ପ୍ରାର୍ଥୀ ପତ୍ର ଦାଖଲର ଶେଷ ଦିନରେ ଜମୁଛି ଭିଡ : ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ନାମାଙ୍କନ ଦାଖଲ କରୁଛନ୍ତି ପଂଚାୟତ ପ୍ରାର୍ଥୀ

107

କନକ ବ୍ୟୁରୋ : ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଆଜି ନାମାଙ୍କନ ଦାଖଲର ଥିଲା ଶେଷ ଦିନ । ଗତ ୧୭ ତାରିଖରୁ ଆରମ୍ଭ ହୋଇଥିବା ପ୍ରାର୍ଥୀପତ୍ର ଦାଖଲ ଆଜି ସରୁଛି । ପ୍ରାର୍ଥୀ ପତ୍ର ଦାଖଲର ଶେଷ ଦିନରେ ଜମୁଛି ଭିଡ । ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ନାମାଙ୍କନ ଦାଖଲ କରୁଛନ୍ତି ପଂଚାୟତ ପ୍ରାର୍ଥୀ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଶେଷ ମୁହୁର୍ତରେ ଭିଡର ଦୃଶ୍ୟ ଆସିଛି ଜଗତସିଂହପୁର ଓ ପୁରୀରୁ । ଗତ ଚାରି ଦିନ ଭିତରେ ରାଜ୍ୟରେ ମୋଟ ୧ ଲକ୍ଷ ୩୩ ହଜାର ୫୮୪ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିସାରିଲେଣିି । ସେଥି ମଧ୍ୟରୁ ଜିଲ୍ଲାପରିଷଦ ପାଇଁ ୧୭ ୩୦ ଜଣ ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି ।

ସେହିପରି ସମିତି ସଭ୍ୟ ପାଇଁ ୧୫ ହଦାର ୫୮୩ ଜଣ ପ୍ରାର୍ଥୀ, ସରପଂଚ ପଦବୀ ପାଇଁ ୨୦ ହଜାର ୪୫୭ ଜଣ ପ୍ରାର୍ଥୀ ଏବଂ ୱାର୍ଡସଭ୍ୟ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ୯୫ ହଜାର ୮୧୪ ଜଣ ପ୍ରାର୍ଥୀ । ଆସନ୍ତାକାଲି ଅର୍ଥାତ୍ ଜାନୁୟାରୀ ୨୨ରେ ପ୍ରାର୍ଥୀ ପତ୍ର ଯାଂଚ ଓ ୨୫ତାରିଖ ଭିତରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ । ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ଚୂଡାନ୍ତ ତାଲିକା ଜାନୁୟାରୀ ୨୫ ତାରିଖ ସଂଧ୍ୟାରେ ପ୍ରକାଶ ପାଇବ । ଚଳିତଥର ୫ଟି ପର୍ଯ୍ୟାୟରେ ମତଦାନ ହେବ । ଫେବୃଆରୀ ୧୬, ୧୮, ୨୦, ୨୨ ଏବଂ ୨୪ରେ ଭୋଟ୍ ପଡିବ । ଫେବୃୟାରୀ ୨୬ରୁ ୨୮ ତାରିଖ ଭିତରେ ଭୋଟଗଣତି ହେବ ଓ ଫଳାଫଳ ପ୍ରକାଶିତ ହେବ ।