ପଞ୍ଚମ ପର୍ଯ୍ୟାୟ ପାଇଁ ସରିଲା ପ୍ରଚାର । ଶେଷଦିନରେ ବଡ଼ ନେତାଙ୍କ ଶକ୍ତି ପ୍ରଦର୍ଶନ ।

Advertisment
ପଞ୍ଚମ ପର୍ଯ୍ୟାୟ ପାଇଁ ସରିଲା ପ୍ରଚାର । ଶେଷଦିନରେ ବଡ଼ ନେତାଙ୍କ ଶକ୍ତି ପ୍ରଦର୍ଶନ ।

କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନ ପାଇଁ ଶେଷ ହୋଇଛି ପ୍ରଚାର । ଆଉ ପ୍ରଚାରରେ ଶେଷ ସ୍ପର୍ଶ ଦେଇଛନ୍ତି, ବଡ ବଡ ନେତା । ସବ୍ୟସାଚୀ ଅର୍ଚ୍ଚିତା, ଶ୍ରୀତମ ଦାସ ଓ ହେଭିୱେଟ ନେତା ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି । ଆସନ୍ତୁ ଜାଣିବା ଆଜି ରାଜ୍ୟରେ କେମିତି ଚାଲିଥିଲା ଶେଷ ନିର୍ବାଚନୀ ପ୍ରଚାର ।

ପଞ୍ଚାୟତରେ ତୀବ୍ର ରାଜନୈତିକ ପ୍ରତିଦ୍ୱନ୍ଦ୍ୱିତାରେ ଯବନିକା ପଡିଛି, ଯେତେବେଳେ ଶେଷ ଅର୍ଥାତ୍ ପଞ୍ଚମ ପର୍ଯ୍ୟାୟ ଭୋଟ୍ ପାଇଁ ସରିଛି ପ୍ରଚାର । ଗାଁ ଗାଁରେ ସରଗରମ ହୋଇଥିବା ମାହୋଲ୍ ଥମିଯାଇଛି । ହେଲେ ଶେଷ ଦିନରେ ନେତା କିନ୍ତୁ ଭୋଟରଙ୍କୁ ଆକୃଷ୍ଟ କରିବାକୁ କୌଣସି ମଉକା ହାତଛଡା କରିନଥିଲେ ।

ରାଜଧାନୀ ଉପକଣ୍ଠ ଜଟଣୀ ନିର୍ବାଚନ ମଣ୍ଡଳିରେ ବିଜେଡିର ପ୍ରଚାର ମଙ୍ଗ ଧରିଥିଲେ ସାଂସଦ ମୁନ୍ନା ଖାନ ଓ ଖୋର୍ଦ୍ଧା ଜିଲ୍ଲା ବିଜେଡି ସଭାପତି ବିଭୂତି ବଳବନ୍ତ ରାୟ । ଶଗଡ ଗାଡିରେ ଜାଆଁଳା ପଞ୍ଚାୟତରେ ବୁଲି ବୁଲି ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି । ସେପଟେ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଜଟଣୀରେ ମାରାଥନ ପ୍ରଚାର କରିଛନ୍ତି ବିଧାୟକ ସୁର ରାଉତରାୟ । କୁସୁମାଟି ଓ ଆଖପାଖ ଅଞ୍ଚଳରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ସେ ଭୋଟ ଭିକ୍ଷା କରିଛନ୍ତି । ପ୍ରଚାର ଶେଷରେ ଗ୍ରାମବାସୀଙ୍କ ପାଇଁ ଭୋଜିର ବ୍ୟବସ୍ଥା କରିଥିଲେ ବିଧାୟକ ।

ସୁନ୍ଦରଗଡରେ ହାଇଭୋଲଟେଜ୍ ପ୍ରଚାର । ଭୋଟରଙ୍କୁ ମନେଇବାକୁ ନେତା ଅଭିନେତାଙ୍କ ପ୍ରୟାସ । ପଞ୍ଚମ ପର୍ଯ୍ୟାୟ ନିର୍ବାଚନର ଅଗ୍ନିପରୀକ୍ଷା ପାଇଁ ପ୍ରଚାର ଶେଷ ଦିନରେ ସୁନ୍ଦରଗଡରେ ହେଭିୱେଟ ନେତା ପ୍ରଚାର କରିଛନ୍ତି । ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର, ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ତଥା ବିଜେଡି ନେତା ଦିଲ୍ଲୀପ ତିର୍କୀ, ପୁରୁଖା ବିଜେଡି ନେତା ମଙ୍ଗଳା କିଶାନ, ପୂର୍ବତନ ବିଧାୟକ ପ୍ରଫଲ୍ଲ ମାଝି, ଯୋଗେଶ ସିଂଙ୍କୁ ନେଇ ବାଇକ ରାଲି କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି । ସେପଟେ ଅନ୍ତିମ ଦିନରେ ବିଜେପି ଜୋରଦାର ପ୍ରଚାର କରିଛିି । ବାଜା ବାଜିଛି ଓ ବାଇକ ରାଲି ହୋଇଛି । ସିନେ ତାରକା ଶ୍ରୀତମ ଦାଶ ଓ ବିଧାୟିକା କୁସୁମ ଟେଟେ ବିଜେପି ପ୍ରାର୍ଥୀଙ୍କ ପାଇଁ ଗାଁ ଗାଁ ବୁଲି ପ୍ରଚାର କରିଛନ୍ତି ।

ସେପଟେ କଟକ ଜିଲ୍ଲା ବାଙ୍କି ବ୍ଲକର ବଳଭଦ୍ରପୁର ପଞ୍ଚାୟତରେ ପ୍ରଚାର କରିଛନ୍ତି ଓଲିଉଡ ଅଭିନେତା ସବ୍ୟସାଚୀ ଓ ଅର୍ଚ୍ଚିତା । ୩୪ ନମ୍ବର ଜୋନର ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପାଇଁ ସେମାନେ ପ୍ରଚାର କରିଛନ୍ତି । ଦୁଇ ସିନେ ତାରକାଙ୍କୁ ପାଖରେ ଦେଖିବାକୁ ଲୋକଙ୍କ ଗହଳି ମଧ୍ୟ ଜମିଥିବା ଦେଖିବାକୁ ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe