ଦିନକ ପରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ । ଜନମତ ପାଇଁ ଦେଶର ବିଭିନ୍ନ ସ୍ଥାନରେ ଶୀର୍ଷ ନେତା କଲେ ଶେଷ ପ୍ରଚାର । 

95

କନକ ବ୍ୟୁରୋ : ଦିନକ ପରେ ଦ୍ୱିତୀୟ ପର୍ଯ୍ୟାୟ ମଦତାନ । ଦେଶବାସୀ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ଆଉ ଆଜି ଶେଷ ହୋଇଛି ଦ୍ୱିତୀୟ ମତଦାନ ପାଇଁ ପ୍ରାର୍ଥୀଙ୍କ ପ୍ରଚାର । ଶେଷ ଦିନରେ କମ୍ପି ଉଠିଛି ପ୍ରଚାର ମଇଦାନ । ଓଡିଶାର ସମ୍ବଲପୁରରେ ପ୍ରଚାର କରିବା ପରେ ଛତିଶଗଡରେ ପହଂଚିିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କୋର୍ବା ଓ ବାଲୋଦାବଜାରରେ ବିଜେପି ପକ୍ଷରୁ ଆୟୋଜିତ ନିର୍ବାଚନୀ ସଭାକୁ ସମ୍ବୋଧନ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କୋର୍ବାର ବିଜେପି ପ୍ରାର୍ଥୀ ଜ୍ୟୋତିନନ୍ଦା ଦୁବେ ଓ ରାଇଘର ଆସନରେ ଗୋମତି ସାଇଙ୍କ ପାଇଁ ପ୍ରଚାର କରିଛନ୍ତି ମୋଦି ।

କେବଳ ପ୍ରଧାନମନ୍ତ୍ରୀ ନୁହେଁ ଦ୍ୱିତୀୟ ପର୍ଯ୍ୟାୟ ଶେଷ ଦିନରେ ପ୍ରଚାରକୁ ଜୋରଦାର କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ରାହୁଲ କେରଳରେ ବି ବିଭିନ୍ନ ଜିଲ୍ଲାରେ ପ୍ରଚାର କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ମଧ୍ୟ ବିଶାଳ ରୋଡ ଶୋ କରି ପତିଆରା ପ୍ରଦର୍ଶନ କରିଛନ୍ତି । ଶତାଧିକ କର୍ମୀ ଓ ସମର୍ଥକଙ୍କ ଗହଣରେ ଶାହା କର୍ଣ୍ଣାଟକ ତୁମକୁରରେ ରୋଡ ଶୋ କରିଛନ୍ତି । ନିର୍ବାଚନୀ ରାଲିକୁ ସମ୍ବୋଧିତ କରିବା ପରେ ଶାହା ଶିବଭଙ୍ଗା ମଠରେ ପୂଜାର୍ଚ୍ଚନା କରିଛନ୍ତି ।

ସେହିଭଳି ଜମ୍ମୁକଶ୍ମୀରରେ ପ୍ରଚାର କରିଛନ୍ତି କଂଗ୍ରେସ ନେତା ଗୁଲାମନବୀ ଆଜାଦ । ଅନନ୍ତନାଗ ସମେତ ୫ଟି ଜିଲ୍ଲାର ଗୁଲାମନବୀ ରାଲିକୁ ସମ୍ବୋଧିତ କରିଛନ୍ତି । ପ୍ରଚାର ରେସରେ ଅଛନ୍ତି ସପା ମୁଖ୍ୟ ଅଖିଳେଶ ଯାଦବ । ଆଗ୍ରାରେ ସପା-ବିଏସପି ମେଂଟର ମିଳିତ ପ୍ରଚାର କାର୍ଯ୍ୟକ୍ରମରେ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି ଅଖିଳେଶ । ତେବେ ବ୍ୟାନ ଯୋଗୁଁ ଆଜି ରାଲିରେ ସାମିଲ ହୋଇ ପାରିଲେ ନାହିଁ ବିଏସପି ସୁପ୍ରିମୋ ମାୟାବତୀ ।