ନିଆଁରେ ଜଳି ନ୍ୟାୟ ମାଗୁଛି ଆଉ ଏକ ନିର୍ଭୟା । ହାଥରସ ଦୁଷ୍କର୍ମ ପୀଡିତାର ଚିତା ଜଳିଲା, ପୋଡି ପାଉଁଶ ହେବନି ତ ନ୍ୟାୟ ନେହୁରା ? ନା ୪ ସୈତାନଙ୍କୁ ମିଳିବ ସଜ୍ଜା…? ମୃତ୍ୟୁ ପରେ ପୀଡିତା ପଚାରୁଛି ଆଉ କେତେ ନିର୍ଭୟା ଦେଖିବ ଦେଶ…?

593

କନକ ବ୍ୟୁରୋ: ଜୁଇରେ ଜଳିଗଲା ଭାରତମାତାର ଝିଅ । ଜୀବନ ଯୁଦ୍ଧରେ ହାରିଯିବା ପରେ ନିର୍ଜନ ଇଲାକାରେ ପୋଲିସ ଜାଳିଦେଲା ହାଥରସ ନିର୍ଭୟାର ଚିତା । ତା କଅଁଳ ଦେହରେ ଯୌନ ପିଶାଚ ମୁହଁ ପକାଇ ରକ୍ତ ପିଇଯିବା ପରେ ମୁମୂର୍ଷୁ ଅବସ୍ଥାରେ ମୃତ୍ୟୁ ସହ ଲଢେଇ କରୁଥିଲା ୧୯ ବର୍ଷର ଗଣଦୁଷ୍କର୍ମ ପୀଡିତା । ହେଲେ ଜୀବନର ବାଜି ଜିତିବା ପାଇଁ ନା ଦେହରେ ଶକ୍ତି ଥିଲା ନା ଥିଲା ସାହସ । ବିଲ ମଝିରେ ସୈତାନଙ୍କ ବର୍ବରତାର ସାମ୍ନା କରି ସବୁ ଶକ୍ତି ସାରି ଦେଇଥିଲା ଏ ନୀରିହ ଯୁବତୀ । ଆଉ ଶେଷରେ ମଙ୍ଗଳବାର ଦିନ ସକାଳେ ସବୁଦିନ ପାଇଁ ଆଖି ବୁଜିଛି ଆଉ ଜଣେ ନିର୍ଭୟା ।

ତେବେ ମୃତ୍ୟୁ ପରେ ବି ଗଣଦୁଷ୍କର୍ମର ଶିକାର ହୋଇଥିବା ଯୁବତୀଙ୍କ ଶବକୁ ମିଳି ନଥିଲା ଶାନ୍ତି । ପରିବାର ଲୋକଙ୍କୁ ଶବ ହସ୍ତାନ୍ତର ତ ଦୂରର କଥା ବାପାମାଆଙ୍କୁ ଝିଅର ଶବ ଦେଖିବାକୁ ବି ଦେଇନଥିଲା ପୋଲିସ । ପରିବାର ଲୋକଙ୍କୁ ଅଟକାଇ ରାତାରାତି ମରଶରୀର ଗାଁକୁ ଆଣି ଅନ୍ତିମ ସଂସ୍କାର କରି ଦିଆଗଲା ବୋଲି ଅଭିଯୋଗ ହୋଇଛି । ଏମିତିକି ବ୍ୟାପକ ପୋଲିସ ଉପସ୍ଥିତିରେ ସବୁକିଛି ଘଟୁଥିଲେ ହେଁ ଯୁବତୀଙ୍କ ପ୍ରିୟଜନଙ୍କୁ ଶବ ପାଖକୁ ଛାଡି ନଥିଲା ପୋଲିସ । ଯେତେ କାକୁତି ମିନତି, ଯେତେ ନେହୁରା ହେଲେ ବି ପୋଲିସ କିଛି ଶୁଣି ନଥିଲା । ଆଉ ରାତି ସାଢେ ୨ଟା ବେଳେ ଏକ ନିଚ୍ଛାଟିଆ ସ୍ଥାନରେ ହାଥରସ ନିର୍ଭୟାର ଶବ ଜଳିଥିଲା ।

ହାଥରସର ହୃଦୟଥରା ଘଟଣା ସାରା ଦେଶକୁ ଦୋହଲାଇ ଦେଇଥିବା ବେଳେ ନର ରାକ୍ଷସଙ୍କ ଦୁଷ୍କର୍ମର କାହାଣୀ ମଣିଷପଣିଆ ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଗଣଦୁଷ୍କର୍ମ ପରେ ଘଟଣା ଚାପିବାକୁ ଯୁବତୀଙ୍କ ଜିଭ କାଟିଦେବା ଓ ମେରୁଦଣ୍ଡ ଭାଙ୍ଗିଦେବା ସବୁ ପାଶବିକତାର ସୀମା ପାର କରିଛି । ଯଦିଓ ମାମଲାରେ ୪ ସୈତାନଙ୍କୁ ବାନ୍ଧି ସାରିଛି ପୋଲିସ ତଥାପି ପୋଲିସର କାର୍ଯ୍ୟଶୈଳୀ ଉପରେ ସନ୍ଦେହ ହେଉଛି । କାରଣ ବଳାକ୍ରାର ନେଇ ଅଭିଯୋଗର ହେବା ପରେ ଗିରଫ କରିବାକୁ ପୋଲିସକୁ ୮ ଦିନ କାହିଁକି ଲାଗିଗଲା ? ପୀଡିତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବା ସତ୍ୱେ ବି ତାଙ୍କୁ କଣ ପାଇଁ ଏମ୍ସ ସ୍ଥାନାନ୍ତର ନକରି ୟୁପିରେ ରଖାଗଲା ? ପରିବାର ଲୋକଙ୍କୁ ଶବ ନଦେଖାଇ କଣ ପାଇଁ ରାତିଅଧିଆ ଅନ୍ତିମ ସଂସ୍କାର କଲା ପୋଲିସ ? ଏସବୁ ପ୍ରଶ୍ନ ୟୁପି ପୋଲିସ ବର୍ଦ୍ଦିରେ ଦାଗ ଲଗାଇଥିବା ବେଳେ ଯୋଗୀ ସରକାରଙ୍କ ଉପରକୁ ଆଙ୍ଗୁଳି ଉଠାଇଛି କି, ଏସବୁ ବ୍ୟବସ୍ଥା କାହା ପାଇଁ? ପୋଲିସ ପ୍ରଶାସନ କାହା ପାଇଁ ? ଆମ ସରକାର କାହା ପାଇଁ ? ସାଧାରଣ ଲୋକଙ୍କ ପାଇଁ ନା ତଥାକଥିତ ପ୍ରଭାବଶାଳୀଙ୍କ ପାଇଁ ?

ଘଟଣାର ତଦନ୍ତ ଏବଂ ଦୋଷୀଙ୍କ ବିରୋଧରେ କଠୋରରୁ କଠୋର ଦଣ୍ଡ ବିଧାନ ପାଇଁ ପ୍ରଧାନମନ୍ତ୍ରୀ ମୋଦି ନିର୍ଦ୍ଦେଶ ଦେବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଏସଆଇଟି ଟିମ୍ ଗଠନ କରିଛନ୍ତି ସତ । ହେଲେ ଜୁଇରେ ଜଳୁଥିବା ହାଥରସର ନିର୍ଭୟା ପ୍ରଶ୍ନ କରୁଥିବ ସତରେ କଣ ମତେ ନ୍ୟାୟ ମିଳିବ ? ମୋ ଚିତାରୁ ଉଠୁଥିବା ସେ ଧୂଆଁରେ ସୈତାନଙ୍କ ସବୁ ସତ ଲୁଚିଯିବନି ତ ? ଆକାଶରେ ଧୂଆଁ ମିଶିଯିବା ପରି କିଛି ଦିନ ପରେ ଏ ପ୍ରସଙ୍ଗ ଏ ପରିସ୍ଥିତି ହଜି ଯିବନି ତ? କାରଣ ମୋ ପୂର୍ବରୁ ଅନେକ ପୀଡିତାଙ୍କ ମାମଲା ପୋଲିସ ଫାଇଲରେ ବନ୍ଧା ପଡିଛି । ମୁଁ ନ୍ୟାୟ ପାଏ କି ନପାଏ ମୋ ପରେ ଅନ୍ୟ କାହା ସହ ଏମିତି ଅମାନୁଷିକ କାଣ୍ଡ ଘଟିବନି ତ ? ଏ ସମାଜ ସତରେ ବଦଳି ପାରିବ ତ? ଆଉ କେତେ ଦିନ, କେତେ ଘଟଣା, କେତେ ନିର୍ଭୟା ଏ ଦେଶ ଦେଖିବ …?

Comments are closed.