ବିଦ୍ୟୁତ୍ ଆଘାତରେ ମାଙ୍କଡର ମୃତ୍ୟୁ ହେବା ପରେ ମାନବିକତା ଦେଖାଇଲେ ଗାଁଲୋକେ । ଅନ୍ତିମ ସଂସ୍କାର ସହ କଲେ ଏକାଦଶାହ ।

241

କନକ ବ୍ୟୁରୋ: ମୃତ ମାଙ୍କଡ ପାଇଁ ଲଣ୍ଡା ହେଲା ମଣିଷ । ଏକାଦଶାହ ପାଳିଲେ, ଭୋଜିଭାତ କଲେ । ମାଙ୍କଡକୁ ଅନ୍ତିମ ବିଦାୟ ଦେଲେ ଗ୍ରାମବାସୀ । ଝାଞ୍ଜ, ମୃଦଙ୍ଗ ବାଜୁଛି । ମଶାଣୀକୁ ଶେଷ ଯାତ୍ରା ହେଉଛି । ମଥାରେ ଅବିର, ବେକରେ ଫୁଲମାଳ । ଝୁଣାଧୂପ ଦେଇ ଶବ ଶୋଭାଯାତ୍ରା ଆଗେଇ ଚାଲିଛି । କୋକେଇରେ ନୁହେଁ ଟ୍ରଲିରେ ଶବ ଯାଉଛି । ମଣିଷ ନୁହେଁ କିନ୍ତୁ ମଣିଷଙ୍କ ଅନ୍ତିମ ସଂସ୍କାର କରିବା ପରି ମାଙ୍କଡର ମୃତଦେହ ବୋହି ନେଉଛନ୍ତି ଗାଁଲୋକେ । ଆଉ ମାଟି ଖୋଳି ମୃତଦେହକୁ ଉଚିତ ସମ୍ମାନ ଦେଇ ମାଙ୍କଡକୁ ଶେଷ ବିଦାୟ ଦେଇଛନ୍ତି ଗ୍ରାମବାସୀ ।

ବାଲେଶ୍ୱର ଜିଲ୍ଲା ରେମୁଣା ତେନ୍ତୁଳିଦା ଅଞ୍ଚଳରେ ଏକ ଟ୍ରାନ୍ସଫରମରକୁ ଗତ ୧୩ ତାରିଖ ଦିନ ମାଙ୍କଡଟି ଚଢିଯାଇଥିଲା । ଆଉ ବିଦ୍ୟୁତ୍ ଆଘାତରେ ତାର ପ୍ରାଣବାୟୁ ଉଡିଯାଇଥିଲା । ମାଙ୍କଡଟି ଗାଁ ଲୋକଙ୍କ ପୋଷା ଥିଲା, ମଣିଷ ହାତରୁ ଖାଉଥିଲା, ଲୋକଙ୍କ ପାଖରେ ବସୁଥିଲା । ମାଙ୍କଡ ପ୍ରତି ଲୋକଙ୍କ ଟିକେ ଆଦର ଓ ଭଲପାଇବା ଥିବାରୁ ଆକସ୍ମିକ ମୃତ୍ୟୁରେ ମ୍ରିୟମାଣ ହୋଇପଡିଥିଲେ ପୂରା ଗାଁର ଲୋକେ । ଆଉ ମୃତ ମାଙ୍କଡର ସ୍ମୃତି ଉଦ୍ଦେଶ୍ୟରେ ପାଳିଥିଲେ ତାର ଶୁଦ୍ଧିକ୍ରିୟା ।
ଘରର କେହି ଆତ୍ମୀୟ ସ୍ୱଜନଙ୍କ ମୃତ୍ୟୁ ହେଲେ ଯେମିତି ଆମେ ନିରାମ ପାଳୁ ଠିକ୍ ସେମିତି କିଛି ଲୋକ ମାଙ୍କଡ ପାଇଁ ସାକାନ୍ନ ପାଳିଥିଲେ । ଏବଂ ୧୫ ଜଣ ଲଣ୍ଡା ହୋଇ ଶୁଦ୍ଧିକ୍ରିୟା କରିଥିଲେ । ଖାଲି ସେତିକି ନୁହେଁ ମାଙ୍କଡର ଏକାଦଶାହ ପାଇଁ ବି ନିମନ୍ତ୍ରଣ ପତ୍ର ଛପା ଯାଇଥିଲା ।

ଆଉ ମାଙ୍କଡର ଏକାଦଶାହ ଦିନ ପୂରା ପଞ୍ଚାୟତର ଲୋକେ ପ୍ରସାଦ ସେବନ କରିଥିଲେ । ତା ସହ ମାଙ୍କଡ ଆତ୍ମାର ସଦଗତି ପାଇଁ ଗାଁରେ ନାମଯଜ୍ଞ ବି କରାଯାଇଥିଲା । ପଶୁଟିଏ ହେଲେ ବି ମାଙ୍କଡଟି ପୂରା ଗାଁ, ପୂରା ଅଞ୍ଚଳ ସହ ବେଶ ପରିଚିତ ଥିବାରୁ ମାଙ୍କଡର ମୃତ୍ୟୁରେ ଭାଙ୍ଗିପଡି ତାକୁ ଏମିତି ଏକ ଭାବପୂର୍ଣ୍ଣ ବିଦାୟ ଦେଇଛନ୍ତି ସମସ୍ତେ । ଯାହା ସମାଜରେ ମରିଯାଉଥିବା ମଣିଷପଣିଆକୁ ପୁନ୍ନର୍ଜୀବିତ କରିଛି ।