ସାମ୍ନାକୁ ଆସିଲା ଦେବେନ୍ଦ୍ର ସାମନ୍ତରାୟଙ୍କ ଶେଷ କବିତା । ଏକ ସ୍ୱପ୍ନକୁ ନେଇ ଡାଏରୀରେ ଲେଖିଥିଲେ କବିତା, ମୃତ୍ୟୁଦୂତ ଡାକୁଥିବା ନେଇ ଦେଖିଥିଲେ ସ୍ୱପ୍ନ । 

362

କନକ ବ୍ୟୁରୋ : ମୃତ୍ୟୁଦୂତକୁ ପାଖରୁ ଦେଖିଥିଲେ ସମ୍ବାଦର ବାର୍ତ୍ତା ସମ୍ପାଦକ ଦେବେନ୍ଦ୍ର ସାମନ୍ତରାୟ । ଡାକ୍ତରଖାନାରେ ଆଡମିଟ ହେବା ପରେ ସେ ଏକ କବିତା ଲେଖିଥିଲେ । ଏହି କବିତା ମାଧ୍ୟମରେ ସେ କହିବାକୁ ଚାହିଁଥିଲେ ଯେ, ସ୍ୱପ୍ନରେ ମୃତ୍ୟୁଦୂତ ତାଙ୍କୁ ଡାକିବାକୁ ଆସିଥିଲା । ଆଉ ଏହି କବିତାକୁ ତାଙ୍କ ଝିଅ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଆଉ କବିତାରେ ଦେବେନ୍ଦ୍ର ଯେଉଁ କଥା ଲେଖିଛନ୍ତି ତାହା ସତରେ ବୁଝୁଥିବା ଲୋକଙ୍କ ପାଇଁ ହୃଦୟସ୍ପର୍ଶୀ । କରୋନାରେ ଏହି ବରିଷ୍ଠ ସାମ୍ବାଦିକ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।

ଏପ୍ରିଲ ୧୪ ତାରିଖରେ ହସ୍ପିଟାଲରେ ଆଡମିଟ ହୋଇ ସେହି ରାତିରେ ଏହି ଡାଏରୀ ଲେଖିଥିଲେ ସମ୍ବାଦର ବାର୍ତ୍ତା ବିଭାଗ ଡିଜିଏମ ଦେବେନ୍ଦ୍ର ସାମନ୍ତରାୟ ।  ତାଙ୍କ ଝିଅ ଦିବ୍ୟାଶା ସାମନ୍ତରାୟ ଏହି ଚିଠିକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ଦେବେନ୍ଦ୍ର ସାମନ୍ତରାୟ ଲେଖା ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ । ହସପିଟାଲରେ ଆଡମିଟ ହେବାର ଦୁଇଦିନ ପୂର୍ବରୁ ଏକ ସ୍ୱପ୍ନ ଦେଖିଥିଲେ ଦେବେନ୍ଦ୍ର । ଏହି ସ୍ୱପ୍ନରେ ମୃତ୍ୟୁଦୂତ ତାଙ୍କୁ ଡାକିବାକୁ ଆସିଥିଲା ବୋଲି ଏକ କବିତା ମାଧ୍ୟମରେ ଲେଖିଥିଲେ ଦେବେନ୍ଦ୍ର ।

ତୁମେ ଏମିତି ବି ଦିନେ ଚୁପଚାପ ମୋ ପାଖକୁ ଚାଲିଆସିବ

           ନିସ୍ତବ୍ଧ ଅନ୍ଧାରରେ ବାରମ୍ବାର ଛୁଇଁବ

           ଲୁଚକାଳି ଅନ୍ଧପୁଟୁଳି ଖେଳିବ

          ପୁଣି ସେହି ମୁହୁର୍ତର ନିଶ୍ୱାସକୁ ନେଇ 

           ଚୁପଚାପ ବାଟ ଭାଙ୍ଗି ଚାଲିଯିବ…

ଏହି କବିତା ମାଧ୍ୟମରେ ଦେବେନ୍ଦ୍ର ସାମନ୍ତରାୟ ଲେଖିବାକୁ ଚାହୁଁଥିଲେ, ରାତି ତମାମ ତାଙ୍କୁ ଏହି ସ୍ୱପ୍ନ ବ୍ୟଥିତ କରିଥିଲା । ସ୍ୱପ୍ନରେ ସେ ଅନୁଭବ କରୁଥିଲେ  ମୃତ୍ୟୁଦୂତ ତାଙ୍କୁ ଡାକୁଛି ଏବଂ ଯେକୌଣସି ମୁହୂର୍ତରେ ସତେଯେମିତି ତାଙ୍କ ନିଃଶ୍ୱାସ ଅଟକିଯିବ । ସେ ଲେଖିଛନ୍ତି, ମୃତ୍ୟୁସହିତ ସେହି ସ୍ୱପ୍ନରେ ସେ ଲଢେଇ କରୁଥିଲେ  କିନ୍ତୁ ତାଙ୍କ ଦେହ ଅବଶ ହୋଇଯାଉଥିଲା । ନିଦ ଭାଙ୍ଗିଲାବେଳକୁ ମୃତ୍ୟୁଦୂତ ତ ଚାଲିଯାଇଥିଲା କିନ୍ତୁ ତାଙ୍କ ମନରେ ଅନେକ ଆଶଙ୍କା ଛାଡିଯାଇଥିଲା ।

ଏହି କବିତା ଲେଖିବାର ୨ ସପ୍ତାହ ପରେ ଏପ୍ରିଲ ୩୦ ତାରିଖରେ କରୋନାରେ ଆକ୍ରାନ୍ତ ଦେବେନ୍ଦ୍ରଙ୍କ ପ୍ରାଣବାୟୁ ଉଡିଯାଇଥିଲା । ଏହି କବିତା ପଢିଲେ ଲାଗିବ ଯେ ମୃତ୍ୟୁ ଆସିବ ବୋଲି ସେ ସତେ ଯେମିତି ଜାଣିପାରିଥିଲେ । ଆଉ କବିତା ଶେଷରେ ଦେବେନ୍ଦ୍ର ଲେଖିଥିଲେ ଏପ୍ରିଲ ୧୨ ତାରିଖ ରାତିର କିଛି ସତ ସ୍ୱପ୍ନକୁ ଆଧାର କରି ଏ ଲେଖା ଲେଖିଛନ୍ତି । ଏହାକୁ ବିଶ୍ୱାସ କରିବା ନ କରିବା ଆପଣଙ୍କ ଇଚ୍ଛାଧୀନ ବିଷୟ ବୋଲି ମଧ୍ୟ ଲେଖିଛନ୍ତି ।