କନକ ବ୍ୟୁରୋ : ରାସମଞ୍ଜରୀ ଦେବୀଙ୍କ ଦେହାନ୍ତରେ ଶୋକ ପ୍ରସ୍ତାବ ଆଗତ । ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରସ୍ତାବକୁ ବିରୋଧୀଙ୍କ ସମର୍ଥନ କରିଛନ୍ତି । ବିଧାନସଭାର ପୂର୍ବତନ ସଦସ୍ୟ ଥିଲେ ରାସମଞ୍ଜରୀ ଦେବୀ । ଆଠଗଡ଼ ନିର୍ବାଚନମଣ୍ଡଳୀର ପ୍ରଥମ ତଥା ଏକମାତ୍ର ମହିଳା ବିଧାୟିକା, ପୂର୍ବତନ କଟକ ଜିଲ୍ଲାପରିଷଦ ଉପସଭାପତି, ତିଗିରିଆ ପଞ୍ଚାୟତ ସମିତିର ପ୍ରଥମ ଅଧ୍ୟକ୍ଷା ତଥା ତିଗିରିଆ ଗଡ଼ଜାତର ପୂର୍ବତନ ରାଣୀ ରାସମଞ୍ଜରୀ ଦେବୀଙ୍କର ପରଲୋକ ହୋଇଯାଇଛି । ତାଙ୍କୁ ୯୬ ବର୍ଷ ବୟସ ହୋଇଥିଲା । ବହୁଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ ।

Advertisment

ସୋନପୁର ମହାରାଜା କୁମାର ଯଶୋବନ୍ତ ସିଂହଦେଓ ଓ ମହାରାଣୀ ତ୍ରିଦୋଶେଶ୍ୱରୀଙ୍କ ଏକମାତ୍ର ଝିଅ ରାସମଂଜରୀ ୧୯୨୭ ନଭେମ୍ବର ୧୯ ତାରିଖରେ ଜନ୍ମଗ୍ରହଣ କରିଥିଲେ । ୧୯୪୪ ମସିହାରେ ସେ ତିଗିରିଆ ଗଡ଼ଜାତର ଶାସକ ରାଜା ରାଜଶ୍ରୀ ବ୍ରଜରାଜ କ୍ଷତ୍ରୀୟ ବୀରବର ଚମୁପତି ସିଂ ମହାପାତ୍ରଙ୍କୁ ବିବାହ କରିଥିଲେ । ତତ୍କାଳୀନ ରାଜନେତା ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ଉଦ୍ୟମରେ ରାସମଞ୍ଜରୀ ଦେବୀ ୧୯୬୭ ମସିହାରେ ରାଜନୀତିକୁ ଆସିଥିଲେ । ୧୯୭୦ରୁ ୧୯୭୩ ମସିହା ପର୍ଯ୍ୟନ୍ତ ତିଗିରିଆ ବ୍ଲକ୍‌ ତଥା ସମଗ୍ର ରାଜ୍ୟର ପ୍ରଥମ ମହିଳା ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାବେ ସେ ସଫଳତାର ସହ କାର୍ଯ୍ୟ ସମ୍ପାଦନ କରିଥିଲେ ।

୧୯୬୯, ୧୯୭୧ ଓ ୧୯୭୪ରେ କ୍ରମାଗତ ତିନିଥର ଆଠଗଡ଼ ନିର୍ବାଚନମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦ୍ବିତା କରି ସେ ସ୍ୱଳ୍ପ ଭୋଟ୍‌ ବ୍ୟବଧାନରେ ପରାସ୍ତ ହୋଇଥିଲେ । ତେବେ ୧୯୭୭ ମସିହାରେ କଂଗ୍ରେସର ବିଧାୟକ ପ୍ରାର୍ଥୀ ରସାନନ୍ଦ ସାହୁଙ୍କୁ ପ୍ରାୟ ୬ ହଜାର ୫୦୦ ଭୋଟ୍‌ରେ ପରାସ୍ତ କରି ରାସମଞ୍ଜରୀ ଦେବୀ ୨ ବର୍ଷ ୮ ମାସ ପାଇଁ ଆଠଗଡ଼ ନିର୍ବାଚନମଣ୍ଡଳୀର ପ୍ରଥମ ମହିଳା ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।