ତୁର୍କୀ ଓ ଗ୍ରୀସ ସୀମାରେ ବଡ଼ ଧରଣର ଭୂମିକମ୍ପ : ଭୁଶୁଡି ପଡ଼ିଲା ବହୁତଳ ବିଶିଷ୍ଟ କୋଠା, ୧୭ ମୃତ, ଶତାଧିକ ଆହତ ସୂଚନା; ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୭, ଗ୍ରୀସରେ ସୁନାମୀ, ମାଡିଆସିଲା ସମୁଦ୍ର 

180

କନକ ବ୍ୟୁରୋ : ତୁର୍କୀ  ଓ ଗ୍ରୀସ ସୀମାରେ ବଡ଼ ଧରଣର ଭୂମିକମ୍ପ । ଭୂକମ୍ପର ଝଟକା ଏତେ ଭୟଙ୍କର ଥିଲା ଯେ ବଡ଼ ବଡ଼ ବହୁତଳ ବିଶିଷ୍ଟ କୋଠା ତାସ ଘର ପରି ଭୁଶୁଡ଼ି ପଡିଛି । ଆମେରିକା ଭୁତତ୍ୱ ସର୍ବେକ୍ଷଣ ସଂସ୍ଥାର ଆକଳନ ଅନୁସାରେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭ ଥିବା ଜଣାପଡିଛି । ତୁର୍କୀର ଇଜମିରରେ ଅନେକ ବଡ ବଡ କୋଠା ଭାଙ୍ଗି ପଡିଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ତୁର୍କୀର ଜରୁରୀକାଳୀନ ବିଭାଗ ଦେଇଥିବା ସୂଚନା ଅନୁସାରେ ଭୂମିକମ୍ପର କେନ୍ଦ୍ର ଏଜିୟନ ସାଗରରେ ରହିଛି ।

ଏହି ଭୂକମ୍ପ ଯୋଗୁଁ ତୁର୍କୀ, ବୁଲଗେରିଆ, ଦକ୍ଷିଣ ମାର୍ସିଡୋନିଆ ଏବଂ ଗ୍ରୀସ ଆଦି ଦେଶ ପ୍ରଭାବିତ ହୋଇଥିବା ଜଣାପଡିଛି । ଗ୍ରୀସରେ ସୁନାମୀ ଆସିଥିବା ସୂଚନା ମିଳିଛି । ବଡ଼ ବଡ଼ କୋଠା ଭାଙ୍ଗି ପଡିଥିବା ବେଳେ ଏହା ଭିତରେ ଅନେକ ଚାପି ହୋଇ ମୃତ୍ୟୁବରଣ କରିଥିବା ଆଶଙ୍କା କରାଯାଉଛି । ୬ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଥିବା ବେଳେ ୨ଶହରୁ ଅଧିକ ଆହତ ହୋଇଥିବା କୁହାଯାଉଛି । ତେବେ ଭୂକମ୍ପର ମାତ୍ରାକୁ ଦେଖିଲେ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି ।