କନକ ବ୍ୟୁରୋ : ପୌର ନିର୍ବାଚନ ଯେତିକି ପାଖେଇ ଆସୁଛି ସହର ରାଜନୀତି ସେତିକି ସରଗରମ ହେଉଛି । ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ଡୋର ଟୁ ଡୋର କ୍ୟାମ୍ପେନିଂ କରିବା ସହିତ ରୋଡ ସୋ କରି ନିଜର ଶକ୍ତି ପ୍ରଦର୍ଶନ କରୁଛନ୍ତି ।

Advertisment

ପୌର ନିର୍ବାଚନ ପାଇଁ ଆଉ ମାତ୍ର ଦିନ କେଇଟା ବାକି ରହିଲା । ପ୍ରଚାର ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ବାଜି ଜିତିବାକୁ ଚାଲିଛି ଜୋରଦାର ପ୍ରୟାସ । ସହରର ଗଳିକନ୍ଦିରେ ଦେଖିବାକୁ ମିଳୁଛି ନେତା ଓ ଭୋଟରଙ୍କ ମହାମିଳନ । ଏଥର ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ପୌର ପରିଷଦ ନିର୍ବାଚନରେ ତ୍ରିମୁଖୀ ଲଢେଇ ହେଉଛି । ୧୭ଟି ୱାର୍ଡ ବିଶିଷ୍ଟ ଜଳେଶ୍ୱର ପୌରପରିଷଦରେ କାଉନସିଲର ପଦବୀ ପାଇଁ ୫୯ ଜଣ ପ୍ରାର୍ଥୀ ଏବଂ ପୌରାଧକ୍ଷ୍ୟ ପଦ ପାଇଁ ୪ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି । ଚଳିତ ଥର ଜଳେଶ୍ୱର ପୌର ପରିଷଦର ୨୦ ହଜାର ୫୯ ଜଣ ଭୋଟର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ।

ସେହିପରି ସମ୍ବଲପୁର କୁଚିଣ୍ଡା ଏନଏସି ନିର୍ବାଚନ ପାଇଁ ଜୋରଦାର ମଧ୍ୟ ପ୍ରଚାର କରାଯାଇଛି । ବିଜେପି ପକ୍ଷରୁ ଷ୍ଟାର ପ୍ରଚାରକ ଭାବେ ପ୍ରଚାରର ମଙ୍ଗ ଧରିଛନ୍ତି ସେଲିବ୍ରେଟି ଏଲି ପାଢୀ । ଚେୟାରମ୍ୟାନ ପ୍ରାର୍ଥୀ ଶୁଶୀଲ କୁମାର କର, ପୂର୍ବତନ ବିଧାୟକ ରବି ନାରାୟଣ ନାଏକ ଏବଂ ସମର୍ଥକଙ୍କ ସହ ଏଲି ପାଢୀ ରୋଡ଼ ସୋ କରିବା ସହ ମଟରସାଇକେଲ ରାଲିରେ ସହର ପରିକ୍ରମା କରିଛନ୍ତି । ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଦେବା ପାଇଁ ଭୋଟରଙ୍କୁ ନିବେଦନ କରିଛନ୍ତି ।

ପୌର ନିର୍ବାଚନ ପାଇଁ ପ୍ରଚାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଭୋଟ୍ ହାତେଇବା ପାଇଁ ସବୁଦଳ ପକ୍ଷରୁ ଚାଲିଛି ପ୍ରାଣମୂର୍ଚ୍ଛା ଉଦ୍ୟମ । ତେବେ ଦେଖିବାକୁ ବାକି ରହିଲା କାହା ମୁଣ୍ଡରେ ସୁନା କଳସ ଢାଳୁଛନ୍ତି ଭୋଟର ।