ଜନ୍ମମାଟିରେ ସହିଦଙ୍କୁ ଶେଷ ବିଦାୟ : ନୁଦୁରାମ ଓ ଚନ୍ଦ୍ରାକାନ୍ତଙ୍କୁ ଦିଆଗଲା ଗାର୍ଡ ଅଫ ଅନର । ଶୋକରେ ବୁଡିଛି ସମ୍ପୂର୍ଣ୍ଣ ଅଂଚଳ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ।

327

କନକ ବ୍ୟୁରୋ : ଜନ୍ମମାଟିରେ ସହିଦ ଓଡିଆ ଯବାନଙ୍କୁ ଶେଷ ବିଦାୟ । ଅନ୍ତିମ ସଂସ୍କାର ଆଗରୁ ପ୍ରଦାନ କରାଗଲା ରାଷ୍ଟ୍ରୀୟ ସମ୍ମାନ । ତୋପସଲାମିରେ କମ୍ପିଲା ଅଂଚଳ । ଗଲୱାନ ଘାଟିରେ ପ୍ରାଣ ବଳି ଦେଇଥିବା ମୟୂରଭଞ୍ଜର ରାଇରଙ୍ଗପୁର ବିଜାତଳା ଗାଁର ସୁବେଦାର ନୁଦୁରାମ ସୋରେନଙ୍କ ଅନ୍ତିମ ଯାତ୍ରାରେ ଆଜି ଗୁମୁରି କାନ୍ଦୁଛି ପୈତୃକ ଗାଁ ବଡଚମ୍ପାଓଦା । ଆଜି ସହିଦଙ୍କ ପାର୍ଥିବ ଶରୀରର ଶେଷ ଦର୍ଶନ କରିବାକୁ ଅପେକ୍ଷା କରି ରହିଥିଲା ପୁରା ଗାଁ । ପୈତୃକ ମାଟିରେ ଶୋକାକୂଳ ପରିବେଶ । ଭାରତ ମାତାର ବୀର ସହିଦଙ୍କ ବଳିଦାନକୁ ନେଇ ଗର୍ବ କରୁଛି ଜନ୍ମମାଟି ବଡଚମ୍ପଓଦା । ସମ୍ପର୍କୀୟ ଓ ପରିଜନଙ୍କ ଆଖି ଓଦା ଥିବା ବେଳେ ନୁଦୁରାମଙ୍କ ବଳିଦାନକୁ ନେଇ ସମସ୍ତେ ଗର୍ବ କରିଛନ୍ତି । ରାଷ୍ଟ୍ରୀୟ ସମ୍ମାନ ପ୍ରଦାନ ସମୟରେ ବନ୍ଦେ ମାତରମ୍, ଭାରତ ମାତା ଜୀ ଜୟ, ସହିଦ ନୁଦୁରାମ ଅମର ରହେ ନାରାରେ କମ୍ପି ଉଠିଥିଲା ପୁରା ଅଂଚଳ । ରାଇରଙ୍ଗପୁରରୁ ପାର୍ଥିବ ଶରୀର ବଡଚମ୍ପାଓଦା ଗାଁରେ ପହଁଚିବା ପରେ ଶେଷ ଦର୍ଶନକରିଥିଲେ ଶହ ଶହ ଜନତା । ସ୍ଥାନୀୟ ଜନପ୍ରତିନିଧି, ପ୍ରଶାସନିକ ଅଧିକାରୀ ଓ ସେନା ଅଧିକାରୀଙ୍କ ଅନ୍ତିମ ଶ୍ରଦ୍ଧାଂଜଳି ପରେ ରାଷ୍ଟ୍ରୀୟ ସମ୍ମାନ ସହ ସହିଦ ନୁଦୁୁରାମ ସୋରେନଙ୍କ ଅନ୍ତିମ ସଂସ୍କାର କରାଯାଇଛି । ସହିଦ ନୁଦୁରାମ ଅମର ରହେ ନାରାରେ କମ୍ପି ଉଠିଥିଲା ସହିଦଙ୍କ ପୈତୃକ ଗାଁ ବଡଚମ୍ପାଓଦା ।

ସେପଟେ କନ୍ଧମାଳ ଜିଲ୍ଲା ରାଇକିଆରେ ସହିଦ ଚନ୍ଦ୍ରକାନ୍ତ ପ୍ରଧାନଙ୍କ ପାର୍ଥିବ ଶରୀରର ଶେଷ ଦର୍ଶନ କରିଛନ୍ତି ଶହ ଶହ ଜନତା । ରାଇକିଆରୁ ଜନ୍ମମାଟି ବିଅରପାଙ୍ଗା ଗାଁକୁ ନିଆଯାଇଥିଲା ସହିଦ ଚନ୍ଦ୍ରକାନ୍ତ ପ୍ରଧାନଙ୍କ ପାର୍ଥିବ ଶରୀର । ସେଠାରେ ଅନ୍ତିମ ଦର୍ଶନ ପାଇଁ ଗାଁରେ ପ୍ରଶାସନ ସମସ୍ତ ଆୟୋଜନ କରିଥିଲା । ସେଠାରେ ସହିଦ ଚନ୍ଦ୍ରକାନ୍ତଙ୍କୁ ରାଷ୍ଟ୍ରୀୟ ସମ୍ମାନ ପ୍ରଦାନ କରାଯିବା ପରେ ତାଙ୍କ ପରମ୍ପରା ଆଧାରରେ ଅନ୍ତିମ ସଂସ୍କାର କରାଯାଇଛି । ବୀର ସହିଦଙ୍କୁ ଝୁରୁଛି ପୁରା ଗାଁ । ସହିଦଙ୍କ ବଳିଦାନକୁ ନେଇ ଓଦା ହୋଇଛି ସମସ୍ତଙ୍କ ଆଖି ।