କର୍ଣ୍ଣାଟକ ନିର୍ବାଚନ ପାଇଁ ଆଜି ପ୍ରଚାରର ଶେଷ ଦିନ : ଭୋଟରଙ୍କୁ ମନେଇବାକୁ ରାଜନୈତିକ ଦଳର ଜୋରଦାର ଉଦ୍ୟମ । ୧୨ରେ ଭୋଟ, ୧୫ରେ ଗଣତି

54

କନକ ବ୍ୟୁରୋ : ଆଜି ସରୁଛି କର୍ଣ୍ଣାଟକ ନିର୍ବାଚନ ପାଇଁ ପ୍ରଚାର । ଆଜି ସନ୍ଧ୍ୟା ସୁଦ୍ଧା ପ୍ରଚାର ଶେଷ ହେବ । ତେଣୁ ଶେଷ ଦିନରେ ଭୋଟରଙ୍କ ପାଖରେ ପହଂଚିବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରିବେ ତିନୋଟି ପ୍ରମୁଖ ଦଳ କଂଗ୍ରେସ, ବିଜେପି ଓ ଜେଡିଏସ । ତେବେ ଏହି ୩ଟି ଯାକ ଦଳ ବିକାଶ ଓ ଭ୍ରଷ୍ଟାଚାର ନିର୍ବାଚନ ଫଳାଫଳ ନିର୍ଣ୍ଣୟ କରିବ ବୋଲି କହୁଥିଲାବେଳେ ବାସ୍ତବ ପ୍ରସଙ୍ଗ କିନ୍ତୁ ଭିନ୍ନ । କାରଣ ବର୍ତ୍ତମାନ ରାଜ୍ୟରେ ଜାତି ସମୀକରଣର ହାୱା ଦେଖିବାକୁ ମିଳିଛି ।ଏହା ହିଁ ହାରଜିତର ଭାଗ୍ୟ ନିର୍ଣ୍ଣୟ କରିବ ବୋଲି କୁହାଯାଉଛି । ଆସନ୍ତା ୧୨ ତାରିଖରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ହେଉଥିବା ବେଳେ ୧୫ ତାରିଖରେ ଭୋଟ ଗଣତି ହେବ । ଆଉ ଶେଷ ପର୍ଯ୍ୟାୟରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଆଜି ଶେଷ ଉଦ୍ୟମ କରିବେ ବିଭିନ୍ନ ଦଳ ।

ତେବେ ପ୍ରଚାର ଶେଷ ହେବା ପୂର୍ବରୁ ଦୁଇ ପ୍ରମୁଖ ଦଳ ବିଜେପି ଓ କଂଗ୍ରେସ ମଧ୍ୟରେ ଆକ୍ଷେପ ପ୍ରତିଆକ୍ଷେପ ଜୋରଦାର ହୋଇଛି । ପ୍ରଧାନମନ୍ତ୍ରୀ ହେବେ ବୋଲି ରାହୁଲ ଗାନ୍ଧିଙ୍କ ମନ୍ତବ୍ୟରୁ ଖିଅ ଧରି ମୋଦି କରିଛନ୍ତି ଜୋରଦାର ଆକ୍ରମଣ । ରାହୁଲଙ୍କୁ ଇସାରା କରି ମୋଦି କହିଛନ୍ତି, ଏହି ନାମଦାର ନେତା ନିଜ ମେଂଟ ସହଯୋଗୀଙ୍କୁ ବିଶ୍ୱାସ କରନ୍ତି ନାହିଁ ଏବଂ ଦଳରେ ଆଭ୍ୟନ୍ତରୀଣ ଗଣତନ୍ତ୍ରକୁ ଖାତିର କରନ୍ତି ନାହିଁ । ଏହା ଛଡା କଂଗ୍ରେସ ଅଧ୍ୟକ୍ଷଙ୍କ ଅହଂକାର ଆକାଶ ଛୁଇଁଲାଣି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଏପରିକି ତାଙ୍କୁ ଜଣେ ଅପରିପକ୍ୱ ନେତା କହିବାକୁ ପଛାଇ ନାହାନ୍ତି ମୋଦି । ଦେଶ ଏଭଳି ଜଣେ ନାମଦାର ନେତାଙ୍କୁ ଗ୍ରହଣ କରିବ କି ବୋଲି ସେ ପ୍ରଶ୍ନ କରିଛନ୍ତି ।