କନକ ବ୍ୟୁରୋ : ଶାନ୍ତ ହୋଇଗଲେ ସ୍ୱରର ସରସ୍ୱତୀ ଲତା ମଙ୍ଗେସକର । ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକର ଦୀର୍ଘ ୨୯ ଦିନ ଭେଣ୍ଟିଲେଟରରେ ରହିବା ପରେ ୯୨ ବର୍ଷ ବୟସରେ ଆଖି ବୁଜିଛନ୍ତି । ଆଉ ଲତାଙ୍କ ଦେହାନ୍ତରେ ପୂରା ଦେଶରେ ଶୋକର ଛାୟା ଖେଳିଯାଇଛି । ପୂରା ଦେଶ ଏବେ ଲତାଙ୍କୁ ଝୁରୁଛି । ତଥାପି ଲତାଙ୍କ କାଳଜୟୀ ତାଙ୍କୁ ସବୁବେଳେ ଲୋକଙ୍କ ମନରେ ଅମର ରଖିବ । ଲତାଙ୍କ ପରଲୋକରେ ଦେଶ ବିଦେଶର ଅନେକ ଲୋକ ଟ୍ୱିଟ୍ କରି ଶୋକପ୍ରକାଶ କରିଛନ୍ତି । ଏପରିକି ଲତାଙ୍କ ଶେଷ ଝଲକ ଦେଖିବାକୁ ମୁମ୍ବାଇର ବ୍ରିଚ୍ କାଣ୍ଡି ହସ୍ପିଟାଲ ସାମ୍ନାରେ ହଜାର ହଜାର ଲୋକଙ୍କର ଭିଡ ଜମିଛି । ଯେଉଁଥିପାଇଁ ହସ୍ପିଟାଲ ବାହାରେ ପୋଲିସ ସୁରକ୍ଷା ବଳୟ ତିଆରି କରିଛି । କାରଣ ବିଭିନ୍ନ କ୍ଷେତ୍ରରୁ ପ୍ରତିଷ୍ଠିତ ଲୋକ ଲତାଙ୍କୁ ଦର୍ଶନ କରିବାକୁ ହସ୍ପିଟାଲରେ ପହଞ୍ଚୁଛନ୍ତି ।
ଏସବୁ ଭିତରେ ଲତାଙ୍କ ପରଲୋକ ପାଇଁ ଦେଶରେ ଦୁଇ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଏହି ଦୁଇ ଦିନ ଭାରତୀୟ ଜାତୀୟ ପତାକା ଅର୍ଦ୍ଧନମିତ ହୋଇ ରହିବ । ତେବେ ଲତାଙ୍କ ଶେଷ ଦର୍ଶନ ପାଇଁ ତାଙ୍କ ମରଶରୀରକୁ ପରେଡ ରୋଡସ୍ଥିତ ବାସଭବନକୁ ନିଆଯିବ । ଅପରାହ୍ନ ୧୨.୩୦ରୁ ୩ଟା ପର୍ଯ୍ୟନ୍ତ ଲତାଙ୍କ ଶେଷଦର୍ଶନ କରିବେ ଲୋକେ । ଆଉ ଏହାପରେ ଶିବାଜୀ ପାର୍କରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସନ୍ଧ୍ୟା ୬ଟା ୩୦ରେ ସ୍ୱର ସାମ୍ରାଜ୍ଞୀଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯିବ ।
Mumbai | Mortal remains of #LataMangeshkar to be taken to her residence around 1230 hours. The last rites with full State honours will be conducted at Shivaji Park at 6.30pm today
— ANI (@ANI) February 6, 2022
ଲତାଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକପ୍ରକାଶ କରିବା ସହ କହିଛନ୍ତି, ଏଭଳି ଶବ୍ଦ ଲେଖିବାକୁ ମୋତେ ବହୁତ କଷ୍ଟ ହେଉଛି ଯେ, ଲତା ଦିଦି ଆମକୁ ଛାଡି ଚାଲିଗଲେ । ଲତା ଦିଦିଙ୍କ ପରଲୋକରେ ଦେଶରେ ଏକ ଖାଲିପଣ ସୃଷ୍ଟି ହୋଇଛି । ଯାହାକୁ କେବେ ପୂରା କରାଯାଇପାରିବ ନାହିଁ । ଲତା ମଙ୍ଗେସକର କେତେ ବଡ କଳାକାର ଥିଲେ ତାହା ଆଗାମୀ ପିଢୀ ମନେରଖିବ । ଲୋକଙ୍କ ମନ ଜିଣିବାକୁ ଲତାଙ୍କ ସ୍ୱରରେ ଶକ୍ତି ରହିଥିଲା । ଦୀର୍ଘ ଦଶନ୍ଧି ଧରି ଲତା ଭାରତୀୟ ସଙ୍ଗୀତ ଜଗତ ସହ ଜଡିତ ରହିଛନ୍ତି । ଫିଲ୍ମ ସହ ସେ ଦେଶର ବିକାଶକୁ ନେଇ ମଧ୍ୟ ବେଶ ଚିନ୍ତିତ ଥିଲେ । ସେ ସବୁବେଳେ ମଜବୁତ ଓ ବିକଶିତ ଭାରତ ଦେଖିବାକୁ ଚାହୁଁଥିଲେ । ମୁଁ ନିଜକୁ ସୌଭାଗ୍ୟଶାଳୀ ମନେ କରୁଛି ଯେ, ମୋତେ ଲତା ଦିଦିଙ୍କ ସ୍ନେହ ମିଳିଥିଲା । ତାଙ୍କ ସହ ମୋର ଭେଟଘାଟ ସବୁବେଳେ ମନେରହିବ ।