ମାଲକାନଗିରି ଜିଲ୍ଲାରେ ପ୍ରଥମ କରୋନା ମୃତ୍ୟୁ: କୋଭିଡ ନିୟମ ପାଳନ କରି ପରିବାରକୁ ଦିଆଗଲାନି ମୃତଦେହ; ମର୍ଯ୍ୟାଦାର ସହ ଅନ୍ତିମସଂସ୍କାର କଲା ପ୍ରଶାସନ

ଶେଷ କୃତ୍ୟରେ ସାମିଲ ହେଲେ ମୃତକଙ୍କ ପୁଅ ଓ ୨ ସଂପର୍କୀୟ

245

କନକ ବ୍ୟୁରୋ: କରୋନାର ଭୟ ଭିତରେ ମାନବ ପଣିଆ ଦେଖାଇଛି ମାଲକାନଗିରି ଜିଲ୍ଲା ପ୍ରଶାସନ । କରୋନାରେ ମୃତ୍ୟୁ ବରଣ କରିଥିବା ରୋଗୀଙ୍କୁ ସମ୍ମାନର ସହ ଶେଷକୃତ୍ୟ କଲେ ଜିଲ୍ଲାର ପୁଲିସ ଓ ପ୍ରଶାସନିକ ଅଧିକାରୀ । ଜିଲ୍ଲାର ପ୍ରଥମ କରୋନା ରୋଗୀଙ୍କ ମୃତଦେହକୁ ମର୍ଯ୍ୟାଦାର ସହ ଶେଷ କୃତ୍ୟ କରିଛି ପ୍ରଶାସନ । ଗୋଟିଏ ପଟେ କରୋନା ରୋଗୀଙ୍କ ମୃତଦେହକୁ ଶେଷ ମର୍ଯ୍ୟାଦା ଦିଆଯାଉନଥିବା ଖବର ଆସୁଛି । ଏପରି ସମୟରେ କରୋନାରେ ମୃତ ରୋଗୀଙ୍କୁ ରୀତି ନୀତି ଅନୁସାରେ ସମ୍ମାନଜନକ ଅନ୍ତିମ ସଂସ୍କାର କରିଥିବା ମାଲକାନଗିରି ଜିଲ୍ଲା ପ୍ରଶାସନର ଏପରି ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଉଛି । ଗତକାଲି ମାଲକାନଗିରି ଜିଲ୍ଲାରେ ପ୍ରଥମ କରୋନା ରୋଗୀଙ୍କ ମୃତ୍ୟୁବରଣ କରିଥିଲେ ।

କୋଭିଡ ଗାଇଡଲାଇନ ଅନୁସରଣ କରି କିଛି ପିପିଇ ପିନ୍ଧା ପୌର କର୍ମଚାରୀଙ୍କୁ ନେଇ ରୀତିନୀତି ଅନୁସାରେ ଶବ ସକ୍ରାର କରିଛନ୍ତି ପ୍ରଶାସନିକ ଅଧିକାରୀ । କଫିନ ପ୍ରସ୍ତୁତ ଠାରୁ ଆରମ୍ଭ କରି ଶବ ଦାହ ଯାଏଁ ଯେମିତି ମୃତଦେହକୁ କୌଣସି ଅସମ୍ମାନ ନହୁଏ, ସେଥିପାଇଁ ମଶାଣୀ ଜୁଇ ନିକଟରେ ଉପସ୍ଥିତ ଥିଲେ ସ୍ଥାନୀୟ ତହସିଲଦାର, ଆଇଆଇସି, ପୌର ଅଧିକାରୀ ଓ ଯନ୍ତ୍ରୀ । ଏପରିକି ମୃତଦେହକୁ ସଂପୂର୍ଣ୍ଣ ମର୍ଯ୍ୟାଦାର ସହ ଆମ୍ବୁଲାନ୍ସରେ ମଶାଣୀକୁ ନିଆଯାଇଥିଲା । କୋଭିଡ ଗାଇଡଲାଇନ ଅନୁସାରେ ସଂକ୍ରମଣକୁ ଏଡାଇବା ପାଇଁ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇନଥିଲା । ତେବେ ଅନ୍ତିମ ସଂସ୍କାରରେ ସାମିଲ ହୋଇଥିଲେ ମୃତକଙ୍କ ପୁଅ ଓ ଦୁଇ ସଂପର୍କୀୟ ।