ପଦ୍ମପୁର ଉପନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର : ପୁଣି ମୈଦାନକୁ ଓହ୍ଲାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

145

କନକ ବ୍ୟୁରୋ : ଆଜି ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଚାରର ଶେଷ ଦିନ ଥିବା ବେଳେ ପୁଣି ଥରେ ପ୍ରଚାର ମୈଦାନକୁ ଓହ୍ଲାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ ପ୍ରଥମେ ଝାରବନ୍ଧ ବ୍ଲକ ଜଗଦଲପୁର ଠାରେ ଜନସଭାରେ ଯୋଗଦେବେ । ଏହାପରେ ପଦ୍ମପୁରରେ ରୋଡ ସୋ କରି ପ୍ରଦୀପ ପୁରୋହିତଙ୍କ ପାଇଁ ଭୋଟ ମାଗିବେ । ପୂର୍ବରୁ ନଭେମ୍ବର ୨୯ରୁ ଡିସେମ୍ବର ୧ ଯାଏ ଲଗାତର ପ୍ରଚାର କରିଥିଲେ ଧର୍ମେନ୍ଦ୍ର ପ୍ରଧାନ ।

ପାଇକମାଳ, ପଦ୍ମପୁର ଓ ଝାରବନ୍ଧ ବ୍ଲକର ବିଭିନ୍ନ ଜାଗାରେ ପ୍ରଚାର କରିଥିଲେ । ଏହି ସମୟରେ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କଡ଼ା ଟାର୍ଗେଟ୍ କରିଥିଲେ କେନ୍ଦ୍ରମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ପଦ୍ମପୁରରେ ମାରାଥନ ପ୍ରଚାର କରିଥିଲେ । ଏହାର ଗୋଟିଏ ଦିନ ପରେ ପୁଣି ଧର୍ମେନ୍ଦ୍ର ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି । ଆଜି ପ୍ରଚାରର ଶେଷ ଦିନ ଥିବାରୁ ସବୁ ଦଳ ଜୋରଦାର ପ୍ରଚାର କରିବାକୁ ପ୍ରୟାସ କରିବେ ।

ଗତକାଲି ବିଜେଡି ସୁପ୍ରିମୋ ପଦ୍ମପୁର ନିର୍ବାଚନମଣ୍ଡଳୀରେ ୩ଟି ଜନସଭାରେ ଯୋଗ ଦେଇ ରାଜ୍ୟ ସରକାରଙ୍କ ସଫଳତା ବଖାଣିବା ସହ କେନ୍ଦ୍ରକୁ ଟାର୍ଗେଟ କରିଥିଲେ । ଜିଲ୍ଲାର ମାନ୍ୟତା ଲାଗି ପଦ୍ମପୁରବାସୀଙ୍କ ଦୀର୍ଘଦିନର ଦାବି ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ନବୀନ । ଏହାସହ ଫସଲ ବୀମା, ବାସଗୃହ ଆଦି ପ୍ରସଙ୍ଗରେ କେନ୍ଦ୍ର ଅବହେଳା ନେଇ ଅଭିଯୋଗ କରିଥିଲେ ମୁଖ୍ୟମନ୍ତ୍ରୀ । ଅନ୍ୟପଟେ ନବୀନଙ୍କ ଗସ୍ତ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ । ନବୀନ ଯେଉଁ ଇନୋଭା ଗାଡ଼ିରେ ବସି ଯାଇଥିଲେ, ତାକୁ ନେଇ ବିଜେପି ପ୍ରାର୍ଥୀ ପ୍ରଶ୍ନ କରିଛନ୍ତି ।