ଆସନ୍ତାକାଲି ବିହାରର ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ । ୭୮ ଟି ଆସନ ପାଇଁ ମତଦାନ କରିବେ ୨ କୋଟି ୩୫ ଲକ୍ଷ ଭୋଟର

87

କନକ ବ୍ୟୁରୋ : ବିହାର ବିଧାନସଭା ପାଇଁ ଆସନ୍ତା କାଲି ତୃତୀୟ ବା ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ । ଏହି ଶେଷ ପର୍ଯ୍ୟାୟରେ ୧୫ ଟି ଜିଲ୍ଲାର ୭୮ ଟି ବିଧାନସଭା ପାଇଁ ମତଦାନ କରିବେ ୨ କୋଟି ୩୫ ଲକ୍ଷ ଭୋଟର । ଅବାଧ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ମତଦାନ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୁଡାନ୍ତ ହୋଇଛି ।

ଏହି ଶେଷ ପର୍ଯ୍ୟାୟ ମତଦାନରେ ୨ କୋଟି ୩୫ ଲକ୍ଷ ଭୋଟର ୧୨୦୪ ଜଣ ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ କରିବେ । ଏହି ୧୨୦୪ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ୧୧୦ ଜଣ ମହିଳା ପ୍ରାର୍ଥୀ ରହିଛନ୍ତି । ୭୮ ଟି ବିଧାନସଭା ପାଇଁ ନିର୍ବାଚନ ଆୟୋଗଙ୍କ ଦ୍ୱାରା ୩୩ ହଜାର ୭୮୨ ଟି ମତଦାନ କେନ୍ଦ୍ର କରାଯାଇଛି । ଯାହା ମଧ୍ୟରୁ ୪,୯୯୯ ମତଦାନ କେନ୍ଦ୍ରକୁ ସମ୍ବେଦନଶୀଳ କେନ୍ଦ୍ର ଭାବେ ଚିହ୍ନଟ କରାଯାଇଛି । ଆସନ୍ତା କାଲି କିଷନଗଞ୍ଜ, କଟିହାର,ମାଧେପୁର ଏବଂ ସପୌଲ ଆଦି ୧୫ ଟି ଜିଲ୍ଲାରେ ମତଦାନ ହେବ । ସେହିଭଳି ଆସନ୍ତାକାଲି ବାଲ୍ମିକୀନଗର ସଂସଦୀୟ କ୍ଷେତ୍ର ପାଇଁ ବି ଉପନିର୍ବାଚନ ଅନୁଷ୍ଠିତ ହେବ ।

ମୁଖ୍ୟ ନିର୍ବାଚନ ଅଧିକାରୀ ଏଚ୍.ଆର ଶ୍ରୀନିବାସ କହିଛନ୍ତି କି ସକାଳ ୭ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ମତଦାନ ଅନୁଷ୍ଠିତ ହେବ । ହେଲେ ନକ୍ସଲ ପ୍ରବଣ ବାଲ୍ମିକୀନଗର, ରାମନଗର, ସିମ୍ରିର ଭକ୍ତିଆରପୁର ଏବଂ ମହିଶିହି ଆସନ ପାଇଁ ଦିନ ୪ ଟା ସୁଦ୍ଧା ଭୋଟ ଗ୍ରହଣ କରାଯିବ ।
ଆସନ୍ତାକାଲି ମତଦାନ ହେବାକୁ ଥିବା ୭୮ ଟି ଆସନ ମଧ୍ୟରୁ ବିଜେପି ୩୫ ଟି, ଜେଡିୟୁ ୩୭ ଟି ବିକାଶଶୀଳ ଇନସାନ୍ ପାର୍ଟି ୫ ଟି ହିନ୍ଦୁସ୍ଥାନ ଆୱାମ ମୋର୍ଚ୍ଚା ୧ ଟି ଆସନରେ ପ୍ରାର୍ଥୀ ଦେଇଛି ।

ସେହିଭଳି ମହାଗଠବନ୍ଧନରୁ ଆରଜେଡି ୪୬ ଟି, କଂଗ୍ରେସ ୨୫ ଟି ସପିଆଇ (ଏମଏଲଏ) ୫ଟି ଓ ସିପିଆଇ ଗୋଟିଏ ଆସନରୁ ପ୍ରତିଦ୍ୱନ୍ଦିତା କରୁଛି ।  ଅନ୍ୟପଟେ ଏଲଜେପି ୪୨ ଟି ଆସନ, ରାଷ୍ଟ୍ରୀୟ ଲୋକ ସମତା ପାର୍ଟି ୨୩ ଟି ଆସନରେ ପ୍ରତିଦ୍ୱନ୍ଦିତା କରୁଥିବା ବେଳେ ୫ ଟି ସହଯୋଗୀ ରାଜନୈତିକ ଦଳ ସହିତ ବହୁଜନ ସମାଜ ପାର୍ଟି ୧୯ ଟି ଆସନ ନିମନ୍ତେ ପ୍ରତିଦ୍ୱନ୍ଦିତା କରୁଛନ୍ତି ।
ଆସନ୍ତା କାଲି ମତଦାନ ସରିବା ପରେ ୧୦ ତାରିଖ ଦିନ ଭୋଟ ଗଣତି କରାଯାଇ ଫଳା ଫଳ ପ୍ରକାଶ କରାଯିବ ବୋଲି ନିର୍ବାଚନ କମିଶନ ସୂଚନା ଦେଇଛନ୍ତି ।