ପଞ୍ଚଭୂତରେ ଲୀନ ହେଲା ମିଲଖା ସିଂଙ୍କ ପାର୍ଥିବ ଶରୀର । ଭାବବିହ୍ୱଳ ପରିବେଶରେ ହେଲା ଅନ୍ତିମ ବିଦାୟ

192

କନକ ବ୍ୟୁରୋ: ପଞ୍ଚଭୂତରେ ଲୀନ ହେଲା କିମ୍ବଦନ୍ତୀ ଧାବକ ମିଲଖା ସିଂଙ୍କ ପାର୍ଥିବ ଶରୀର । ଚଣ୍ଡୀଗଡର ମଟକା ଚୈକରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଭାବ ବିହ୍ୱଳ ପରିବେଶରେ ମିଲଖା ସିଂଙ୍କୁ ଶେଷ ବିଦାୟ ଦିଆଯାଇଛି । ଏହି ସମୟରେ କେନ୍ଦ୍ର କ୍ରୀଡା ମନ୍ତ୍ରୀ କିରଣ ରିଜ୍ଜୁ, ପଞ୍ଜାବ ଗଭର୍ନର ଭିପି ସିଂ ବାଦନୋର ଓ ହରିୟାଣା କ୍ରିଡାମନ୍ତ୍ରୀ ସନ୍ଦିପ ସିଂ ପ୍ରମୁଖ ଉପସ୍ଥିତି ଥିଲେ ।

କିମ୍ବଦନ୍ତୀ ଧାବକ ମିଲଖା ସିଂଙ୍କ ଗତକାଲି ବିଳମ୍ବିତ ରାତିରେ ଚଣ୍ଡିଗଡ଼ର ପିଜିଆଇ ହସ୍ପିଟାଲରେ ଦେହାନ୍ତ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା । ପ୍ରାୟ ମାସେ ହେବ କରୋନାରେ ଆକ୍ରାନ୍ତ ହୋଇଥିଲେ ମିଲଖା ସିଂ । ପାଂଚ ଦିନ ତଳେ ପତ୍ନୀ ନିର୍ମଳାଙ୍କୁ ହରାଇଥିଲେ । ମିଲଖାଙ୍କ ବିୟୋଗ କ୍ରୀଡା ଜଗତକୁ ସ୍ତବ୍ଧ କରିଦେଇଥିବା ବେଳେ ସାରା ଦେଶରେ ଶୋକର ଛାୟା ଖେଳିଯାଇଥିଲା ।

ସ୍ଥାନୀୟ ପିଜିଆଇଏମ୍ଆର ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଏହି ମହାନ କ୍ରୀଡା ତାରକାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ପରିଲକ୍ଷିତ ହେବାରୁ ବୁଧବାର ତାଙ୍କୁ ଆଇସିୟୁରୁ ଅନ୍ୟ ୱାର୍ଡକୁ ସ୍ଥାନାନ୍ତରିତ କରାଯାଇଥିଲା । ଗୁରୁବାର ପର୍ୟ୍ୟନ୍ତ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ଠାକ୍ ଥିଲା । ହେଲେ ଶୁକ୍ରବାର ପୁଣି ଥରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇପଡ଼ିଥିଲା । ତାଙ୍କ ଦେହରେ ଜ୍ୱର ବଢ଼ି ଯାଇଥିଲା ବେଳେ ଅକ୍ସିଜେନ ସ୍ତର ମଧ୍ୟ ଦ୍ରୁତ ଗତିରେ ନିମ୍ନଗାମୀ ହେବାର ଲାଗିଥିଲା । ମିଲଖାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପୁଣି ଆଇସିୟୁରେ ଭର୍ତି କରାଯାଇଥିଲା । ହେଲେ ଡାକ୍ତରମାନଙ୍କ ସମସ୍ତ ଉଦ୍ୟମ ବିଫଳ ହୋଇଥିଲା ।