କନକ ବ୍ୟୁରୋ : ପୁଲୱାମା ଆତଙ୍କୀ ହମଲାରେ ସହିଦ ହୋଇଥିବା ବୀର ଯବାନଙ୍କୁ ଶେଷ ସଲାମୀ ଦେଲେ ପ୍ରଧାନମନ୍ତ୍ରୀ ମୋଦି । ଦିଲ୍ଲୀର ପାଲମ ବିମାନବନ୍ଦରରେ ସହିଦ ଯବାନଙ୍କ ପାର୍ଥିବ ଶରୀରେ ନତମସ୍ତକ ହୋଇ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହାସହ ସହିଦ ହୋଇଥିବା ସମସ୍ତ ଯବାନଙ୍କ ପାର୍ଥିବ ଶରୀର କଫିନ୍ ପାଖକୁ ଯାଇ ନତମସ୍ତକ ହୋଇ ହାତ ଯୋଡ଼ି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।
କେବଳ ପ୍ରଧାନମନ୍ତ୍ରୀ ମୋଦି ନୁହେଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସହ ମୋଦିଙ୍କ ମନ୍ତ୍ରୀ ମଣ୍ଡଳର ମନ୍ତ୍ରୀମାନେ ସହିଦ ଯବାନଙ୍କ ପାର୍ଥିବ ଶରୀରରେ ପୁଷ୍ପ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହାସହ ତିନି ସେନାର ମୁଖ୍ୟ ସହିଦ ଯବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ, ଗୃହମନ୍ତ୍ରୀ ରାଜନାଥ ସିଂ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।
ଶ୍ରୀନଗରରୁ ସ୍ୱତନ୍ତ୍ର ବିମାନ ଯୋଗେ ସହିଦଙ୍କ ପାର୍ଥିବ ଶରୀର ପାଲମ ବିମାନବନ୍ଦରକୁ ଅଣାଯାଇଥିଲା । ସେଠାରେ ସହିଦ ଯବାନ ମାନଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା । ଗତକାଲି ଆତ୍ମଘାତୀ ଆକ୍ରମଣରେ ସିଆରପିଏଫର ୪୦ ଜଣ ଯବାନ ସହିଦ ହୋଇଥିଲେ ।
ସମଗ୍ର ଦେଶବାସୀ ସହିଦ ଯବାନଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି । ଦେଶର କୋଣ ଅନୂକୋଣରେ ମହମବତୀ ଜାଳି ଦେଶମାତୃକା ପ୍ରତି ସେମାନଙ୍କ ତ୍ୟାଗ ଓ ବଳିଦାନକୁ ସମ୍ମାନ ଜଣାଇ କିଛି ସମୟ ନିରବ ପ୍ରାର୍ଥନା କରୁଛନ୍ତି ଦେଶପ୍ରେମୀ । ଦେଶର ବୀର ଯବାନ ମାନଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଏକାଠି ହୋଇଛନ୍ତି ପୂରା ଦେଶବାସୀ ।