କନକ ବ୍ୟୁରୋ : ବିଧାନସଭା ଓ ଲୋକସଭା ନିର୍ବାଚନରେ ଟିକେଟ ପାଇବାକୁ ଇଏ ହେଉଛି ରାଜ୍ୟ କଂଗ୍ରେସର ନୂଆ ଫର୍ମୁଲା । ଟିକେଟ ପାଇଁ ପ୍ରଗମନ ଆପ ଜରିଆରେ ପ୍ରଦେଶ କଂଗ୍ରେସ ଆରମ୍ଭ କରିଛି ଟିକେଟ ଆବେଦନ ପ୍ରକ୍ରିୟା । ଏଥିରେ ଆବେଦନ କରିବେ ଆଶାୟୀ ପ୍ରାର୍ଥୀ । ରବିବାର ଆବେଦନର ଶେଷ ତାରିଖ ଥିଲା । ଲବି ନୁହେଁ ବରଂ ଲୋକଙ୍କ ସହିତ ଥିଲେ ମିଳିବ ଟିକେଟ । ଏଥିପାଇଁ କଂଗ୍ରେସ ଜାରି କରିଛି ଗାଇଡ ଲାଇନ ।

-ଆଶାୟୀଙ୍କ ଫେସବୁକ ପେଜ ଓ ଟ୍ୱିଟର ଆକାଉଂଟ ରହିବା ଆବଶ୍ୟକ
-ସମସ୍ତ ବ୍ଲକରେ ହ୍ୱାଟସଆପ୍ ଗ୍ରୁପ ରହିବ
-ଏଥିରେ ସର୍ବନିମ୍ନ ୫୦୦ ଜଣ ଯୋଡିହେବେ
-ଆଶାୟୀ ନିଜ ନିର୍ବାଚନମଣ୍ଡଳୀରେ ୱାରରୁମ ତିଆରି କରିବେ
-ଆଶାୟୀ ବିଜେଡି-ବିଜେପି ବାହାଘର କରି ଭିଡିଓ ପଠେଇବେ
-ନିଜ ନିର୍ବାଚନମଣ୍ଡଳୀରେ ୧୦ଟି ହୋର୍ଡିଂ ଲଗାଇବେ

ଦଳର ବଡ ନେତାଙ୍କଠାରୁ ଆରମ୍ଭ କରି ସାଧାରଣ କର୍ମୀଙ୍କ ପାଇଁ ଏଥର ଅନଲାଇନରେ ଟିକେଟ ଆବେଦନ କରିବାକୁ ପଡିଛି । ଆସନ୍ତା ୧୨ ଓ ୧୩ରେ ଆରମ୍ଭ ହେବ ଯାଂଚ ପ୍ରକ୍ରିୟା । ବିଧାନସଭା ଆସନ ପାଇଁ ଆବେଦନ କରିଛନ୍ତି ପ୍ରାୟ ୨୫୦୦ରୁ ଅଧିକ ଆଶାୟୀ । ସେହିପରି ଲୋକସଭା ଆସନ ପାଇଁ ୬୭୦ରୁ ଅଧିକ ଆଶାୟୀ ଆବେଦନ କରିଛନ୍ତି । ଆଶାୟୀଙ୍କ ନାଁ ଚୂଡାନ୍ତ ହେବା ପରେ ଏଆଇସିସିକୁ ତାଲିକା ପଠାଯିବ । ବିଜୟ ସମ୍ଭାବନା ଥିବା ପ୍ରାର୍ଥୀଙ୍କୁ ଏଥର ଗୁରୁତ୍ୱ ଦିଆଯିବ ବୋଲି କଂଗ୍ରେସ ସଙ୍କେତ ଦେଇସାରିଛି ।

କଂଗ୍ରେସର ଟିକେଟ ବଂଟନ ବେଳେ ଅର୍ଥ କାରବାର ହେଉଥିବା ଅଭିଯୋଗ ଆସୁଥିଲା । ଏବେ ଟିକେଟ ପାଇଁ ଅନଲାଇନରେ ଟିକେଟ ଆବେଦନ କରିବା ଲାଗି ବ୍ୟବସ୍ଥା ହୋଇଛି ।