କନକ ବ୍ୟୁରୋ: ମୋହମାୟା ଛାଡ଼ି ସନ୍ନ୍ୟାସ ଜୀବନ ଆପଣେଇଥିଲେ । ହେଲେ ଜୀବନର ଶେଷ ନିଶ୍ୱାସ ସମୟରେ ମନେପଡ଼ିଲେ ପରିବାର । ଥର ଥର ପାଟିରେ ପରିବାରକୁ ଦେଖା କରିବାକୁ କହିଲେ ଧରଣୀଧର ବାବା । ଡାକ୍ତରଖାନା ବେଡରେ ପଡ଼ି ୪୦ ବର୍ଷ ପରେ କହିଲେ ଠିକଣା । ପାଖରେ ପହଞ୍ଚିଲେ ପୁଅ । ଶେଷ ସମୟରେ ବାପା ପୁଅଙ୍କ ଦେଖିଛନ୍ତି । ଧନେଶ୍ୱରରୁ ସନ୍ୟାସୀ ନେଇ ଧରଣୀଧର ବାବା ରୂପେ ଏବେ ପରିଚିତ ହୋଇଥିଲେ ଏହି ବୃଦ୍ଧ । ୮୮ ବର୍ଷୀୟ ଧନେଶ୍ୱର ହଠାତ ଅସୁସ୍ଥ ହୋଇପଡ଼ିଥିଲେ । ଦାସିଆ ବାଉରୀ ପୀଠରୁ ତାଙ୍କୁ ପୁରୀ ବଡ଼ ମେଡିକାଲ ନିଆଯାଇଥିଲା ।
ବର୍ତମାନର ମହନ୍ତ ମହାରାଜ ସେତେବେଳେ କ’ଣ ତାହା ସମସ୍ତଙ୍କ ଅଜଣା ଥିଲା । ୪୦ରୁ ୪୫ ବର୍ଷ ହେବ ପୁରୀ ଜିଲ୍ଲା ପିପିଲି ବ୍ଲକ ଭକ୍ତ ଦାସିଆ ପୀଠରେ ଥିବା ମଠର ମହନ୍ତ ମହାରାଜ ଧନେଶ୍ୱର ଦାସ । ମଠର କାର୍ଯ୍ୟତୁଲାଇ ପରିବାରଠୁ ଦୂରରେ ରହୁଥିଲେ । କେବେ ମଠରେ ଘର ପରିବାର କଥା ଉଠାଇ ବି ନାହାନ୍ତି । ହେଲେ ମେଡିକାଲ ବେଡରେ ପଡ଼ି ଧନେଶ୍ୱର ତାଙ୍କ ପୁଅ, ଝିଅ, ସାନ ଭାଇକୁ ଦେଖିବାକୁ କହିଥିଲେ । ତାଙ୍କ ଘର ଯାଜପୁର ଜିଲ୍ଲା ଦଣ୍ଡାଘାଟି ଅଞ୍ଚଳରେ ବୋଲି ମଧ୍ୟ କୋହଭରା କଣ୍ଠରେ କହିଥିଲେ । ଏନେଇ ଯାଜପୁର ଜେନାପୁର ଥାନାକୁ ଯୋଗାଯୋଗ କରାଯାଇଥିଲା । ପରିବାର ଲୋକ ଖବର ଜାଣିବା ପରେ ମେଡିକାଲକୁ ଆସି ବାପାଙ୍କୁ ଦେଖା କରିଥିଲେ ନେବାକୁ ସାଥିରେ କହିଥିଲେ । ହେଲେ ମଠର ମହନ୍ତ ହୋଇଥିବାରୁ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ମଠରେ ରହିବେ ବୋଲି କହିଥିଲେ ଧନେଶ୍ୱର ।
Follow Us