କନକ ବ୍ୟୁରୋ: ଦେବୀ ଦର୍ଶନ ପାଇଁ ଯାଉଥିବା ମଣିଷର ଜୁଇ ଜଳିଛି । ଘରେ କାନ୍ଦବୋବାଳି ପଡିଛି । ପରିବାର ସହ ହସଖୁସିରେ ମାଆ ତାରିଣୀଙ୍କ ଦର୍ଶନ ପାଇଁ ଯାଉଥିବା ଦୁଇ ସଙ୍ଗାତ ଶବ ହୋଇ ଗାଁକୁ ଫେରିଛନ୍ତି । କେନ୍ଦୁଝର ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ଶବ ବ୍ୟବଚ୍ଛେଦ ହେବା ପରେ ଗତକାଲି ବିଳମ୍ବିତ ରାତିରେ ଗାଁରେ ପହଞ୍ଚିଥିଲା । ପ୍ରିୟଜନଙ୍କ ଶବ ଦେଖି ଅବାକ ହୋଇଯାଇଛନ୍ତି ସମସ୍ତେ । କାନ୍ଦବୋବାଳିରେ ଫାଟି ପଡୁଥିଲା ପରିବେଶ । ସ୍ତବ୍ଧ ହୋଇଯାଇଛି ପୂରା ଗାଁ । ଗାଁ ମଶିଣିରେ ଜଳିଛି ଏକାଧିକ ଜୁଇ । ଗଂଜାମ ସାନଖେମୁଣ୍ଡି ବ୍ଲକ୍ ପୋଡାମାରି ଓ ବତାଗଡ ଗାଁ ମଶାଣିରେ ମୃତକଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଗୋଟିଏ ଗୋଟିଏ ଘରୁ ୩-୪ଟି ଲେଖାଏଁ କୋକେଇ ଉଠିଛି ।

Advertisment

ଘଟଗାଁ ତାରିଣୀ ଦର୍ଶନ ପାଇଁ  ଦୁଇ ସଙ୍ଗାତ ପୋଡାମରି ଗାଁର ଆକାଶ ପ୍ରଧାନ ଓ ବତାଗଡ଼ ଗାଁର ମଦନ ଗୌଡ଼ଙ୍କ ପରିବାର ବାହାରିଥିଲେ ।  ୨୪ଜଣ ଏକାଠି ହୋଇ ଗୁରୁବାର ରାତିରେ ଏକ ମିନିବସ୍ରେ କେନ୍ଦୁଝର ଯାଉଥିଲେ । ଶୁକ୍ରବାର ସକାଳୁ ତାରିଣୀ ଦର୍ଶନ କରି ପୁରୀ ଅଭିମୁଖେ ଯିବାର ଯୋଜନା ରହିଥିଲା । ହେଲେ ତାରିଣୀ ପୀଠ ଠାରୁ ଅଳ୍ପ ଦୂରରେ ରାସ୍ତାରେ ଅଟକି ରହିଥିବା ଏକ ଟ୍ରକକୁ ପଛ ପଟୁ ଧକ୍କା ଦେଇଥିଲା ସେମାନଙ୍କ ଟ୍ରାଭେଲର । ଦୁର୍ଘଟଣାରେ ଦୁଇ ସାଙ୍ଗଙ୍କ ମୃତ୍ୟୁ ହୋଇଥିବା ବେଳେ ମଦନଙ୍କ ବାପା, ଭଉଣୀ, ଭିଣୋଇ ଓ ଭଣଜାଙ୍କର ମୃତ୍ୟୁ ହୋଇଛି । ସେହିପରି ଆକାଶଙ୍କ ମାଆ ଓ ପତ୍ନୀଙ୍କର ମଧ୍ୟ ଜୀବନ ଯାଇଛି ।