କନକ ବ୍ୟୁରୋ : ଶାନ୍ତ ହୋଇଗଲେ ସ୍ୱରର ସରସ୍ୱତୀ ଲତା ମଙ୍ଗେସକର । ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକର ଦୀର୍ଘ ୨୯ ଦିନ ଭେଣ୍ଟିଲେଟରରେ ରହିବା ପରେ ୯୨ ବର୍ଷ ବୟସରେ ଆଖି ବୁଜିଛନ୍ତି । ଆଉ ଲତାଙ୍କ ଦେହାନ୍ତରେ ପୂରା ଦେଶରେ ଶୋକର ଛାୟା ଖେଳିଯାଇଛି । ପୂରା ଦେଶ ଏବେ ଲତାଙ୍କୁ ଝୁରୁଛି । ଆଉ କ୍ରିକେଟ ପ୍ରତି ଲତାଙ୍କ ଥିବା ଭଲପାଇବା ଯୋଗୁଁ କ୍ରିକେଟ ଖେଳାଳୀ ଓ କ୍ରିକେଟ ପ୍ରଂଶସକ ମଧ୍ୟ ଲତାଙ୍କୁ ଝୁରୁଛନ୍ତି । ଲତାଙ୍କ ପ୍ରତି ଅନେକ ଭାରତୀୟ କ୍ରିକେଟରଙ୍କ ସ୍ୱତନ୍ତ୍ର ଭଲପାଇବା ରହିଥିଲା । ଆଉ ଏସବୁ ଭିତରେ ଲତା ମଧ୍ୟ ଭାରତୀୟ କ୍ରିକେଟରଙ୍କ ପାଇଁ ଅନେକ ସମୟରେ ସହାୟତାର ହାତ ବଢାଇଛନ୍ତି । ଲତା ଭାରତୀୟ କ୍ରିକେଟକୁ ଏକ ଉଚ୍ଚ ଶିଖରରେ ଦେଖିବାକୁ ପ୍ରତିଥର ଚାହୁଁଥିଲେ । ସେଥିପାଇଁ ତ ଧୋନୀଙ୍କ ନିକଟରେ ଏକ ନିବେଦନ ମଧ୍ୟ ରଖିଥିଲେ ।
୨୦୧୯ରେ ଭାରତ ବିଶ୍ୱକପ ସେମିଫାଇନାଲରୁ ବିଦାୟ ନେବା ପରେ, ମହେନ୍ଦ୍ର ସିଂ ଧୋନୀ କ୍ରିକେଟରୁ ଅବସର ନେଉଥିବାର ଖବରକୁ ନେଇ ଚର୍ଚ୍ଚା ଆରମ୍ଭ ହେଲା । ଆଉ ଯେତେବେଳେ ଲତାଙ୍କ ପାଖରେ ଏହି ଖବର ପହଞ୍ଚିଥିଲା ସେତେବେଳେ ସେ ଏକ ଟ୍ୱିଟ୍ କରି ଧୋନୀଙ୍କୁ ନିବେଦନ କରିଥିଲେ । ୧୧ ଜୁଲାଇରେ ଲତା ମଙ୍ଗେସକର ଧୋନୀଙ୍କ ପାଇଁ ଏକ ଟ୍ୱିଟ୍ କରି ଲେଖିଥିଲେ, ନମସ୍କାର ଧୋନୀ ଜୀ, ମୁଁ ଆଜି କାଲି କଣ ଶୁଣୁଛି ଯେ, ଆପଣ ସନ୍ନ୍ୟାସ ନେବାକୁ ଚାହୁଁଛନ୍ତି । ଦୟାକରି ଆପଣ ଏଭଳି ଚିନ୍ତା କରନ୍ତୁ ନାହିଁ । ଦେଶକୁ ଆପଣଙ୍କର ଆବଶ୍ୟକତା ରହିଛି ଓ ମୋର ନିବେଦନ କି ଆପଣ ଆଉଥରେ କ୍ରିକେଟରୁ ସନ୍ନ୍ୟାସ ନେବା ବାବଦରେ ଚିନ୍ତା କରନ୍ତୁ ।