ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର । ଭୋଟରଙ୍କୁ ଆକୃଷ୍ଟ କରିବାକୁ ଶେଷ ସୁଯୋଗ

113

କନକ ବ୍ୟୁରୋ: ସୁନ୍ଦରଗଡରେ ଆଜି ସରୁଛି ପ୍ରଚାର । ଏଥିପାଇଁ ପ୍ରଚାର ଜୋରଦାର ହୋଇଛି । ଏଠାରେ ବିଜେଡି ପାଇଁ ପ୍ରଚାର କରିଛନ୍ତି ଅଭିନେତା ରାଇମୋହନ ପରିଡା । ସେ ଅନ୍ୟ ଷ୍ଟାରମାନଙ୍କ ସହ ମିଶି ବିଜେଡି ପ୍ରାର୍ଥୀ ଅନୀତା ବିଶ୍ୱାଳ ଓ ଯୋଗେଶ ସିଂଙ୍କ ପାଇଁ ପ୍ରଚାର କରିଛନ୍ତି । ସୁନ୍ଦରଗଡ ଲୋକସଭା ଆସନରେ ବିଜେଡିର ସୁନୀତା ବିଶ୍ୱାଳଙ୍କ ସହ ବିଜେପିର ପ୍ରାର୍ଥୀ ଜୁଏଲ ଓରାମ ଓ କଂଗ୍ରେସ ପ୍ରାର୍ଥୀ ଜର୍ଜ ତିର୍କୀଙ୍କ ଟକ୍କର ହେଉଛି । ସୁନ୍ଦରଗଡ ବିଧାନସଭା ଆସନରେ ବିଜେଡିରୁ ଯୋଗେଶ ସିଂ ପ୍ରାର୍ଥୀ ହୋଇଥିବାବେଳେ ବିଜେପିରୁ କୁସୁମ ଟେଟେ ଓ କଂଗ୍ରେସରୁ ଅମିତା ବିଶ୍ୱାଳ ପ୍ରାର୍ଥୀ ହୋଇଛନ୍ତି ।

ସେହିଭଳି ସମ୍ବଲପୁରର କୁଚିଣ୍ଡାରେ ସରଗରମ ହୋଇଛି ରାଜନୀତି । ଏଠାରେ ୩ ଦଳ ଜୋରଦାର ପ୍ରଚାର ଚଳାଇଛନ୍ତି । ବିଜେଡିରୁ ଏଠାରୁ କିଶୋର ନାୟକ ପ୍ରାର୍ଥୀ ହୋଇଥିବାେଳେ କଂଗ୍ରେସ ଶୋଭରାମ ପ୍ରଧାନ ମଧ୍ୟ ଏଠାରେ ପ୍ରାର୍ଥୀ ହୋଇଛନ୍ତି । ବିଜେପି ପ୍ରାର୍ଥୀ ରବି ନାୟକ ଏଠାରେ ଜୋରଦାର ପ୍ରଚାର ଚଳାଇଛନ୍ତି । ସମ୍ବଲପୁର ଲୋକସଭା ଅନ୍ତର୍ଗତ କୁଚିଣ୍ଡାରେ ଏଠାରେ ତୃତୀୟ ପର୍ଯ୍ୟାୟରେ ନିର୍ବାଚନ ହେବ ।

ବରଗଡରେ ମଧ୍ୟ ଦ୍ୱିତୀୟ ପର୍ଯ୍ୟାୟରେ ନିର୍ବାଚନ ହେବ । ଏଥିପାଇଁ ଆଜି ସନ୍ଧ୍ୟାରେ ପ୍ରଚାର ସରୁଛି । ଆଉ ପ୍ରାର୍ଥୀମାନେ ପ୍ରଚାରରେ ଦିନ ରାତିକୁ ଏକାକାର କରିଦେଇଛନ୍ତି । ଗତ ଦୁଇଦିନ ମଧ୍ୟରେ ରାତିରେ ପ୍ରଚାର କରିଛନ୍ତି ପ୍ରାର୍ଥୀ । ବରଗଡ ବିଜେଡି ଲୋକସଭା ଆସନର ବିଜେଡି ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟ ଓ ବରଗଡ ବିଧାନସଭା ପ୍ରାର୍ଥୀ ଦେବେଶ ଆଚାର୍ଯ୍ୟ ମିଳିତ ଭାବେ ପ୍ରଚାର କରିଛନ୍ତି । ଉଭୟେ ହେଉଛନ୍ତି ସମ୍ପର୍କରେ କାକା-ପୁତୁରା ।

ବାଲେଶ୍ୱରରେ ଚତୁର୍ଥ ପର୍ଯ୍ୟାୟରେ ନିର୍ବାଚନ ହେବ । ଏଥିପାଇଁ ଧିରେ ଧିରେ ପ୍ରଚାର ଜୋରଦାର ହେବାରେ ଲାଗିଛି । ଏଠାରେ ଜଳେଶ୍ୱର ନିର୍ବାଚନମଣ୍ଡଳୀ ରେ ଏଥର ଜୋରଦାର ଟକ୍କର ହେଉଛି । ମୈଦାନରେ ଅଛନ୍ତି ବିଜେଡି , ବିଜେପି ଓ କଂଗ୍ରେସ ପ୍ରାର୍ଥୀ । ବିଜେଡିରୁ ଅଶ୍ୱିନୀ ପାତ୍ର ପୁଣି ଟିକେଟ ପାଇଥିବାବେଳେ କଂଗ୍ରେସରୁ ଲଢୁଛନ୍ତି ସୁଦର୍ଶନ ଦାସ । ବିଜେପି ଜୟନାରାୟଣ ମହାନ୍ତିଙ୍କୁ ଟିକେଟ ଦେଇଛି । ଜୟନାରାୟଣ ମହାନ୍ତି କଂଗ୍ରେସରୁ ଆସି ବିଜେପିରେ ସାମିଲ ହୋଇଛନ୍ତି । ୩ ଦଳ ଏଠାରେ ନିଜ ନିଜ ଶକ୍ତି ପ୍ରଦର୍ଶନ କରି ପ୍ରଚାରକୁ ଜୋରଦାର କରିଛନ୍ତି ।

କନ୍ଧମାଳରେ ଲୋକସଭା ନିର୍ବାଚନମଣ୍ଡଳୀରେ ଆଜି ସନ୍ଧ୍ୟାରେ ସରିବ ପ୍ରଚାର । ଏହି ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଜି.ଉଦୟଗିରିରେ ଏଥର ହେଉଛି ତ୍ରିମୁଖୀ ଲଢେଇ । ବିଜେପିରୁ ଏଠାରୁ ପ୍ରାର୍ଥୀ ହୋଇଛନ୍ତି ଅର୍ଚନା ପ୍ରଧାନ । ସେ ଘର ଘର ବୁଲି ବିଜେପି ପାଇଁ ପ୍ରଚାର କରୁଛନ୍ତି । ବିଜେଡି ଟିକେଟ ଦେଇଛି ସାଲୁଗା ପ୍ରଧାନଙ୍କୁ । ସାଲୁଗା ବାଇକ ରାଲି , ସଭା ଓ ଶୋଭାଯାତ୍ରା କରି ପ୍ରଚାର ଚଳାଇଛନ୍ତି । ଜି ଉଦୟଗିରି କଂଗ୍ରେସର ଗଡ ଭାବେ ପରିଚିତ । ଏଠାରେ ବର୍ତମାନର ବିଧାୟକ ଜାକବ ପ୍ରଧାନକଙ୍କ ଟିକେଟ କାଟି ନୂଆ ମୁହଁ ଶ୍ୟାମଘନ ପ୍ରଧାନକୁ ଟିକେଟ ଦେଇଛି କଂଗ୍ରେସ । କେନ୍ଦ୍ର ଓ ରାଜ୍ୟକୁ ଟାର୍ଗେଟ କରି ସେ ପ୍ରଚାର ଚଳାଇଛନ୍ତି ।

ଆଜି ପ୍ରଚାରର ଶେଷ ଦିନ ହୋଇଥିବାରୁ ପ୍ରଚାର କରିବା ପାଇଁ ସମସ୍ତ ରାଜନୈତିକ ଦଳଙ୍କ ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଛି । ତେବେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରଚାର ଶେଷ ହେବା ପରଠୁ ଭୋଟ୍ ଗ୍ରହଣ ଦିନ ପର୍ଯ୍ୟନ୍ତ ନିରବ ଅବଧି ଭିତରେ କୌଣସି ବି ରାଜନେତା ସାମ୍ବାଦିକ ସମ୍ମିଳନୀ କରି ପାରିବେନି । ସେହିପରି କୌଣସି ଗଣମାଧ୍ୟମ ରାଜନେତାଙ୍କ ମତ ଓ ପ୍ରତିକ୍ରିୟାକୁ ପ୍ରକାଶ କିମ୍ବା ପ୍ରସାରଣ କରିପାରିବ ନାହିଁ ।