ପଶ୍ଚିମବଙ୍ଗ ଓ ଆସାମର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ଆଜି ପ୍ରଚାରର ଶେଷ ଦିନ । ନନ୍ଦୀଗ୍ରାମରେ ମମତା ଓ ଶାହା କରିବେ ରୋଡ ସୋ

93

କନକ ବ୍ୟୁରୋ : ପଶ୍ଚିମବଙ୍ଗ ଓ ଆସାମରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ଆଜି ସରୁଛି ପ୍ରଚାର । ପଶ୍ଚିମବଙ୍ଗର ୩୦ ଓ ଆସାମର ୩୯ ଟି ବିଧାନସଭା ପାଇଁ ଏପ୍ରିଲ ପହିଲା ଦିନ ମତଦାନ ଗ୍ରହଣ କରାଯିବ । ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ପଶ୍ଚିମବଙ୍ଗର ହଟ୍ ସିଟ୍ କୁହାଯାଉଥିବା ନନ୍ଦୀଗ୍ରାମରେ ଆଜି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଗୃହମନ୍ତ୍ରୀ ଅମିତ ଶାହା, ରାଜ୍ୟ ବିଜେପି ଅଧ୍ୟକ୍ଷ ଦିଲ୍ଲୀପ ଘୋଷଙ୍କ ସମେତ ଅନେକ ବରିଷ୍ଠ ନେତା ପ୍ରଚାର କରିବେ । ସେହିଭଳି ଆସାମରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ,ପି ନଡ୍ଡା, ଓ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବି ପ୍ରଚାର କରିବେ ।
ନନ୍ଦୀଗ୍ରାମରେ ଆଜି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ପାଇଁ ୩ ଟି ମେଗା ରୋଡ ସୋ କରିବେ ଗୃହମନ୍ତ୍ରୀ ଅମିତ୍ ଶାହା । ଏହାସହ ଏକ ଜନସଭାକୁ ସମ୍ବୋଦ୍ଧିତ କରିବାର କାର୍ଯ୍ୟକ୍ରମ ବି ରହିଛି । ଶାହା ମଧ୍ୟାହ୍ନ ୧୨ ଟା ରେ ନନ୍ଦୀଗ୍ରାମ, ୧.୩୫ ରେ ଡେବରା ଓ ୩.୦୫ ରେ ପଂସକୁରା ପଶ୍ଚିମରେ ରୋଡ ସୋ କରିବେ । ଏହାସହ ଅପରାହ୍ନ ୪ ଟାରେ ଡାଇମଣ୍ଡ ହାର୍ବରେ ଏକ ଜନସଭାକୁ ସମ୍ବୋଦ୍ଧିତ କରିବେ ।
ସେହିଭଳି ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସକାଳ ୧୧ ଟାରେ ନନ୍ଦୀଗ୍ରାମରୁ ସୋନାଚୁଡା ବଜାର (୩ କିଲୋମିଟର) ରୋଡ ସୋ କରିବେ । ଏହାପରେ ଦିନ ୧ ଟାରେ ସୋନାଚୁଡା ବଜାରରେ ଏକ ରାଲିକୁ ସମ୍ବୋଦ୍ଧିତ କରିବେ । ଦିନ ୨ ଟାରେ ଭେକୁଟିଆ ବାଂସୁଲି ଛକରେ ଏକ ରାଲିକୁ ସମ୍ବୋଦ୍ଧିତ କରିବା ସହ ଦିନ ୩ ଟାରେ ଭେକୁଟିଆ ଠାରେ ଆଉ ଏକ ରାଲିକୁ ସମ୍ବୋଦ୍ଧିତ କରିବାର କାର୍ଯ୍ୟକ୍ରମ ରହିଛି ।
ସେହିଭଳି ସଂଯୁକ୍ତମୋର୍ଚ୍ଚା ସମର୍ଥିତ ସିପିଆଇ (ଏମ୍) ପ୍ରାର୍ଥୀ ମିନାକ୍ଷୀ ମୁଖାର୍ଜୀ ଏକ ରୋଡ ସୋ କରିବେ । ଏହି ରୋଡ ସୋରେ ସିପିଆଇ (ଏମ) ର ଚେୟାରମ୍ୟାନ ବିମାନ ବଷୁ ଯୋଗ ଦେବେ । ଏହି ରୋଡ ସୋ  ନନ୍ଦୀଗ୍ରାମ କଲେଜ ପଡିଆରୁ ଆରମ୍ଭ ହେବ ।