କାଲି ମୋଦି ସରକାରଙ୍କ ଶେଷ ବଜେଟ୍ ! ନିର୍ବାଚନ ବର୍ଷରେ ଲୋକଙ୍କୁ ଖୁସି କରିବା ପାଇଁ ହୋଇପାରେ ବଡ ଘୋଷଣା, ନିଯୁକ୍ତି ଓ କୃଷି ଉପରେ ରହିପାରେ ଫୋକସ୍ ।

178

କନକ ବ୍ୟୁରୋ : କାଲି ଆସିବ ମୋଦୀ ସରକାରଙ୍କ ଶେଷ ବଜେଟ୍ । କାମଚଳା ବଜେଟ୍ ହୋଇଥିଲେ ବି ନିର୍ବାଚନ ବର୍ଷ ହୋଇଥିବାରୁ ଏ ନେଇ ଦେଶବାସୀଙ୍କ ଉତ୍କଣ୍ଠା ବଢ଼ିବାରେ ଲାଗିଛି । କାରଣ ଲୋକଙ୍କୁ ଖୁସି କରିବା ପାଇଁ ବଜେଟରେ ବ୍ୟବସ୍ଥା ହେବା ଆଶା କରାଯାଉଛି । କୁହାଯାଉଛି ମୋଦୀ ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହେଉଛି ନିଯୁକ୍ତି ସୃଷ୍ଟି ଏବଂ କୃଷକଙ୍କୁ ଖୁସି କରିବା । ସେହିପରି ମଧ୍ୟବିତଙ୍କୁ ମନ ଜିତିବାକୁ ଆୟକର ଛାଡ ସୀମା ବୃଦ୍ଧି କରିପାରନ୍ତି ସରକାର ।

କିପରି ହେବ ବଜେଟର ରୂପରେଖ ? ଲୋକପ୍ରିୟ ବଜେଟ୍ ଆଣିବେ କି ମୋଦୀ ସରକାର ? ଫେବୃଆରୀ ୧ରେ ଶେଷ ବଜେଟ୍ ଉପସ୍ଥାପନ କରିବାକୁ ଯାଉଛନ୍ତି ମୋଦୀ ସରକାର । ନିର୍ବାଚନ ବର୍ଷ ହୋଇଥିବାରୁ ଅନ୍ତରୀଣ ବା କାମଚଳା ବଜେଟ୍ ଉପସ୍ଥାପନ କରିବେ କାମଚଳା ଅର୍ଥମନ୍ତ୍ରୀ ପୀୟୁଷ ଗୋଏଲ୍ । ଅନ୍ତରୀଣ ବଜେଟ୍ ହେଲେ ବି ସମସ୍ତଙ୍କ ନଜର ରହିଛି ଏହି ବଜେଟ୍ ଉପରେ । କାରଣ ନିର୍ବାଚନ ବର୍ଷ ହୋଇଥିବାରୁ ଲୋକପ୍ରିୟ ବଜେଟ୍ କରି ଭୋଟରଙ୍କ ଆସ୍ଥା ଜିତିବାକୁ ପ୍ରୟାସ କରିପାରନ୍ତି ମୋଦୀ ସରକାର । ୟୁନିଭରସାଲ୍ ବେସିକ୍ ଇନ୍କମ୍, କୃଷି କ୍ଷେତ୍ରକୁ ଗୁରୁତ୍ୱ, ଟିକସରେ କୋହଳ ଭଳି ବଡ଼ ବଡ଼ ଘୋଷଣା ହେବା ଆଶା କରାଯାଉଛି ।

ଗୋଟିଏ ପଟେ ବିମୁଦ୍ରାକରଣ, ଜିଏସଟି, ନିଯୁକ୍ତି ହ୍ରାସ ଆଦି ସମସ୍ୟା ସହ ଯୁଝୁଛନ୍ତି  ସରକାର । ଅନ୍ୟପଟେ କୃଷି ଋଣ ଛାଡ଼ କରିବା ସହ ସର୍ବନିମ୍ନ ଆୟ ଗ୍ୟାରେଂଟି ଭଳି ବଡ଼ ବଡ଼ ପ୍ରତିଶ୍ରୁତି ଦେଇ ଭୋଟରଙ୍କୁ ପ୍ରଭାବିତ କରିଚାଲିଛି କଂଗ୍ରେସ । ତେଣୁ ଅର୍ଥନୀତି ଦୃଷ୍ଟିକୋଣରୁ ନୁହେଁ ଲୋକଙ୍କୁ ଖୁସି କରିବା ପାଇଁ ବଜେଟରେ ବ୍ୟବସ୍ଥା କରିପାରନ୍ତି କେନ୍ଦ୍ର ସରକାର । ନଜର ପକାଇବା କେଉଁ କ୍ଷେତ୍ର ଉପରେ ରହିପାରେ ସରକାରଙ୍କ ଫୋକସ୍ :

କୃଷି – କୃଷି ଋଣ ଛାଡ଼ ଘୋଷଣା କରି ତିନିଟି ରାଜ୍ୟକୁ ବିଜେପି ହାତରୁ ଛଡ଼ାଇ ନେଇଛି କଂଗ୍ରେସ । ତେଣୁ ଚାଷୀଙ୍କ ପାଇଁ ବଡ଼ ପ୍ୟାକେଜ୍ ଘୋଷଣା କରିପାରନ୍ତି ସରକାର । ଋଣ ଛାଡ଼, ବିନା ସୁଧରେ କୃଷି ଋଣ, ଫସଲ ବୀମା ପ୍ରିମିୟମ ଛାଡ଼ ଭଳି ଲୋଭନୀୟ ପ୍ରସ୍ତାବ ଆସିପାରେ ।

ନିବେଶ – ଆସନ୍ତା ଆର୍ଥିକ ବର୍ଷରେ ୭୦ ହଜାର କୋଟିରୁ ଅଧିକ ପୁଂଜି ପ୍ରତ୍ୟାହାର କରି ଲୋକାଭିମୁଖୀ ଯୋଜନା ପାଇଁ ଅର୍ଥ ଭରଣା କରିପାରନ୍ତି ମୋଦୀ ସରକାର ।

ସ୍ୱାସ୍ଥ୍ୟ – ଆୟୁଷ୍ମାନ ଭାରତ ଯୋଜନାରେ ବିପୁଳ ବ୍ୟୟ ଆବଶ୍ୟକ ହେଉଥିବାରୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅଧିକ ବ୍ୟୟବରାଦ ହୋଇପାରେ ।

ଟିକସ – ମଧ୍ୟବିତ୍ତଙ୍କୁ ନିଜ ଆଡ଼କୁ ନେବାକୁ ଆୟକର ଛାଡ ସୀମା ବୃଦ୍ଧି ହୋଇପାରେ । ସେହିପରି ଶିଳ୍ପପତିଙ୍କୁ ଖୁସି କରିବା ପାଇଁ କର୍ପୋରେଟ୍ ଟ୍ୟାକ୍ସରେ ମଧ୍ୟ କୋହଳ କରାଯାଇପାରେ । ବିଭିନ୍ନ ସମାଗ୍ରୀ ଉପରେ ଜିଏସଟି ହ୍ରାସ କରିପାରନ୍ତି ସରକାର ।

ସେପଟେ କୁହାଯାଉଛି ମୋଦୀ ସରକାରଙ୍କୁ ପାଇଁ ବଡ଼ ଚ୍ୟାଲେଞ୍ଜ ହେଉଛି ନିଯୁକ୍ତି ସୃଷ୍ଟି ଏବଂ କୃଷକଙ୍କୁ ଖୁସି କରିବା । ତେଣୁ ବଜେଟରେ ଏହି ସବୁ ଦିଗକୁ ଗୁରୁତ୍ୱ ଦିଆଯାଇପାରେ । ତେବେ ନିର୍ବାଚନ ବର୍ଷ ହୋଇଥିବାରୁ ଅର୍ଥନୀତିକୁ ଦୃଷ୍ଟିରେ ରଖି ଲୋକପ୍ରିୟ ବଜେଟ୍ କରିବା ମୋଦୀ ସରକାରଙ୍କ ପାଇଁ ନିଶ୍ଚିତ ଭାବେ ଏକ ବଡ଼ ଆହ୍ୱାନ ପାଲଟିଛି ।