ରାଜ୍ୟର ସର୍ବାଧିକ ପ୍ରସାରିତ ଖବରକାଗଜ ‘ସମ୍ବାଦ’ ସହ ଯୋଡି ହେଲା ଆଉ ଏକ ସଂସ୍କରଣ: ନବମ ସଂସ୍କରଣ ଭାବେ ଲୋକାର୍ପଣ ହେଲା ସମ୍ବାଦର ଯାଜପୁର ଏଡିସନ୍

ରାଜ୍ୟର ସର୍ବାଧିକ ପ୍ରସାରିତ ଖବରକାଗଜ ‘ସମ୍ବାଦ’ ସହ ଯୋଡି ହେଲା ଆଉ ଏକ ସଂସ୍କରଣ: ନବମ ସଂସ୍କରଣ ଭାବେ ଲୋକାର୍ପଣ ହେଲା ସମ୍ବାଦର ଯାଜପୁର ଏଡିସନ୍

କନକ ବ୍ୟୁରୋ: ଲୋକାର୍ପଣ ହୋଇଛି ରାଜ୍ୟର ସର୍ବାଧିକ ପ୍ରସାରିତ ଓ ପଠିତ ଖବରକାଗଜ ‘ସମ୍ବାଦ’ର ଯାଜପୁର ସଂସ୍କରଣ । ‘ସମ୍ବାଦ’ର ନବମ ସଂସ୍କରଣ ଭାବେ ଯାଜପୁର ସଂସ୍କରଣ ଲୋକାର୍ପିତ ହୋଇଛି । ଲୋକାର୍ପଣ ଉତ୍ସବରେ ଅଧ୍ୟକ୍ଷତା କରିଥିଲେ ‘ସମ୍ବାଦ’ର ସଂପାଦକ ତଥା ରାଜ୍ୟସଭା ସାଂସଦ ସୌମ୍ୟରଂଜନ ପଟ୍ଟନାୟକ । ଏହି ସଂସ୍କରଣର ଉଦଘାଟକ ଭାବେ ଯୋଗ ଦେଇଥିଲେ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରତାପ ଜେନା । ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବିରୋଧୀ ଦଳର ନେତା ନରସିଂହ ମିଶ୍ର ।

publive-image

ସମ୍ମାନିତ ଅତିଥି ଭାବେ ବିଧାୟକ ପ୍ରଦୀପ ପୁରୋହିତ, ବିଧାୟକ ଅମରପ୍ରସାଦ ଶତପଥୀ, ବିଧାୟକ ଆକାଶ ଦାସ ନାୟକ ପ୍ରମୁଖ ଏହି ଉତ୍ସବରେ ସାମିଲ ହୋଇଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଯାଜପୁର ଓ କେନ୍ଦୁଝର ମାଟିର ବରପୁତ୍ରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ସେମାନଙ୍କ ମଧ୍ୟରେ ଅଛନ୍ତି ପଦ୍ମଶ୍ରୀ ତୁଳସୀ ମୁଣ୍ଡା, ଗାଳ୍ପିକ ଅତ୍ୟୁତାନନ୍ଦ ପତି, ଖ୍ୟାତନାମା ହୃଦରୋଗ ବିଶେଷଜ୍ଞ ଡାକ୍ତର ରମାକାନ୍ତ ପଣ୍ଡା, ଅଲମ୍ପିଆନ୍ ଦୂତି ଚାନ୍ଦ, ଗବେଷକ ଓ ସଂଗ୍ରାହକ ଡକ୍ଟର ନୃସିଂହ ସାହୁ ଆଦି ଖ୍ୟାତିସଂପନ୍ନ ବ୍ୟକ୍ତି ।

publive-image

ସଂପାଦକ ଶ୍ରୀ ପଟ୍ଟନାୟକ ନିଜ ସଭାପତିତ୍ୱ ଭାଷଣ ଦେଇ କହିଲେ, ସଂପ୍ରତି ସମ୍ବାଦପତ୍ର ଏକ ସଂକଟ ଦେଇ ଗତି କରୁଥିବା ବେଳେ ଯାଜପୁର ସଂସ୍କରଣ ଖୋଲାଯିବା ଏକ ଦୁଃସାହସିକ ପଦକ୍ଷେପ। ଏହା ପଛରେ ବାଧ୍ୟବାଧକତା ରହିଛି। ନିଜ ଅଂଚଳର ଖବରକୁ ନେଇ ଲୋକଙ୍କ ଚାହିଦା ବର୍ତ୍ତମାନ ଏତେ ମାତ୍ରାରେ ବଢ଼ିଛି ଯେ, ସେସବୁ ଖବର ଦେବା ପାଇଁ ଏଭଳି ସଂସ୍କରଣ ଖୋଲାଯିବା ଛଡ଼ା ଅନ୍ୟ କିଛି ବିକଳ୍ପ ଉପାୟ ନାହିଁ। ଅଧିକରୁ ଅଧିକ ଖବର ହିଁ ଏହି ଆଞ୍ଚଳିକ ସଂସ୍କରଣ ଜରିଆରେ ହିଁ ପ୍ରକାଶ କରାଯାଇପାରିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

publive-image

ଖବରକାଗଜର ବିଶ୍ୱସନୀୟତା ଉପରେ ମତ ରଖି ଶ୍ରୀ ପଟ୍ଟନାୟକ କହିଥିଲେ, ବର୍ତ୍ତମାନ ବିଭିନ୍ନ ରାଜନୈତିକ ଦଳଠୁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ଯାଏଁ ସମସ୍ତେ ସେମାନଙ୍କ ସପକ୍ଷରେ ଖବର ପ୍ରକାଶନ ପାଇଁ ଖବରକାଗଜକୁ ନିଜ କବ୍ଜାକୁ ନେବାକୁ ଉଦ୍ୟମ କରୁଛନ୍ତି। ଅର୍ଥ ବଳଠୁ ଆଇନ ବଳ ପ୍ରୟୋଗ କରିବାକୁ ବି ପଛାଉ ନାହାନ୍ତି। କିନ୍ତୁ ଏପରି ଉଦ୍ୟମ କରି କୌଣସି କ୍ଷମତାସୀନ ଦଳ ଅଥବା ନେତା ସାଧାରଣ ଲୋକଙ୍କ ସ୍ୱରକୁ ବେଶୀ ଦିନ ଚପାଇ ପାରିବ ନାହିଁ। ଦିନେ ନା ଦିନେ ସତ ପଦାକୁ ଆସିବ। ତେଣୁ କ୍ଷମତାସୀନ ବ୍ୟକ୍ତି ମାନେ ସ୍ୱାଧୀନ ମତକୁ ଗ୍ରହଣ କରିନେବା ଉଚିତ୍ ବୋଲି ଶ୍ରୀ ପଟ୍ଟନାୟକ ଆହ୍ଵାନ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe