ସାମ୍ନାକୁ ଆସିଲା ମନୀଷ ଅନୁରାଗଙ୍କ ଶେଷ ଫୋନ୍ କଲ । ଜାଣନ୍ତୁ ମାଆଙ୍କୁ କ’ଣ କହିଥିଲେ ମନୀଷ ?

231

କନକ ବ୍ୟୁରୋ : ସାମ୍ନାକୁ ଆସିଲା ମୃତ୍ୟୁ ପୂର୍ବରୁ ମନୀଷଙ୍କ ଶେଷ ଫୋନ୍ କଲ୍ । ନିଜ ମାଆଙ୍କୁ ଫୋନ କରି ୧୦ରୁ ୧୫ମିନିଟ୍ ଭିତରେ ଘରେ ପହଞ୍ଚିବା ନେଇ କହିଥିଲେ କିନ୍ତୁ ରାତି ୧୨ଟା ପରେ ଆଉ ଫୋନ୍ ଉଠାଇନଥିଲେ ମନୀଷ । ସେପଟେ ମନୀଷ ମୃତ୍ୟୁ ମାମଲାରେ ପୋଲିସ ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ ସାମ୍ବାଦିକ ନବୀନ ଦାସ । ଠେଲାପେଲାର କିପରି ଜଣଙ୍କର ମୃତ୍ୟୁ ହେଲା, ଓ ଯଦି ମୃତ୍ୟୁ ହୋଇଛି ତେବେ କିପରି ଶରୀରରେ କୌଣସି କ୍ଷତ ଚିହ୍ନ ନାହିଁ ବୋଲି ସେ ପଚାରିଛନ୍ତି ।

ମୃତ୍ୟୁ ପୂର୍ବର ଫୋନ କଲ୍ । ତା ପରେ ବନ୍ଦ ହୋଇଯାଇଥିଲା ଫୋନ୍ । ମୃତ୍ୟୁର ସେହି ରାତିରେ ତାଙ୍କ ମାଆଙ୍କୁ ଫୋନ କରିଥିଲେ ମନୀଷ । ଆଉ କହିଥିଲେ ୧୦ରୁ ୧୫ ମିନିଟ୍ ଭିତରେ ଘରେ ପହଞ୍ଚିଯିବେ । କିନ୍ତୁ ତାପରେ ଆଉ ରାତି ୧୨ଟା ପରେ ଫୋନ୍ ଉଠାଇ ନଥିଲେ ମନୀଷ ।

ପୋଲିସ ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଲେ ମନୀଷଙ୍କ ବାପା । ପଚାରିଲେ ଠେଲାପେଲାରେ କେମିତି ହୋଇପାରିବ ମୃତ୍ୟୁ ? ପ୍ରକୃତରେ ପୋଲିସର ଏହି ଥିଓରୀକୂୁ ନେଇ ସାଧାରଣରେ ବି ପ୍ରଶ୍ନ ଉଠିଛି, ଯେ ଠେଲାପେଲାରେ ଜଣଙ୍କର ମୃତ୍ୟୁ ହେବ କେମିତି ? ଯଦି ବି ଜୋରରେ ବାଜିଥାନ୍ତା ଶରୀରରେ କ୍ଷତ ଚିହ୍ନ ଥାନ୍ତା, କିନ୍ତୁ ମନୀଷ ଶରୀରରେ କୌଣସି କ୍ଷତ ଚିହ୍ନ ନଥିଲା । ଏହି କଥା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।

ମନୀଷଙ୍କ ବାପାଙ୍କ ଅଭିଯୋଗ ପୁଅକୁ ଷଡ଼ଯନ୍ତ୍ର କରି ହତ୍ୟା କରାଯାଇଛି ଏବଂ ଏହି ଷଡ଼ଯନ୍ତ୍ର ନକ୍ସା ହୋଟେଲ ସାଉଥ୍ ସିଟି ବାର୍ ଭିତରୁ ହିଁ ତିଆରି କରାଯାଇଥିଲା । ଘଟଣାକ୍ରମ ସବୁ ସିସିଟିଭିରେ କଏଦ ହୋଇଥିଲା, ହେଲେ ଚକ୍ରାନ୍ତ କରି ହାର୍ଡଡିସ୍କରୁ ସବୁ ଫୁଟେଜ ହଟେଇ ଦିଆଯାଇଥିବା କହିଛନ୍ତି ନବୀନ ଦାସ । ସେପଟେ ୩ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିଛି ପୋଲିସ । ତଦନ୍ତକାରୀ ଦଳ ଆଗରେ ଏବେ ସବୁଠୁ ବଡ଼ ଆହ୍ୱାନ ହେଉଛି, ପୁରା ଘଟଣାକ୍ରମକୁ ପ୍ରମାଣିତ କରିବା ଏବଂ ବଡ଼ ଅଡ଼ୁଆ ହେଉଛି ଅଭିଯୁକ୍ତମାନଙ୍କ କଥାରେ ତାଳମେଳ ରହୁନି ।