ଶେଷଥର ପାଇଁ ବିଧାନସଭାରୁ ବାହାରି ମୁଣ୍ଡିଆ ମାରିଲେ ସୁର ରାଉତରାୟ, କହିଲେ ଆଉ ଆସିବିନି । କିନ୍ତୁ ଲୋକଙ୍କ ପାଇଁ କାମ କରୁଥିଲି କରିବି ।

1,313

କନକ ବ୍ୟୁରୋ : ବିଧାନସଭା ବଜେଟ ଅଧିବେଶନର ଆଜି ଶେଷ ଦିନ । ବିଧାନସଭା ଗୃହରୁ ବାହାରିବା ବେଳେ ମୁଣ୍ଡିଆ ମାରି ଭାବବିହ୍ୱଳ ହେଲେ ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉରତାୟ । ଏହାସହ ସୁରେଶ ରାଉତରାୟ କହିଛନ୍ତି, ଏହା ତାଙ୍କର ଶେଷ ବିଧାନସଭା । ସେ ଆଗକୁ ନିର୍ବାଚନ ଲଢ଼ିବେ ନାହିଁ ବୋଲି ନିଷ୍ପତି ନେଇସାରିଛନ୍ତି । ନିଜେ ନ ଲଢିଲେ ମଧ୍ୟ ଲୋକଙ୍କ ପାଇଁ କାମ କରୁଥିଲି କରିବି ବୋଲି କହିଛନ୍ତି ସୁର । ୧୯୭୭ ମସିହାରେ ପ୍ରଥମଥର ବିଧାୟକ ହୋଇ ଆସିବା ପରେ ଲଗାତାର ଜଟଣୀ ଲୋକଙ୍କ ପାଇଁ ସ୍ୱର ଉଠାଇ ଆସିଛି । ଲୋକଙ୍କ କାମ କରିବାକୁ ବହୁତ ସହଯୋଗ ମିଳିଛି । ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ କଂଗ୍ରେସରେ ରହିଥିଲି ଏବଂ ରହିବି । ବିଧାନସଭାକୁ ଆସିବିନି ଏଥିପାଇଁ ଦୁଃଖ ଲାଗୁଛି ।

ଜଟଣୀ ଆସନରୁ ବିଧାୟକ ରହିଛନ୍ତି ସୁର । କିନ୍ତୁ ୨୦୨୪ରେ ସୁରଙ୍କୁ ରାଜନୈତିକ ମୈଦାନରେ ଦେଖିବାକୁ ମିଳିବନି । ଏହି ଆସନରେ ନିଜ ସାନପୁଅକୁ ପ୍ରାର୍ଥୀ କରିବାକୁ ଘୋଷଣା କରିଛନ୍ତି ସୁର । କିନ୍ତୁ ସାନପୁଅ ମନ୍ମଥ ରାଉତରାୟ କେଉଁ ଦଳରୁ ପ୍ରାର୍ଥୀ ହେବେ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ସେହିଭଳି ବଡପୁଅ ନିମାପଡା ଆସନରୁ ପ୍ରାର୍ଥୀ ହେବେ ବୋଲି କହିଛନ୍ତି ସୁର ।

ସେହିପରି ପର୍ଜଙ୍ଗ ବିଧାୟକ ନୃସିଂହ ସାହୁ ମଧ୍ୟ ଭାବବିହ୍ୱଳ ହୋଇଛନ୍ତି । କହିଛନ୍ତି, ସେ ୧୯୯୦ରୁ ବିଧାନସଭା ଆସୁଛନ୍ତି । ତେବେ ଏଥର ତାଙ୍କ ଶେଷ ବିଧାନସଭା କି ନୁହେଁ ତାହା ମୁଖ୍ୟମନ୍ତ୍ରୀ ନିଷ୍ପତି ନେବେ ବୋଲି କହିଛନ୍ତି ନୃସିଂହ ସାହୁ । ତାଙ୍କ ପୁଅ ମଧ୍ୟ ନିର୍ବାଚନ ପାଇଁ ପ୍ରସ୍ତୁତ ତେବେ ସୁପ୍ରିମୋ ଯାହା ନିଷ୍ପତି ନେବେ ବୋଲି ନୃସିଂହ କହିଛନ୍ତି ।