା କେବେ ବି ପୂରଣ ହୋଇପାରିବ ନାହି