କନକ ବ୍ୟୁରୋ: ବିଭିନ୍ନ ରଙ୍ଗର ଓ ସାଇଜର କୁକୁଡା ଅଣ୍ଡା ତ ଦେଖିଥିବେ । ହେଲେ କୋଇମ୍ବାଟୁରର ଏକ ଫାର୍ମରେ କୁକୁଡା ଦେଇଛି ସବୁଠୁ ବଡ ଅଣ୍ଡା ଯାହା ଏବେ ଗଣମାଧ୍ୟମରେ ଚର୍ଚ୍ଚିତ । ଏହାର ମାଲିକାଣୀ ଏବେ ୱାର୍ଲ୍ଡ ରେକର୍ଡ ପାଇଁ ଆବେଦନ କରିଛନ୍ତି ।

Advertisment

ତାମିଲନାଡୁ କୋଇମ୍ବାଟୁରର ବାସିନ୍ଦା ସମିଲା , ଜଣେ ଉଚ୍ଚ ଶିକ୍ଷିତା ମହିଳା । ହେଲେ ଚାକିରୀ ନପାଇବାରୁ ପରିବାର ଚଳାଇବାକୁ ୪ରୁ ୫ଟି କୁକୁଡା ଆଣି ଘରେ ପାଳିଲେ । ଅନିଚ୍ଛା ସତ୍ତେ୍ୱ କୁକୁଡା ପାଳିଲେ । ହେଲେ ତାଙ୍କ ସହ କୁକୁଡାଙ୍କର ଏଭଳି ସମ୍ପର୍କ ହେଲା ଯେ ସେ ଅଧିକରୁ ଅଧିକ କୁକୁଡା ରଖିବାକୁ ଲାଗିଲେ । ତେବେ ଆଉ କୁକୁଡାଙ୍କୁ ମାଂସ ଉଦ୍ଦେଶ୍ୟରେ ବିକ୍ରି ନକରି ବରଂ ଅଣ୍ଡା ଚାଷ କରିବାକୁ ଆରମ୍ଭ କଲେ ।

ସବୁ ଦିନ ଭଳି ନୂଆ ବର୍ଷ ସକାଳୁ ଅଣ୍ଡା ସଂଗ୍ରହ କରିବାକୁ ଗଲାବେଳେକୁ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ସମିଲା । ସାମାନ୍ୟ ଅଣ୍ଡାଠାରୁ ତାଙ୍କୁ ସେଦିନ ସବୁଠୁ ବଡ ଅଣ୍ଡା ମିଳିଥିଲା । ଏହାକୁ ଅତି ଯତ୍ନର ସହ ଆଣି ଗୁଗୁଲରେ ସର୍ଚ୍ଚ କରିଥିଲେ । ସେ ପାଇଥିବା ଅଣ୍ଡା ଏଯାଏଁ ସବୁ ରେକର୍ଡ ଭାଙ୍ଗିଥିବା ଜାଣିବାକୁ ପାଇଲେ । କାରଣ ପୂର୍ବରୁ ମିଳିଥିବା ବଡ ଅଣ୍ଡାର ଓଜନ ୪୦ ଗ୍ରାମ, ଉଚ୍ଚତା ୫.୫ ଇଞ୍ଚ ଓ ୫ ସେମି ଗୋଲେଇର ଥିବାବେଳେ ସମିଲାଙ୍କ କୁକୁଡା ଦେଇଥିବା ଅଣ୍ଡାର ଓଜନ ରହିଛି ୯୦ ଗ୍ରାମ । ଏହାର ଉଚ୍ଚତା ୮.୧ ଇଞ୍ଚ ଓ ଗୋଲେଇ ୬ ଇଂଚ । ଏବେ ଏହା ସବୁଠାରୁ ବଡ କୁକୁଡା ଅଣ୍ଡା ବୋଲି ଦାବୀ କରି ୱାର୍ଲ୍ଡ ରେକର୍ଡ ପାଇଁ ଆବେଦନ କରିଛନ୍ତି ସମିଲା । ଏହାକୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କୁ ଉପହାର ସ୍ୱରୂପ ଦେବାକୁ ଇଚ୍ଛା ରଖିଛନ୍ତି ।
ଏହି କୁକୁଡା ଅଣ୍ଡାକୁ ରସାୟିନିକ ଉପାୟରେ କୌଣସି ମ୍ୟୁଜିୟମରେ ରଖିବାକୁ ମନ ବଳାଇଛନ୍ତି ସମିଲା ।