କନକ ବ୍ୟୁରୋ : ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ପଞ୍ଜାବରେ ଆତଙ୍କବାଦ କାର୍ଯ୍ୟକଳାପ ପାଇଁ ସାଂଘାତିକ ଷଡଯନ୍ତ୍ର କରିଛି । ଯାହା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ପଞ୍ଜାବରେ ଆତଙ୍କୀ କାର୍ଯ୍ୟକଳାପ ପାଇଁ ସୈତାନ ପାକିସ୍ତାନ ନୂଆ ଆତଙ୍କବାଦୀ ସଙ୍ଗଠନକୁ ଜନ୍ମ ଦେଇଛି । ଯାହାର ନାଁ ରହିଛି ଲସ୍କର-ଏ-ଖାଲସା ।

Advertisment

ଏହି ଆତଙ୍କୀ ସଙ୍ଗଠନରେ ସାମିଲ ହେଉଥିବା ଯୁବକଙ୍କୁ ଆଫଗାନ ଆତଙ୍କବାଦୀଙ୍କ ଦ୍ୱାରା ଟେଅନିଂ ଦିଆଯାଉଛି ।ଆଫଗାନ ଆତଙ୍କବାଦୀ ମାନେ ଯେହେତୁ ସମସ୍ତ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଚଳାଇବାରେ ମାହିର ତେଣୁ ସେମାନଙ୍କୁ ଏଥିରେ ସାମିଲ କରାଯାଉଛି । ଏହି ଆତଙ୍କବାଦୀ ସଙ୍ଗଠନ ଜରିଆରେ ଜମ୍ମୁ-କାଶ୍ମୀରରେ ଆକ୍ରମଣ କରିବାକୁ ଷଡଯନ୍ତ୍ର ହେଉଛି । ଏହାଛଡା ପଞ୍ଜାବ ଓ ହରିୟାଣାରେ ଥିବା ଗ୍ୟାଙ୍ଗଷ୍ଟରଙ୍କୁ ମଧ୍ୟ ବିଭିନ୍ନ ପ୍ରକାର ଲୋଭ ଦେଖାଇ ଆତଙ୍କବାଦୀ ସଙ୍ଗଠନରେ ସାମିଲ କରାଇବାକୁ ପ୍ରୟାସ କରାଯାଉଛି ।

ପଞ୍ଜାବର ମୋହାଲିରେ ସୋମବାର ପୋଲିସର ଗୁଇନ୍ଦା ବିଭାଗ ମୁଖ୍ୟାଳୟରେ ଯେଉଁ ବିସ୍ଫୋରଣ ହୋଇଥିଲା ତାହାକୁ ନେଇ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ମିଳିଥିବା ସୂଚନା ମୁତାବକ, ଦୁଇ ଜଣ ସନ୍ଦିଗ୍ଧ ବ୍ୟକ୍ତି ଏକ କାରରେ ଆସି ବିଲ୍ଡିଂର ୮୦ରୁ ୧୦୦ ମିଟର ଦୂରରୁ ଏକ ରକେଟ ସାହାଯ୍ୟରେ ଗ୍ରେନେଡ ଛାଡିଥିଲେ । ଆଉ ଏହାପରେ ଭୟଙ୍କର ବିସ୍ଫୋରଣରେ ଥରି ଉଠିଥିଲା ଗୁଇନ୍ଦା ବିଭାଗର ମୁଖ୍ୟାଳୟ ।

ଏହି ଧମାକା ପରେ ପଞ୍ଜାବକୁ ହାଇଆଲର୍ଟରେ ରଖାଯାଇଛି । ଯେଉଁ ବିଲ୍ଡିଂରେ ବିସ୍ଫୋରଣ ହୋଇଛି ତାହାର ଆଖପାଖରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଏପରିକି ବିଭିନ୍ନ ରାସ୍ତାକୁ ସିଲ୍ କରି ଯାଞ୍ଚକୁ କଡାକଡି କରାଯାଇଛି । ତେବେ ପଞ୍ଜାବ ପୋଲିସ ପକ୍ଷରୁ ଏହାକୁ ଆତଙ୍କବାଦୀ ଆକ୍ରମଣ ସହ କୌଣସି ସମ୍ପୃକ୍ତି ନଥିବା କୁହାଯାଉଛି । ଏହା କେବଳ ଏକ ଛୋଟ ବିସ୍ଫୋରଣ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

ତେବେ ଏହି ବିସ୍ଫୋରଣ ପଛରେ ଆତଙ୍କବାଦୀ ହରବିନ୍ଦର ସିଂ ରିଣ୍ଡାଙ୍କ ହାତ ଥିବା କୁହାଯାଉଛି । ରିଣ୍ଡା ଏବେ ପାକିସ୍ତାନର ଲାହୋରରେ ରହୁଥିବା ବେଳେ ବାଘବା ସିଂଙ୍କ ସହ ମିଶି ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ ପାଇଁ କାମ କରୁଛନ୍ତି । ରିଣ୍ଡା ନିଜ ନେଟୱର୍କ ଜରିଆରେ ଭାରତରେ ଡ୍ରଗ୍ସ ପହଞ୍ଚାଇ କୋଟି କୋଟି ଟଙ୍କା ରୋଜଗାର କରୁଛି । ଆଉ ଏହି ଅର୍ଥରେ ସ୍ଥାନୀୟ ଯୁବକଙ୍କୁ ପ୍ରଲୋଭିତ କରି ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ଲଗାଉଛି ରିଣ୍ଡା । ବିଭିନ୍ନ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ପାକିସ୍ତାନର ଆଇଏସଆଇ ଚାହୁଁଛି ଯେ, ଉଭୟ ରିଣ୍ଡା ଓ ବାଘବା ଆରଡିଏକ୍ସ ଜରିଆରେ ଭାରତରେ ବଡ ବିସ୍ଫୋରଣ କରନ୍ତୁ । କିଛି ନେତାଙ୍କୁ ହତ୍ୟା କରି ଭୟର ବାତାବରଣ ସୃଷ୍ଟି କରନ୍ତୁ ।