କନକ ବ୍ୟୁରୋ : ପଞ୍ଚମ ତଥା ଶେଷ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ଶେଷ ପ୍ରଚାର । ସମୟ ସରୁଥିବା ବେଳେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରଚାର ମଇଦାନରେ ନେତା ମନ୍ତ୍ରୀଙ୍କ ଲଢେଇ । ଆସନ୍ତା ୨୪ ତାରିଖରେ ପୁରୀ ଜିଲ୍ଲା କାକଟପୁର, ଅସ୍ତରଙ୍ଗ ବ୍ଲକରେ ଭୋଟ୍ ଗ୍ରହଣ କରାଯିବ । ଦୁଇଟି ବ୍ଲକର ୫ଟି ଜିଲ୍ଲା ପରିଷଦ ଆସନ ପାଇଁ ଭୋଟ ହେବ ।
ତେଣୁ ଆଜି ହେଉଛି ଶେଷ ପ୍ରଚାର । ଏହି ଅଞ୍ଚଳର ଭୋଟ୍ ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ପାଇଁ ଏହା ସମ୍ମାନ ପ୍ରଶ୍ନ । ତେଣୁ ରୋଡ ସୋ, ରାଲି କରିବା ସହ ଘରକୁ ଘର ବୁଲି ପ୍ରଚାର କରିଛନ୍ତି କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା । ଏପଟେ କଂଗ୍ରେସ ଏବଂ ବିଜେପି ମଧ୍ୟ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ଲାଗି ପ୍ରଚାର ଜାରି ରଖିଛନ୍ତି ।
ପଞ୍ଚାୟତ ନିର୍ବାଚନର ଶେଷ ତଥା ପଞ୍ଚମ ପର୍ଯ୍ୟାୟ ନିବାଚନ ପାଇଁ ଆଜି ପ୍ରଚାରର ଶେଷ ଦିନ ଥିବାରୁ ସବୁ ଦଳ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା ଜାରି ରଖିଛନ୍ତି । ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ସଭାପତି ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟ ନିଜ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ପ୍ରଚାର କରିଛନ୍ତି ।
ସେହିପରି ସୁନ୍ଦରଗଡରେ ଦେଖିବାକୁ ମିଳିଛି ହାଇଭୋଲଟେଜ୍ ପ୍ରଚାର । ବିଜେଡି ରାଜ୍ୟସଭା ସାଂସଦ ତଥା ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର, ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ତଥା ବିଜେଡି ନେତା ଦିଲ୍ଲୀପ ତିର୍କୀ, ପରୁଖା ନେତା ମଙ୍ଗଳା କିଶାନ, ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝି, ଯୋଗେଶ ସିଂ, ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି । ସେପଟେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ମଧ୍ୟ ଖୁବ୍ ଜୋରସୋରରେ ପ୍ରଚାର କରୁଛନ୍ତି । ବାଜା ବାଜାଇ ବାଇକ୍ ରାଲିରେ ପ୍ରଚାର କରୁଛନ୍ତି ବିଜେପି ନେତା । ସିନେ ଅଭିନେତା ଶ୍ରୀତମ ଦାଶ ଏବଂ ବିଧାୟିକା କୁସୁମ ଟେଟେ ପଦ୍ମ ଶିବିରର ପ୍ରାର୍ଥୀଙ୍କ ପାଇଁ ଗାଁ ଗାଁ ବୁଲି ଭୋଟ ମାଗୁଛନ୍ତି ।
ତେବେ ପ୍ର୍ରଚାରରେ ସାମିଲ ହୋଇଛନ୍ତି ଷ୍ଟାର ପ୍ରଚାରକ । ସବ୍ୟସାଚି ଏବଂ ଅର୍ଚ୍ଚିତା ବାଙ୍କି ବ୍ଲକର ବଳଭଦ୍ରପୁର ପଞ୍ଚାୟତରେ ମାରାଥନ୍ ପ୍ରଚାର କରିଥିବା ଦେଖିବାକୁ ମିଳିଛି । ବିଜେଡ଼ି ପକ୍ଷରୁ କରାଯାଇଥିବା ଏହି ପ୍ରଚାରରେ ୩୪ ନମ୍ବର ଜୋନ ଜିଲ୍ଲାପରିଷଦ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ସବ୍ୟାର୍ଚ୍ଚିତା ।