ତମେ ଅପେକ୍ଷା କରିଥାଅ, ମୁଁ ଖୁବ ଶୀଘ୍ର ଫେରିବି… କୋଡିଏ ବର୍ଷ ତଳେ କାର୍ଗିଲରୁ ଆସିଥିଲା ଶେଷ ଚିଠି

865

କନକ ବ୍ୟୁରୋ: ସୀମାରୁ ଆସିଥିଲା ଶେଷ ଚିଠି । ସହିଦ ହେବା ପୂର୍ବରୁ ସିନ୍ଦୂର ଲେଖିଥିଲା ଶେଷ ଚିଠି । ହାତକାଟି ତା ପ୍ରିୟତମା ସନ୍ଧ୍ୟାରାଣୀକୁ ସ୍ନେହବୋଳା ପ୍ରେମ ପତ୍ର ଲେଖିଥିଲା ପ୍ରିୟତମ । ଯାହା ଆଜି ବି ଶେଷ ସନ୍ତକ ଭାବେ ସାଇତା ରହିଛି । ସ୍ୱାମୀ ସହିଦ ହେବାକୁ ୨୦ ବର୍ଷ ବିତିଲାଣି ହେଲେ ସେହି ଶେଷ ଚିଠିରେ ସବୁଦିନ ନିଜ ସ୍ୱାମୀଙ୍କୁ ଦେଖନ୍ତି ସନ୍ଧ୍ୟାରାଣୀ । ସଞ୍ଜ ନଇଁଲେ ସ୍ୱାମୀ ନିରଞ୍ଜନଙ୍କ ଶେଷ ଚିଠିକୁ ସନ୍ଧ୍ୟାରାଣୀ ନିଇତି ପଢନ୍ତି, ନିଇତି ଝୁରନ୍ତି । ଜୀବନକୁ ଉପଭୋଗ କରିବା ଆଗରୁ ଅଧା ବାଟରେ ହାତ ଛାଡି ଦେଇଥିବାରୁ ସ୍ୱାମୀଙ୍କ ଉପରେ ଅଭିମାନ କରି ଲୁହ ଢାଳି ଭୋ ଭୋ କାନ୍ଦନ୍ତି । ସହିଦ ସ୍ୱାମୀଙ୍କ ଶେଷ ଚିଠିରେ ଲେଖାଥିବା ଶେଷ ଶବ୍ଦ, ଶେଷ ଉଚ୍ଚାରଣ ହିଁ ତାଙ୍କୁ ଜୀବନ ଜିଇଁବାକୁ ଜୁ ଦିଏ । ଚିଠିରେ ଲେଖାଥିବା ‘ପ୍ରିୟ ଡଲି’ ହିଁ ତାଙ୍କୁ ଦୁନିଆର ସବୁ ଦୁଃଖକୁ ପାର କରି ଆଗକୁ ଆଗେଇବାର ବାଟ ଦେଖାଏ ।


କାର୍ଗିଲ ବିଜୟକୁ ୨୦ ବର୍ଷ ପୂରିଛି । ଆଉ ୟାରି ଭିତରେ ଅନେକ ଘଟଣା, ଦୁର୍ଘଟଣା ଆଉ ଆକ୍ରମଣରେ ଆମର ପ୍ରିୟ ଯବାନମାନେ ଦେଶ ପାଇଁ ଜୀବନ ଦେଇ ଅମର ହୋଇଛନ୍ତି । ହେଲେ କାର୍ଗିଲ ବିଜୟର ସେ ମୁହୂର୍ତ୍ତକୁ ମନେ ପକାଇ, ଦେଶ ପାଇଁ ଜୀବନ ଦେଇଥିବା ଯବାନଙ୍କ ବଳିଦାନକୁ ମନେପକାଇ ସାରା ଦେଶ ସପ୍ତାହେ ହେଲା ପାଳୁଛି କାର୍ଗିଲ ବିଜୟ ଦିବସ । ଆଉ ଏତିକି ବେଳେ କାର୍ଗିଲରେ ସହିଦ ହୋଇଥିବା ଓଡିଆ ଯବାନଙ୍କ କଥା ମନେ ପଡିଛି । ଭଦ୍ରକ ଜିଲ୍ଲା ଚାନ୍ଦବାଲିର ସହିଦ ଯବାନ ନିରଞ୍ଜନ ବେହେରାଙ୍କ କାର୍ଗିଲର କୋହଭରା କାହାଣୀ ସାମ୍ନାକୁ ଆସିଛି । ଆଉ ସାମ୍ନାକୁ ଆସିଛି ସହିଦ ପୂର୍ବରୁ ସେ ଦେଇଥିବା ଶେଷ ଚିଠି କଥା ।

୨୦ ବର୍ଷ ତଳେ ନିରଞ୍ଜନ କାର୍ଗିଲରୁ ଦେଇଥିବା ଶେଷ ଚିଠିକୁ ଏବେ ବି ସାଇତି ରଖିଛନ୍ତି ତାଙ୍କ ପତ୍ନୀ ସନ୍ଧ୍ୟାରାଣୀ । ଯୁଦ୍ଧ ସମୟରେ ପରିବାର ଲୋକେ ନିରଞ୍ଜନଙ୍କ ପାଇଁ ବ୍ୟତିବ୍ୟସ୍ତ ହେଉଥିବାରୁ ଯୁଦ୍ଧ କ୍ଷେତ୍ରରୁ ହିଁ ଏକତ ଶାନ୍ତ୍ୱନାମୂଳକ ଚିଠି ଲେଖିଥିଲେ ଏହି ବୀର ଯବାନ । ୧୯୯୯ ଜୁଲାଇ ୨୧ ତାରିଖରେ ନିରଞ୍ଜନ ପଠାଇ ଥିବା ଚିଠି ଯେତେବେଳେ ତାଙ୍କ ଘରେ ପହଞ୍ଚିଥିଲା ସେତେବେଳେ ଖୁସିରେ ଆତ୍ମହରା ହୋଇଥିଲେ ପରିବାର ଲୋକେ ଆଉ ଖୁସିରେ ଫାଟି ପଡିଥିଲେ ସ୍ତ୍ରୀ ସଂଧ୍ୟାରାଣୀ । ଯୁଦ୍ଧ ଚାଲିଥିଲେ ବି ସେ ସୁରକ୍ଷିତ ଅଛନ୍ତି ଆଉ ଖୁବ ଶୀଘ୍ର ଫେରୁଛନ୍ତି ବୋଲି ଚିଠିରେ ଲେଖିଥିଲେ ।

ମାତ୍ର ନିରଞ୍ଜନଙ୍କ ସେ ଚିଠି, ତାଙ୍କ ପତ୍ନୀକୁ ଦେଇଥିବା ପ୍ରତିଶ୍ରୁତି ପତିଶ୍ରୁତିରେ ହିଁ ରହିଗଲା । ନିରଞ୍ଜନ ଯୁଦ୍ଧ ସାରି ଘରକୁ ଫେରିବା ଆଗରୁ ଶତ୍ରୁ ଗୁଳିର ସହିଦ ହୋଇଗଲେ । ଦେଶକୁ ରକ୍ଷା କରିବାକୁ ଯାଇ ଯୁଦ୍ଧ ଭୂମିରେ ଗଡି ପଡିଲେ । ଆଉ ସୀମାରୁ ଦେଇଥିବା ସେ ଚିଠି ସବୁଦିନ ପାଇଁ ଶେଷ ଚିଠି ପାଲଟିଗଲା ।

୧୯୯୯ ଜୁଲାଇ ୨୩ ତାରିଖରେ ପୁଅ ମୁରତୀର ଜନ୍ମଦିନ ପାଳନ ହେଉଥିବା ସମୟରେ ଘରକୁ ଆସିଥିଲା ବୀର ବାପାଙ୍କ ସହିଦ ଖବର । ନିରଞ୍ଜନଙ୍କ ସହିଦ ଖବର ଶୁଣିବା ପରେ ପରିବାର ଲୋକଙ୍କ ପାଦତଳୁ ମାଟି ଖସିଯାଇଥିଲା, ମୁଣ୍ଡ ଉପରୁ ଆକାଶଟା ଛିଡି ପଡିଥିଲା । ହେଲେ ଦେଶ ପାଇଁ ଜୀବନ ଦେଇଥିବାରୁ ନିରଞ୍ଜନଙ୍କୁ ନେଇ ସଦାଗର୍ବିତ ତାଙ୍କ ପତ୍ନୀ ଓ ତାଙ୍କ ପୁଅ । ଜନ୍ମଦିନରେ ବାପାଙ୍କ ବଳିଦାନର ଖବର ପୁଅ ପାଇଁ ସବୁବେଳେ ପ୍ରେରଣା ହୋଇଗଲା ବୋଲି କହିଛନ୍ତି ସହିଦଙ୍କ ପୁଅ ସମ୍ବିତ ।

ତେବେ ୨୦ ବର୍ଷ ତଳେ କଣ ଲେଖିଥିଲେ ନିରଞ୍ଜନ । ହାତକାଟି ନିଜ ପ୍ରେୟସୀଙ୍କୁ ସୀମାରୁ କଣ ଏମିତି ଲେଖିଥିଲେ ସହିଦ ଯବାନ, ପଢନ୍ତୁ…

ପ୍ରିୟ ଡଲି,
ମୋର ଆନ୍ତରିକ ଶୁଭେଚ୍ଛା ନେବୁ । ବାପା, ବୋଉଙ୍କୁ ମୋର ଭୂମିଷ୍ଠ ପ୍ରଣାମ । କୁନି ମୁରତୀକୁ ମୋର ଶୁଭେଚ୍ଛା । ଆଶା କରେ ବାବା ଆଖଣ୍ଡଳମଣିଙ୍କ ଦୟାରୁ ସେଠାରେ ଭଲରେ ଥିବୁ । ଲେଖିବାର କାରଣ ଏହିକି ଯେ, କାଲି ଟୁଟୁ ଠାରୁ ଖଣ୍ଡେ ଚିଠି ପାଇଲି । ଚିଠି ପାଇ ବହୁତ ଖୁସି ହେଲି । ଚିଠି ପଢି ସାରିବା ପରେ ମୋ ମନ ବହୁତ ଦୁଃଖ ହେଲା । ଏବେ ବି ମୋ ମନ ଭିତରେ ସବୁବେଳ ପାଇଁ ଦୁଃଖ । ତୋ କଥା ସବୁବେଳେ ମନେ ପଡୁଛି । ମୋ ପାଇଁ ତୁ ଏତେ କଷ୍ଟ ସହୁଛୁ ।
ଏ ଡଲି, ତୁ କେବେ ମନ ଦୁଃଖ କରିବୁ ନାହିଁ । ତୋ ଲୋକ ବାବା ଆଖଣ୍ଡଳମଣିଙ୍କ ଦୟାରୁ ବହୁତ ଭଲରେ ଅଛି ଏବଂ ବହୁତ ଖୁସିରେ ଅଛି । ମୁଁ ବର୍ତ୍ତମାନ ପ୍ରଣରେ ଅଛି । କାର୍ଗିଲ ଠାରୁ ପ୍ରାୟ ୫୦୦ କିଲୋମିଟର ଦୂରରେ । ଏଠାରେ କୌଣସି ଝାମେଲାର ପ୍ରଶ୍ନ ନାହିଁ । ମୁଁ ବହୁତ ଭଲରେ ଅଛି । ମୋ ବିଷୟରେ ଆଦୌ ଚିନ୍ତା କରିବୁନି । କେବେ ଉପାସରେ ଦିନ କାଟିବୁନି । ତୁ ଏଭଳି ଅଖିଆ ଅପିଆ ରହିଲେ, ଏଠାରେ ମୋତେ ବହୁତ କଷ୍ଟ ହେଉଛି ଡଲି । ତୋ କଷ୍ଟ ବି ମୁଁ ଆଦୌ ସହି ପାରିବି ନାହିଁ । ତୁ ସେଠାରେ ଖୁସିରେ ରହିଲେ ବାବା ଆଖଣ୍ଡଳମଣି ଏଠାରେ ମୋତେ ନିଶ୍ଚିତ ଖୁସିରେ ରଖିବେ । ତୋ ଆତ୍ମା ଦୁଃଖ ପାଇଲେ, ମୋ ଆତ୍ମା କେବେ ଶାନ୍ତିରେ ରହିପାରିବ ନାହିଁ । ବିଶ୍ୱାସ ରଖ ତୋ ଲୋକ ବାବା ଆଖଣ୍ଡଳମଣିଙ୍କ ଦୟାରୁ ଖୁସିରେ ଖୁସିରେ ତୋ ନିକଟକୁ ଫେରି ଆସିବ । ମୋ ପ୍ରିୟ ଡଲି କେବେ ମନ ଦୁଃଖ କରିବୁ ନାହିଁ । ମୁଁ ଜୁଲାଇ ଶେଷ କିମ୍ବା ଅଗଷ୍ଟକୁ ଘରକୁ ଯିବି । କେବେ ମନ ଦୁଃଖ କରିବୁ ନାହିଁ …