କନକ ବ୍ୟୁରୋ : ଲତା ମଙ୍ଗେସକରଙ୍କ ଦେହାନ୍ତ ପରେ ଦୁଇ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଲତା ମଙ୍ଗେସକରଙ୍କ ସମ୍ମାନରେ ଦୁଇ ଦିନ ଯାଏଁ ଜାତୀୟ ପତାକା ଅର୍ଦ୍ଧନମିତ ରହିବ । ଆଜି ମହାରାଷ୍ଟ୍ରରେ ଶୋକ ଦିବସ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ମହାରାଷ୍ଟ୍ରରେ ସ୍କୁଲ କଲେଜ ସମେତ ସମସ୍ତ କାର୍ଯ୍ୟାଳୟ ବନ୍ଦ ରହିବ । ତେଣୁ ଆଜିଠୁ ଆରମ୍ଭ ହେବାକୁ ଥିବା ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ମୁଦ୍ରାନୀତି ସମୀକ୍ଷା ବୈଠକ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି ।

Advertisment

ମଙ୍ଗଳବାରଠୁ ଆରବିଆଇର ମନିଟାରୀ ପଲିସି ବୈଠକ ଆରମ୍ଭ ହେବ ବୋଲି ସୂଚନା ମିଳିଛି । ସେପଟେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଲତା ମଙ୍ଗେସକରଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ୧୫ ଦିନ ପାଇଁ ସାର୍ବଜନୀନ ସ୍ଥାନରେ ଲତା ମଙ୍ଗେସକର ଗୀତ ବାଜିବ ବୋଲି ଘୋଷଣା କରିଛନ୍ତି । ଏଥିସହ ଆଜି ଅଧା ଦିନ ଛୁଟି ଘୋଷଣା କରିଛନ୍ତି ମମତା ବାନାର୍ଜୀ ।

ଗତକାଲି ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କର ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ମୁମ୍ବାଇର ଶିବାଜୀ ପାର୍କରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି । ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଲତାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ସାରା ଦେଶବାସୀ, ସେମାନଙ୍କ ପ୍ରିୟ ଲତା ଦିଦିଙ୍କୁ ଅନ୍ତିମ ବିଦାୟ ଦେଇଛନ୍ତି । ଗତକାଲି ସକାଳେ ମୁମ୍ବାଇ ସ୍ଥିତ ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ୯୨ବର୍ଷ ବୟସରେ ଭାରତ ରତ୍ନ ଲତା ମଙ୍ଗେସକରଙ୍କ ପରଲୋକ ହୋଇଛି ।