ଏବେ ବି ଆଇସିୟୁରେ ଲତା ମଙ୍ଗେସକର : ଆଉ ୧୦ରୁ ୧୨ ଦିନ ଡାକ୍ତରଙ୍କ ନିରୀକ୍ଷଣରେ ରହିବେ ସ୍ୱର ସାମ୍ରାଜ୍ଞୀ

କୋଭିଡ୍ ସହ ନିମୋନିଆରେ ପୀଡ଼ିତ ଥିବା ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲର ଡାକ୍ତରଙ୍କ ସୂଚନା

163

କନକ ବ୍ୟୁରୋ : ଏବେ ବି ଆଇସିୟୁରେ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକର । ଆଉ ୧୦ରୁ ୧୨ ଦିନ ଡାକ୍ତରଙ୍କ ନିରୀକ୍ଷଣରେ ରହିବେ । କୋଭିଡ୍ ସହ ନିମୋନିଆରେ ପୀଡ଼ିତ ଥିବା ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲର ଡାକ୍ତର ସୂଚନା ଦେଇଛନ୍ତି । କରୋନା ସଂକ୍ରମିତ ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି । ତାଙ୍କର ବୟସ ଅଧିକ ହୋଇଥିବାରୁ ଆଇସିୟୁରେ ଭର୍ତି କରାଯାଇଥିବା ସୂଚନା ରହିଛି । ହଜାର ହଜାର ଗୀତ ଗାଇ ସାରା ଦୁନିଆରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ତାଙ୍କୁ ଭାରତ ସରକାରଙ୍କ ପାଖରୁ ଭାରତ ରତ୍ନ ସମ୍ମାନରେ ସମ୍ମାନୀତ କରାଯାଇଛି । ହିନ୍ଦୀ ସମେତ ବହୁଭାଷୀ ଚଳଚିତ୍ରରେ କଣ୍ଠଦାନ କରିଛନ୍ତି ଏହି ୯୨ ବର୍ଷୀୟ ସ୍ୱର ସାମ୍ରାଜ୍ଞୀ ।

ଉଲ୍ଲେଖଯୋଗ୍ୟ, ଲତା ମଙ୍ଗେସକର ୧୯୨୯ ମସିହା ସେପ୍ଟେମ୍ବର ୨୮ ତାରିଖରେ ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଦିନାନାଥ ମଙ୍ଗେସକର ଜଣେ ଶାସ୍ତ୍ରୀୟ ସଙ୍ଗୀତ ଗାୟକ, ଗୁରୁ ଓ ଥିଏଟର କଳାକାର ଥିଲେ । ପିଲାବେଳୁ ହିଁ ସଙ୍ଗୀତ ପ୍ରତି ମନ ବଳାଇଥିଲେ ଲତା । ତାଙ୍କ ସହ ତାଙ୍କ ଭାଇ ଓ ଭଉଣୀମାନେ ମଧ୍ୟ ଗୀତ ଶିଖୁଥିଲେ । ହେଲେ ଲତାଙ୍କୁ ୧୩ ବର୍ଷ ବୟସ ହୋଇଥିବା ବେଳେ ହୃଦଘାତରେ ତାଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା । ଆଉ ପରିବାର ଚଳାଇବା ପାଇଁ ଶେଷରେ ୧୯୪୨ ମସିହାରେ ଚଳଚ୍ଚିତ୍ର ସଙ୍ଗୀତ ଜଗତରେ ପାଦ ଦେଇଥିଲେ ଲତା ମଙ୍ଗେସକର ।

୧୯୪୨ରୁ ୧୯୪୮ ମସିହା ମଧ୍ୟରେ ଲତା ମଙ୍ଗେସକର ହିନ୍ଦୀ ଓ ମରାଠୀ ଭାଷାରେ ୮ଟି ଗୀତରେ କଣ୍ଠଦାନ କରିଥିଲେ । ୧୯୪୨ ମସିହାରେ ମରାଠୀ ଚଳଚ୍ଚିତ୍ର କିଟ୍ଟି ହାସଲରୁ ସେ ଗାୟିକା ଭାବେ କ୍ୟାରିୟର ଆରମ୍ଭ କରିଥିଲେ । ଏହାପରେ ମଜବୁର, ବେଦର୍ଦ ଭଳି ଦୁଇଟି ଚଳଚ୍ଚିତ୍ରରେ ଗୀତ ଗାଇ ପରିଚିତ ହେବା ପରେ ପୂରା ସଙ୍ଗୀତ ଜଗତରେ ଛାଇ ଯାଇଥିଲେ ଲତା ।

୧୯୬୩ ମସିହାରେ ହୋଇଥିବା ଭାରତ-ଚୀନ ଯୁଦ୍ଧ ସମୟରେ ଲତାଙ୍କ ଗୀତ ‘ଏ ମେରେ ବତନ କେ ଲୋଗୋଁ’ ପୂରା ଦେଶବାସୀଙ୍କ ମନକୁ ଛୁଇଁଥିଲା । ସେତେବେଳର ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଏହି ଗୀତ ଶୁଣି ଭାବବିହ୍ୱଳ ହୋଇପଡିଥିଲେ । ଏହି ଗୀତ ପାଇଁ ତାଙ୍କୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହାପରେ ଲତା ମଙ୍ଗେସକର ‘ଲଗଜା ଗଲେ’, ‘ପ୍ୟାର କା ନଗମା’, ‘ସିସା ହୋ ୟା ଦିଲ’, ‘ତେରେ ବିନା ଜିନ୍ଦେଗୀ ସେ କୋଇ ସିକୱା ନେହିଁ’ ଭଳି ଗୀତ ଗାଇ ଘରେ ଘରେ ପରିଚିତ ହୋଇଥିଲେ ।