ସାମ୍ନାକୁ ଆସିଲା ଚନ୍ଦନଙ୍କ ଶେଷ ଫୋନ୍ କଲ୍ । ନଦୀକୁ ଡେଇଁବା ପୂର୍ବରୁ ପିଉସୀଙ୍କୁ କରିଥିଲେ କଲ୍ । ଆଖିରେ ଲୁହ ଆଣିଦେବ କୁନି ଝିଅର କଥା
କନକ ବ୍ୟୁରୋ: ଭଦ୍ରକ ବୈତରଣୀ ନଦୀକୁ ଡେଇଁବା ପୂର୍ବରୁ ସାମ୍ନାକୁ ଆସିଲା ଚନ୍ଦନଙ୍କ ଶେଷ ଫୋନ୍ । ଅଢେଇ ବର୍ଷର କୁନି ଝିଅକୁ ଗାଡିରେ ବସାଇ ନିଜ ପିଉସୀଙ୍କୁ ଫୋନ୍ କରୁଛନ୍ତି ଚନ୍ଦନ । ଗାଡି ଚଳାଇବା ସମୟରେ ଫୋନରେ କଥା ହେଉଥିବାରୁ ବାପାଙ୍କୁ ଆକଟ କରୁଛି କୁନି ଝିଅ । ଆଉ କୁନି ଝିଅର ଏହି କଥା ଆପଣଙ୍କ ଆଖରେ ଲୁହ ଆଣିଦେବ । ବାପାକୁ କହୁଛି, ବାପା ଗାଡି ଚଳାଇବେ ବେଳେ କାହିଁକି କଥା ହେଉଛ ।

Kanak News is now on WhatsApp
Join and get latest news updates delivered to you via WhatsApp
ଚନ୍ଦନ ପିଉସୀଙ୍କ ସହ କଥା ହେବା ବେଳେ କହୁଛନ୍ତି, ସେ ତାଙ୍କ କୁନି ଝିଅକୁ ନେଇ ବହୁତ ଦୂରକୁ ପଳାଇ ଆସିଛନ୍ତି । ନଦୀକୁ ଡେଇଁ ପଡ଼ିବେ । ଚନ୍ଦନର ଏପରି କଥା ଶୁଣି ଆଶ୍ଚର୍ଯ୍ୟ ହୋଇପଡ଼ୁଛନ୍ତି ତାଙ୍କ ପିଉସୀ । ତାଙ୍କୁ ବୁଝାଇବା ପାଇଁ ଚେଷ୍ଟା କରୁଛନ୍ତି । କୁନି ଝିଅର ଭବିଷ୍ୟତ କଥା ଭାବିବା ସହ ଏପରି ପଦକ୍ଷେପ ନନେବା ପାଇଁ ବୁଝାଉଛନ୍ତି । ହେଲେ ନିଜ ନିଷ୍ପତିରେ ଅଟଳ ଚନ୍ଦନ । ପିଉସୀଙ୍କ କଥା ଶୁଣୁ ନାହାନ୍ତି । ନଦୀକୁ ଡେଇଁ ପଡ଼ି ଜୀବନ ହାରିବେ ବୋଲି ବାରମ୍ବାର କହୁଛନ୍ତି । ଚନ୍ଦନ ଓ ତାଙ୍କ ପିଉସୀ ଫୋନରେ କଥା ହେଉଥିବା ବେଳେ ମଧ୍ୟ କୁନି ଝିଅଟି ବାପାଙ୍କୁ ଅନେକ କଥା କହୁଛି ।
ଗତକାଲି ଭଦ୍ରକ ଆଖୁଆପଦା ନିକଟ ବୈତରଣୀ ନଦୀକୁ ଡେଇଁ ପଡ଼ିଥିବା ବାପା-ଝିଅଙ୍କୁ ଏବେ ବି ଖୋଜାଖୋଜି ଚାଲିଛି । ଆଜି ସକାଳୁ ଦମକଳ ବାହିନୀ ପକ୍ଷରୁ ନଦୀରେ ଖୋଜାଖୋଜି କରାଯାଉଛି । ଗତକାଲି ରାତିରେ ବୈତରଣୀ ନଦୀକୁ ଡେଇଁପଡ଼ିଥିଲେ ବାଲିପୋଖରୀ ଗାଁର ଚନ୍ଦନ ସାହୁ ଓ ତାଙ୍କ ଅଢେଇ ବର୍ଷର ଝିଅ । ରାତି ସହ ନଦୀର ପାଣି ଅଧିକ ଥିବାରୁ ସେମାନଙ୍କୁ ଉଦ୍ଧାର କରାଯାଇପାରିନଥିଲା । ଆଜି ସକାଳୁ ଦୁଇ ଜଣଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଆରମ୍ଭ ହୋଇଛି ।
ଚନ୍ଦନ ୪ ବର୍ଷ ତଳେ ଲକ୍ଷ୍ମୀପ୍ରିୟାଙ୍କୁ ବିବାହ କରିଥିଲେ । ଚନ୍ଦନ ସୁରତର ଏକ ସୂତା ମିଲରେ କାମ କରୁଥିଲେ । ବିବାହ ପରେ ସ୍ୱାମୀ-ସ୍ତ୍ରୀ ସେଠାରେ ରହୁଥିଲେ । ପାରିବାରିକ ଅଶାନ୍ତି କାରଣରୁ ପତ୍ନୀ ସୁରତରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ସେବେଠାରୁ ମାନସିକ ଚାପରେ ଥିଲେ ଚନ୍ଦନ । ଅଢେଇ ବର୍ଷର ଝିଅ ସହ ଘରକୁ ଫେରିଥିଲେ ମଧ୍ୟ ତାଙ୍କ ମନ ଭଲ ଲାଗୁନଥିବା କହିଥିଲେ । ପତ୍ନୀଙ୍କ ପାଖକୁ ପଳାଇବେ ବୋଲି ଘର ଲୋକ ଓ ସମ୍ପର୍କୀୟଙ୍କୁ କହୁଥିଲେ । ଆଉ ଗତକାଲି ରାତିରେ ଅଢେଇ ବର୍ଷର ଝିଅ ତାଙ୍କ ଜେଜେଙ୍କୁ ଫୋନ୍ କରିଥିଲେ । ବାପା ଓ ସେ ମା’ଙ୍କ ପାଖକୁ ଯାଉଛନ୍ତି ବୋଲି କହିଥିଲେ । ଏହା ପରେ ତାଙ୍କ ଫୋନ୍ ସୁଇଚ୍ ଅଫ୍ ହୋଇଯାଇଥିଲା ।